ବିଜେଡ଼ି ପକ୍ଷରୁ ଶୁଖାସୋଢାରୁ ଆରମ୍ଭ ହେଲା ‘ଦ୍ୱିତୀୟ ପର୍ଯ୍ୟାୟ ମହାନଦୀ ସୁରକ୍ଷା ଯାତ୍ରା’

ଝାରସୁଗୁଡା : ଓଡିଶାର ଜୀବନରେଖା ମହାନଦୀକୁ ମାଆ କହି, ଏହାର ସୁରକ୍ଷା ପାଇଁ ଲଢେଇକୁ ଜୋରଦାର କରିଛି ବିଜୁ ଜନତା ଦଳ। ଆଉ ମହାନଦୀର ଓଡିଶାରେ ପ୍ରବେଶ ପଥ ଝାରସୁଗୁଡା ଜିଲ୍ଲାର ଶୁଖାସୋଢାରୁ ଦ୍ୱିତୀୟ ପର୍ଯ୍ୟାୟ ମହାନଦୀ ଅଭିଯାନକୁ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲକ୍ଷ ଲକ୍ଷ ଓଡିଶାବାସୀଙ୍କୁ ପ୍ରଭାବିତ କରୁଥିବା ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ବିଜେପିକୁ ସିଧାସଳଖ ଟାର୍ଗେଟ କରିଛନ୍ତି ନବୀନ।

କେନ୍ଦ୍ରରେ ବିଜେପି ସରକାର ଓ ଛତିଶଗଡରେ ବିଜେପି ସରକାରଙ୍କ ମନୋବୃତ୍ତି ଓଡିଶା ବିରୋଧୀ। ଓଡିଶାର ବିଜେପି ନେତାମାନେ ଛତିଶଗଡର କାମକୁ ସମର୍ଥନ କରୁଛନ୍ତି। ଆଉ ଓଡିଶା ଆସି ଏଠାରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଯଦି ବିଜେପି ନେତାଙ୍କର ଓଡିଆଙ୍କ ପ୍ରତି, ଓଡିଶା ପ୍ରତି ଦରଦ ଅଛି, ତେବେ ଛତିଶଗଡ ସରକାରର କାମକୁ ବିରୋଧ କରନ୍ତୁ ।

ଉଭୟ ଛତିଶଗଡ ଓ କେନ୍ଦ୍ରରେ ଥିବା ବିଜେପି ସରକାର ଓଡିଶାର ସ୍ୱାର୍ଥ ପ୍ରତି ଆଖି ବୁଜିଦେଇଥିବା ଅଭିଯୋଗ କରି ଓଡିଶା ବିଜେପିକୁ ମଧ୍ୟ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଜେଡିର ସମସ୍ତ ଛାମୁଆ ନେତା ଝାରସୁଗୁଡା ଜିଲ୍ଲା ଶୁଖାସୋଢା ଓ ବରଗଡ ଜିଲ୍ଲା ଚିଖିଲିରୁ ମହାନଦୀ ସୁରକ୍ଷା ଯାତ୍ରାରେ ସାମିଲ ହୋଇ ଜନଆନ୍ଦୋଳନକୁ ତେଜିଆନ କରିଛନ୍ତି ।

ମହାନଦୀ ଅବବାହିକରେ ଥିବା ୧୫ଟି ଜିଲ୍ଲାରେ ହେବ ଦ୍ୱିତୀୟ ପର୍ଯ୍ୟାୟ ମହାନଦୀ ସୁରକ୍ଷା ଯାତ୍ରା। ଝାରସୁଗୁଡା ଓ ବରଗଡରୁ ଜଗତସିଂହପୁର ଜିଲ୍ଲା ପାରାଦୀପ ଯାଏଁ ଜନସଚେତନତା ସୃଷ୍ଟି କରିବ ବିଜୁ ଜନତା ଦଳ । ଖରାଦିନେ ଛତିଶଗଡ ପଟେ ମହାନଦୀରେ ପାଣି ଲହଡି ଭାଙ୍ଗୁଥିବାବେଳେ ଓଡିଶା ପଟରେ ଶୁଖିଲା ପଡିଛି । ଯାହାକୁ ନେଇ ଓଡିଶା ଗୋଟିଏ ପଟେ ନ୍ୟାୟିକ ଲଢେଇ ଜାରି ରଖିଥିବାବେଳେ ଅନ୍ୟପଟେ ଜନ ଆନ୍ଦୋଳନ ସୃଷ୍ଟି କରିବାକୁ ଅଣ୍ଟା ଭିଡିଛି ଶାସକ ବିଜେଡି।

ସମ୍ବନ୍ଧିତ ଖବର