ପୁରୁଣା ଭୁବନେଶ୍ବର : ଗାନ୍ଧୀ ଜୟନ୍ତୀ ଅବସରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆଜି ଠାରୁ ଆରମ୍ଭ ହୋଇଛି। ଏହା ଏକ ମାସ ଧରି ଚାଲିବ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ନିର୍ବାଚନମଣ୍ଡଳୀର କାର୍‌ଗିଲ୍‌ ବସ୍ତିରୁ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ସେଠାରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ପଦଯାତ୍ରାକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

Advertisment

ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର, ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ ପ୍ରମୁଖ ଯୋଗ ଦେଇଥିଲେ। ଦଳୀୟ ନେତାମାନେ ବିଜେଡି ଶାସନରେ ନିଆଯାଇଥିବା ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମକୁ ପଦଯାତ୍ରା‌ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ ଭୁବନେଶ୍ବରର ବହୁ କର୍ପୋରେଟର୍‌ ଓ ଉପକଣ୍ଠ‌ରେ ଥିବା ପଞ୍ଚାୟତଗୁଡ଼ିକର ଦଳୀୟ ନେତା, କର୍ମୀ ସାମିଲ ହୋଇଥି‌ଲେ। ଏହି ଅବସରରେ ମହାତ୍ମା ଗାନ୍ଧୀ ଓ ବିଜୁ ପଟ୍ଟନାୟକଙ୍କ ଫଟୋ ରଖାଯାଇ ପଦଯାତ୍ରା ଆରମ୍ଭ କରାଯାଇଥିଲା।

ସୂଚନାଯୋଗ୍ୟ ଯେ ଜନସମ୍ପର୍କ ପଦଯାତ୍ରାକୁ ପ୍ରଭାବୀ ଢଙ୍ଗରେ କରିବା ପାଇଁ ବିଜେଡି ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ନିଜେ ସଭାପତି ନବୀନ ପଟ୍ଟନାୟକ ସମସ୍ତ ଦଳୀୟ ପଦାଧିକାରୀଙ୍କୁ ଚିଠି ଲେଖି ଏହାକୁ ସଫଳ କରିବା ପାଇଁ ଆହ୍ବାନ ଦେଇଛନ୍ତି। ଏହା ସହ ଦଳ ପକ୍ଷରୁ ଦୁଇ ଦିନିଆ ତାଲିମ ଶିବିର ବି କରାଯାଇଛି। ପଦଯାତ୍ରା ସମୟରେ ସଂପୃକ୍ତ ଅଞ୍ଚଳରେ ପ୍ରତି ଘରେ ବିଜେଡି ସରକାରଙ୍କ ସମସ୍ତ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ସହିତ ରକ୍ତଦାନ, ବୃକ୍ଷରୋପଣ ତଥା ଅନ୍ୟାନ୍ୟ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ କରାଯିବା ପାଇଁ କୁହାଯାଇଛି। ନଭେମ୍ବର ୨ ତାରିଖରେ ପ୍ରତ୍ୟେକ ଜିଲ୍ଲା ସ୍ତରରେ ସମସ୍ତ ଦଳୀୟ କର୍ମକର୍ତ୍ତା ତଥା କର୍ମୀମାନେ ଉପସ୍ଥିତ ରହି ଓଡ଼ିଶାବାସୀଙ୍କ ସେବାରେ ନିଜକୁ ପୁନଃଉତ୍ସର୍ଗ କରିବା ସହିତ ରାଜ୍ୟର ଉନ୍ନତି ଓ ରାଜ୍ୟବାସୀଙ୍କ କଲ୍ୟାଣ ନିମନ୍ତେ ନିରନ୍ତର ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବା ପାଇଁ ‘ସମୂହ ଶପଥପାଠ’ କରାଯିବ।
ଉତ୍ତରୀୟ ପକାଇ ସେଲ୍ଫି
ଭୁବନେଶ୍ବର ଏକାମ୍ର କ୍ଷେତ୍ରରୁ ବିଜେଡିର ଜନସଂପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଏହି ପଦଯାତ୍ରା ଆରମ୍ଭ ପୂର୍ବରୁ ଆରମ୍ଭ ହୋଇଥିଲା। ସେଲ୍ଫି ଓ ଉତ୍ତରୀୟ ପକା ପର୍ବ। କର୍ମୀମାନେ ମଞ୍ଚ ନିକଟରେ ସେଲ୍ଫି ନେଉଥିବା ବେଳେ ଦଳର ଉତ୍ତରୀୟ ପକା ପର୍ବ ଆରମ୍ଭ ହୋଇଥିଲା। ନିଜ ବେକରେ ଦଳର ଉତ୍ତରୀୟ ପକାଇ ସେଲ୍ଫି ନେବାକୁ କର୍ମୀମାନେ ସୁଯୋଗ ହାତ ଛଡ଼ା କରିନଥିଲେ।
ଖାଦ୍ୟ ପରସିଲେ ବିଧାୟକ, ମେୟର
ପଦଯାତ୍ରା ସରିବା ପରେ ଦଳୀୟ କର୍ମୀମାନେ ଖାଇବାକୁ ଭିଡ଼ ଜମାଇଥିଲେ। ପ୍ରାୟ ୧୦ଟି ଖାଇବା ଷ୍ଟଲ ଖୋଲିଥିଲେ ବି ଭିଡ଼ ହୋଇଥିଲା। ଭିଡ଼ ନିୟନ୍ତ୍ରଣ କରିବାକୁ ନିଜେ ବିଧାୟକ ଅନନ୍ତ ନାରାୟଣ ଜେନା ଓ ମେୟର ସୁଲୋଚନା ଦାସ ଖାଦ୍ୟ ପରସିଥିଲେ।
ଅଦିବାସୀଙ୍କ ସହ ନାଚିଲେ ନେତା
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍‌ଗିଲ୍‌ ବସ୍ତିକୁ ପଦଯାତ୍ରା ପାଇଁ ଆସିବା ପୂର୍ବରୁ ଆରମ୍ଭ ହୋଇଥିଲା ଆଦିବାସୀ ନୃତ୍ୟ। ସେମାନଙ୍କ ସହ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ସୁଲୋଚନା ଦାସଙ୍କ ସମେତ କର୍ପୋରେଟରମାନେ ସାମିଲ ହୋଇଥିଲେ।