ମୟୂରଭଞ୍ଜରେ ବିଜେଡିର ଶୋଚନୀୟ ପରାଜୟ ନେଇ ମାନସମନ୍ଥନ

କର୍ମୀଙ୍କୁ ନପଚାରିବା ଓ ମନଇଛା ଟିକେଟ୍‌ ବାଣ୍ଟିବା ହେଲା କାଳ!

ବାରିପଦା: ୨୦୨୪ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ବିଜେଡି ମୂଳପୋଛ ହୋଇଯିବା ପରେ ଦଳ ମଧ୍ୟରେ ମାନସମନ୍ଥନ ଚାଲିଛି। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ବାଜିମାତ୍‌ କରିଥିଲା। ମାତ୍ର କାହିଁକି ସାଧାରଣ ନିର୍ବାଚନରେ ବିଜେଡିକୁ ପ୍ରତ୍ୟାଖ୍ୟାନ କଲେ ମୟୂରଭଞ୍ଜବାସୀ। ଏନେଇ ବିଭିନ୍ନ କାରଣ ଥିଲେ ମଧ୍ୟ କର୍ମୀଙ୍କୁ ନପଚାରି ମନଇଛା ଟିକେଟ୍‌ ବାଣ୍ଟିବା ପରାଜୟର ମୁଖ୍ୟ କାରଣ ବୋଲି କୁହାଯାଉଛି।

କରଞ୍ଜିଆ ବିଧାନସଭା କ୍ଷେତ୍ରରେ ପ୍ରତିନିଧିତ୍ବ କରୁଥିବା ବାସନ୍ତୀ ହେମ୍ବ୍ରମ ସଂଗଠନ କି ସାମୂହିକ ବିକାଶକୁ ଗୁରୁତ୍ବ ଦେଉ ନଥିଲେ। ଫଳରେ ବାସନ୍ତୀଙ୍କ ବିରୋଧରେ ଜନଅସନ୍ତୋଷ ଥିଲା। ତେଣୁ ଚଳିତ ନିର୍ବାଚନରେ ତାଙ୍କୁ ବାଦ୍‌ ଦେଇ ପୂର୍ବତନ ବିଧାୟକ ବିଜୟ ନାଏକଙ୍କୁ ଟିକେଟ୍‌ ଦେବାକୁ ନେତା ଓ କର୍ମୀମାନେ ଦାବି କରି ଆସୁଥିଲେ। କିନ୍ତୁ ଏହାକୁ ବିଜେଡିର ଶୀର୍ଷ ନେତୃତ୍ବ ଗୁରୁତ୍ବ ନଦେଇ ପୁଣି ବାସନ୍ତୀଙ୍କୁ ଟିକେଟ୍‌ ଦେଲେ। ଫଳରେ କରଞ୍ଜିଆବାସୀ ବାସନ୍ତୀଙ୍କୁ ଗ୍ରହଣ କଲେନି। ବିଜେପିର ପଦ୍ମଚରଣ ହାଇବୁରୁ ବିପୁଳ ଭୋଟ୍‌ ବ୍ୟବଧାନରେ ବିଜୟୀ ହେବାର ସୁଯୋଗ ପାଇଥିଲେ।
ସେହିପରି ବଡ଼ସାହି ନିର୍ବାଚନମଣ୍ଡଳୀରେ ବି ସମାନ ଅବସ୍ଥା। ପୂର୍ବତନ ବିଧାୟକ ଗଣେଶ୍ବର ପାତ୍ରଙ୍କୁ ଦଳୀୟ କର୍ମୀମାନେ ବିରୋଧ କରୁଥିଲେ। ମାତ୍ର ଗଣେଶ୍ବରଙ୍କ ବଦଳରେ ଦଳ ମହିଳା କାର୍ଡ ଖେଳି ତାଙ୍କ ପତ୍ନୀ ଅନସୂୟା ପାତ୍ରଙ୍କୁ ଟିକେଟ୍‌ ଦେଲା। ଏହାକୁ ନେଇ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିଲା। ଫଳରେ ବିଜେପିର ସନାତନ ବିଜୁଳିଙ୍କ ପାଇଁ ବିଜୟ ସହଜ ହୋଇଥିଲା। ମୋରଡ଼ାରେ ପ୍ରତିନିଧିତ୍ବ କରୁଥିବା ରାଜକିଶୋର ଦାସ ଟିକେଟ୍‌ ଆଶାୟୀ ଥିଲେ। କିନ୍ତୁ ସ୍ଥାନୀୟ ଅଞ୍ଚଳର ଜଣେ ନେତାଙ୍କୁ ଟିକେଟ୍‌ ଦେବାକୁ ପ୍ରଥମରୁ ନେତା ଓ କର୍ମୀମାନେ ଦାବି କରି ଆସୁଥିଲେ। ଏହି ଦାବିକୁ ଦଳୀୟ ଉଚ୍ଚ ନେତୃବୃନ୍ଦ କର୍ଣ୍ଣପାତ ନକରି ରାଜକିଶୋରଙ୍କ ପତ୍ନୀ ପ୍ରୀତିନନ୍ଦା କାନୁନଗୋଙ୍କୁ ଟିକେଟ୍‌ ଦେଲେ। ଶ୍ରୀମତୀ କାନୁନଗୋଙ୍କୁ ସ୍ଥାନୀୟ ବିଜେଡି ନେତା ଓ କର୍ମୀ ଗ୍ରହଣ ନକରିବାରୁ ବିଜେପି ପ୍ରାର୍ଥୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ବିପୁଳ ଭୋଟ୍‌ ବ୍ୟବଧାନରେ ବିଜୟୀ ହେଲେ। ଏବେ ବିଜେପି ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ହେବାରେ ସେ ସୌଭାଗ୍ୟ ଅର୍ଜନ କରିଛନ୍ତି।

ବାଙ୍ଗିରିପୋଷିରେ ପ୍ରାର୍ଥୀ ହେବାକୁ ଇଚ୍ଛୁକ ଥିବା ସୁଦାମ ମାରାଣ୍ଡିଙ୍କୁ ବିଜେଡି ମୟୂରଭଞ୍ଜ ଲୋକସଭା କ୍ଷେତ୍ରରେ ପ୍ରାର୍ଥୀ କରିଥିଲା। ମାତ୍ର ତାଙ୍କ ପତ୍ନୀ ରଂଜିତା ମାରାଣ୍ଡିଙ୍କୁ ବାଙ୍ଗିରିପୋଷିରୁ ପ୍ରାର୍ଥୀ କରିବା ସର୍ତ୍ତ ରଖି ସୁଦାମ ସାଂସଦ ପ୍ରାର୍ଥୀ ହେଲେ ବୋଲି କୁହାଯାଉଛି। କିନ୍ତୁ ବାଙ୍ଗିରିପୋଷିବାସୀ ସୁଦାମଙ୍କୁ ପ୍ରାର୍ଥୀ କରିବାକୁ ଦାବି କରୁଥିବା ବେଳେ ରଂଜିତାଙ୍କ ପ୍ରାର୍ଥିତ୍ବକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ। ଗୋଟିଏ ପରିବାରର ୨ ଜଣ ପ୍ରାର୍ଥୀ ଗ୍ରହଣୀୟ ହେଲାନି ବୋଲି ବି ଚର୍ଚ୍ଚା ହେଲା। ଫଳରେ ଶିକ୍ଷୟିତ୍ରୀ ଚାକିରି ଛାଡ଼ି ପ୍ରାର୍ଥୀ ହୋଇଥିବା ରଞ୍ଜିତାଙ୍କୁ ପରାଜିତ ହେବାକୁ ପଡ଼ିଲା। ଅନ୍ୟପଟେ ନବାଗତ ଉଚ୍ଚ ଶିକ୍ଷିତ ବିଜେପିର ଯୁବ ପ୍ରାର୍ଥୀ ସଂଜଲୀ ମୁର୍ମୁ ବାଜି ମାରିନେଲେ। ଉଦଳାରେ ବି ଅନୁରୂପ ଅବସ୍ଥା। ଗତଥର ପରାଜିତ ପ୍ରାର୍ଥୀ ଶ୍ରୀନାଥ ସୋରେନଙ୍କୁ ବାଦ୍ ଦେଇ ଏଥର ନୂଆ ପ୍ରାର୍ଥୀ ପାଇଁ ସ୍ଥାନୀୟ ନେତା ଓ କର୍ମୀ ଦାବି କରୁଥିଲେ। କିନ୍ତୁ ଦଳ ପୁଣି ସେହି ଶ୍ରୀନାଥଙ୍କ ଉପରେ ଭରସା କରିଥିଲା। ଯାହାକୁ ଉଦଳାବାସୀ ଗ୍ରହଣ କରି ନଥିଲେ। ପରାଜିତ ସୁନିଶ୍ଚିତ ବୋଲି ନିଜେ କହୁଥିବା ବିଜେପିର ଭାସ୍କର ମ‌ଢ଼େଇ ପୁଣି ବିଜୟୀ ହୋଇଥିଲେ। କିନ୍ତୁ ବାରିପଦା, ସାରସକଣା, ରାଇରଙ୍ଗପୁର ଓ ଯଶିପୁର ନିର୍ବାଚନମଣ୍ଡଳୀରେ ଟିକେଟ୍‌ ବଣ୍ଟନକୁ ନେଇ ସେମିତି କିଛି ବିବାଦ ନଥିଲା। ମୋଦୀ ଲହରରେ ଏହି ସବୁ ଆସନରେ ବିଜେଡି ହାରିଲା ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର