ତିର୍ତୋଲରେ ବିଜୟ ବ୍ୟବଧାନ ବିଜେଡିର ରେକର୍ଡ

୨୦୧୯ ତୁଳନାରେ ବିଜେଡି, ବିଜେପିର ମୋଟ ଭୋଟ ହ୍ରାସ; କଂଗ୍ରେସ ଭୋଟ ବୃଦ୍ଧି
ନବୀନଙ୍କ ଶ୍ରେୟ, ତିର୍ତ୍ତୋଲବାସୀଙ୍କୁ କୃତଜ୍ଞତା ଜଣାଇଲେ ବିଜୟଶଙ୍କର

ଜଗତସିଂହପୁର/ଟାଉନ୍ : ତିର୍ତୋଲ ଉପନିର୍ବାଚନରେ ପୁଣି ବିଜୟ ବ୍ୟବଧାନରେ ରେକର୍ଡ କରିଛି ବିଜେଡି। ବିଜେଡି ପ୍ରାର୍ଥୀ ବିଜୟଶଙ୍କର ଦାସ ତାଙ୍କ ବାପା ପୂର୍ବତନ ବିଧାୟକ ସ୍ବର୍ଗତ ବିଷ୍ଣୁ ଚରଣ ଦାସଙ୍କ ନାମରେ ଥିବା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଜୟ ବ୍ୟବଧାନର ସର୍ବକାଳୀନ ରେକର୍ଡ ୪୦ ହଜାର ୩୮୬ ସଂଖ୍ୟାକୁ ଟପି ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୪୧ ହଜାର ୭୦୩ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ବିଜୟ ଶଙ୍କରଙ୍କୁ ମୋଟ୍ ୮୮,୩୧୦ ଖଣ୍ତ ଭୋଟ୍ ମିଳିଥିବା ବେଳେ ରାଜକିଶୋରଙ୍କୁ ୪୬,୬୦୭, କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ୨୮,୭୭୮, ସିପିଆଇ ପ୍ରାର୍ଥୀ ବିଜୟ ଭୋଇ ୧୧୦୯, ସ୍ବାଧୀନ ପ୍ରାର୍ଥୀ ଅର୍ଜୁନ ବେହେରା ୫୨୯, ଗୋଲାପ ଭୋଇ ୧୮୩, ରବୀନ୍ଦ୍ର ସେଠୀ ୧୯୫, ରମ‌େଶ ମଲ୍ଲିକ ୨୧୦, ସୁଚିତା ମଲ୍ଲିକଙ୍କୁ ୨୧୪ ଖଣ୍ଡ ଭୋଟ ମିଳିଥିବା ବେଳେ ନୋଟାରେ ପଡ଼ିଛି ୭୮୬ ଖଣ୍ତ ଭୋଟ୍। ବିଜେଡି, ବିଜେପି, କଂଗ୍ରେସ ପ୍ରାର୍ଥୀଙ୍କୁ ବାଦ ଦେଲେ ଅନ୍ୟ ୬ ଜଣ ପ୍ରାର୍ଥୀଙ୍କ ଅମାନତ ଉଡ଼ି ଯାଇଛି।

କିନ୍ତୁ ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ବିଜେଡି ଓ ବିଜେପିର ମୋଟ ଭୋଟ ହ୍ରାସ ପାଇଥିବା ବେଳେ କଂଗ୍ରେସ ପୂର୍ବଭଳି ତୃତୀୟ ସ୍ଥାନରେ ଥିଲେ ବି ଭୋଟ ପରିମାଣ ବୃଦ୍ଧିରେ ସଫଳ ହୋଇପାରିଛି। ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ବିଷ୍ଣୁ ଦାସ ଏହି ଆସନରୁ ୯୩ ହଜାର ୯୬୭ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଭାବେ ରମାକାନ୍ତ ଭୋଇ ୫୩ ହଜାର ୫୮୧ ଖଣ୍ଡ ଭୋଟ ଏବଂ କଂଗ୍ରେସ ପ୍ରାର୍ଥୀ ଭାବେ ଦେବୀ ପ୍ରସାଦ ମଲ୍ଲିକ ୨୩ ହଜାର ୮୦୯ ଖଣ୍ଡ ଭୋଟ ପାଇଥିଲେ। ବିଜେଡି ଖାତାରୁ ୫ ହଜାରରୁ ଅଧିକ ଭୋଟ କମି ଥିବା ବେଳେ ବିଜେପି ଖାତାରୁ ୭ ହଜାରରୁ ଅଧିକ ଭୋଟ ହ୍ରାସ ପାଇଛି। କିନ୍ତୁ କଂଗ୍ରେସ ଖାତାରେ ୫ ହଜାର ପାଖାପାଖି ଭୋଟ ବଢିଛି। ୨୦୧୯ ନିର୍ବାଚନରେ ମୋଟ ୪ ଜଣ ପ୍ରାର୍ଥୀ ଥିବା ବେଳେ ଏଥର ୯ ଜଣ ପ୍ରାର୍ଥୀ ଥିବାରୁ ବିଜେଡି ଓ ବିଜେପିର ହ୍ରାସ ପାଇଥିବା ଭୋଟ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ଅନ୍ୟ ୬ ଜଣଙ୍କ ଖାତାକୁ ଯାଇଛି। କିନ୍ତୁ ବିଜେଡି ନିର୍ବାଚନ ପ୍ରଚାର ଆରମ୍ଭରୁ ୨୦୧୯ ନିର୍ବାଚନର ବିଜୟ ବ୍ୟବଧାନ ବୃଦ୍ଧି କରିବା ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବାବେଳେ ଏଥିରେ ସଫଳ ହୋଇଥିବା ଦେଖିବାକୁ ମିଳିଛି। ଫଳାଫଳକୁ ନେଇ ବିଜେଡି କର୍ମୀ ବେଶ୍ ଉତ୍ସାହିତ ହୋଇ ପଡ଼ିବା ସହ ରାଜରାସ୍ତାକୁ ଓହ୍ଲାଇ ବିଜୟ ଉତ୍ସବ ପାଳନ କରିଛନ୍ତି। ତିର୍ତୋଲ, ବିରିଡ଼ି, ରଘୁନାଥପୁର ସମେତ ଜଗତସିଂହପୁର ଭୋଟ ଗଣତି କେନ୍ଦ୍ର ଏସ୍‌ଭିଏମ୍‌ କଲେଜ ଆଗରେ ବିଜେଡ଼ି କର୍ମୀ ଶୋଭାଯାତ୍ରା ବାହାର କରିବା ସହ ବାଣ ଫୁଟାଇଛନ୍ତି। କିନ୍ତୁ ବିଷ୍ଣୁଙ୍କର କିଛି ଅନୁଗତ ଏହି ସମୟରେ କାନ୍ଦୁଥିବା ବି ଦେଖିବାକୁ ମିଳିଛି।

ଆଜି ଏସ୍‌ଭିଏମ୍ ସ୍ବୟଂଶାସିତ ମହାବିଦ୍ୟାଳୟରେ କଡ଼ା ସୁରକ୍ଷା ମଧ୍ୟରେ ଭୋଟ୍ ଗଣତି ଆରମ୍ଭ ହୋଇଥିଲା। ମୋଟ୍ ୨୭ ରାଉଣ୍ତ ବିଶିଷ୍ଟ ଏହି ଗଣତିରେ ପ୍ରଥମ ରାଉଣ୍ତରେ ପୋଷ୍ଟାଲ ବାଲାଟ ଭୋଟ୍ ଗଣତି କରାଯାଇଥିଲା। ସେଥିରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କରଙ୍କୁ ୩,୮୫୨ ଖଣ୍ତ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋରଙ୍କୁ ୨,୭୭୪ ଖଣ୍ତ ଓ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲିକଙ୍କୁ ୪୪୨ ଖଣ୍ତ ଭୋଟ୍ ମିଳିଥିଲା। ପ୍ରଥମ ରାଉଣ୍ତରୁ ଓ ଶେଷ ରାଉଣ୍ତ ପର୍ଯ୍ୟନ୍ତ ବିଜୟ ଶଙ୍କର ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ ରାଜକିଶୋରଙ୍କଠାରୁ ବେଶ୍ ଆଗରେ ରହିଥିଲେ। ନିର୍ବାଚନ ମଣ୍ତଳୀର ସମସ୍ତ ୩ଟି ଯାକ ବ୍ଲକ୍‌ରେ ବିଜୟ ଶଙ୍କର ମଧ୍ୟ ଆଗୁଆ ରହିଛନ୍ତି। ପ୍ରଥମେ ବିରିଡ଼ି ବ୍ଲକ୍‌ରୁ ଭୋଟ୍ ଗଣତି ଆରମ୍ଭ ହୋଇଥିବା ବେଳେ କିଛି ବୁଥ୍‌ରେ ବିଜୟ ଶଙ୍କର ଓ ରାଜକିଶୋରଙ୍କ ମଧ୍ୟରେ ଭୋଟ୍‌ ବ୍ୟବଧାନ ସାମାନ୍ୟ କମ୍ ରହିଥିଲା। ପରେ ଧୀରେ ଧୀରେ ଏହି ବ୍ୟବଧାନ ବଢ଼ିବାରେ ଲାଗିଥିଲା।

ଆଜିର ଏହି ପ୍ରଥମ ବିଜୟ ପରେ ବିଜୟଶଙ୍କର ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ବାସିନ୍ଦାଙ୍କୁ କୃତଜ୍ଞତା ଜଣାଇବା ସହିତ ବିଜୟର ସମସ୍ତ ଶ୍ରେୟ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି। ଅନ୍ୟପଟେ ବିଜେପି ପ୍ରାର୍ଥୀ ରାଜକିଶୋର ଏହି ପରାଜୟକୁ ସ୍ବୀକାର କରିବା ସହ ଜନମତକୁ ସମ୍ମାନ ଦେଉଛି ଏବଂ ଶେଷ ପର୍ଯ୍ୟନ୍ତ ଲୋକମାନଙ୍କ ପାଇଁ କାମ କରିବି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର