ପଶ୍ଚିମ ଓଡ଼ିଶାରେ ବିଜେଡିର ବିଜୟ ବାନା

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ଗଣତିର ପ୍ରଥମ ଦିନ ଭଳି ଦ୍ବିତୀୟ ଦିନ ବି ବିଜେଡିର ବିଜୟ ଧାରା ଜାରି ରହିଛି। ରବିବାର ଦ୍ବିତୀୟ ଦିନ ବ୍ଲକ୍‌ ଗୁଡ଼ିକର ଜୋନ୍‌-୨ ଆସନରେ ଗଣତି ଜାରି ରହିଛି। ଦ୍ବିତୀୟ ଦିନ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାର ମୋଟ ୮୪ଟି ଆସନରେ ଗଣତି ଚାଲିଛି। ରାତି ୯ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଏହି ୮୪ଟି ଆସନରୁ ୭୩ଟିରେ ବିଜେଡି, ୧୦ଟିରେ ବିଜେପି ଓ ୧ଟିରେ କଂଗ୍ରେସ୍‌ ଆଗୁଆ ରହିଛି।

ରବିବାରର ଚୂଡ଼ାନ୍ତ ଫଳ ଆସିଲା ପର୍ଯ୍ୟନ୍ତ ଏହି ଧାରା ଜାରି ରହିଲେ ଓ ସମସ୍ତ ଆଗୁଆ ପ୍ରାର୍ଥୀ ବିଜୟୀ ହେଲେ କିମ୍ବା ଶେଷ କିଛି ରାଉଣ୍ଡରେ ବଡ଼ଧରଣର ଓଲଟପାଲଟ ନହେଲେ ଗୋଟିଏଦିନର ଗଣତି ବାକି ଥାଇ ସମସ୍ତ ୧୦ଟି ଯାକ ଜିଲ୍ଲାରେ ଶାସକ ବିଜେଡି ଦଳ ଜିଲ୍ଲା ପରିଷଦ ଗଠନ ପାଇଁ ସଂଖ୍ୟା ଗରିଷ୍ଠତା ହାସଲ କରି‌ ନେବ।

ପ୍ରଥମ ଦିନରେ ଏହି ୧୦ଟି ଜିଲ୍ଲାରେ ୮୭ଟି ଆସନର ଗଣତି ହୋଇ ଫଳାଫଳ ବାହାରିଥିବାବେଳେ ୭୭ଟିରେ ବିଜେଡି, ୭ଟିରେ ବିଜେପି, ୨ଟିରେ କଂଗ୍ରେସ୍‌ ଓ ୧ଟିରେ ସିପିଆଇଏମ୍‌ ପ୍ରାର୍ଥୀ ବିଜୟୀ ହୋଇଥିଲେ। ଶନିବାରର ବିଜୟୀ ଓ ରବିବାରର ଆଗୁଆ ସଂଖ୍ୟାକୁ ମିଶାଇଲେ ତଥା ପୂର୍ବରୁ ଜଣେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ପ୍ରାର୍ଥୀଙ୍କୁ ବି ଯୋଡ଼ିଲେ ମୋଟ ୧୭୨ ଆସନରୁ ୧୫୧ଟିରେ ବିଜେଡି, ୧୭ଟିରେ ବିଜେପି, ୩ଟିରେ କଂଗ୍ରେସ୍ ଓ ଗୋଟିଏରେ ସିପିଆଇଏମ୍‌ ବିଜୟୀ ବା ଆଗୁଆ ରହିଛନ୍ତି।

ରବିବାର ଦ୍ବିତୀୟ ଦିନ ସୁନ୍ଦରଗଡ଼ ଜିଲ୍ଲାରେ ୧୭ଟି ଆସନରେ ଗଣତି ଚାଲିଥିବାବେଳେ ୧୬ଟିରେ ବିଜେଡି, ଗୋଟିଏରେ ବିଜେପି ଆଗୁଆ ରହିଛି। ୩୫ ଆସନ ବିଶିଷ୍ଟ ଏହି ଜିଲ୍ଲାରେ ଦ୍ବିତୀୟ ଦିନ ସୁଦ୍ଧା ବିଜେଡି ୧୬ଟିରେ ବିଜୟୀ ଓ ୧୬ଟିରେ ଆଗୁଆ ରହି ପରିଷଦ ଗଢ଼ିବାକୁ ଯାଉଛି। ସମ୍ବଲପୁର ଜିଲ୍ଲାରେ ୯ଟି ଆସନରେ ଗଣତି ଚାଲିଥିବାବେଳେ ୭ଟିରେ ବିଜେଡି, ୨ଟିରେ ବିଜେପି ପ୍ରାର୍ଥୀ ଆଗୁଆ ଅଛନ୍ତି। ୧୮ ଆସନ ବିଶିଷ୍ଟ ଏହି ଜିଲ୍ଲାରେ ବିଜେଡି ୯ଟିରେ ବିଜୟୀ ଓ ୭ଟିରେ ଆଗୁଆ ରହି ପରିଷଦ ଗଢ଼ିବା ସମ୍ଭାବନା ସୃଷ୍ଟି କରିଛି।

ବରଗଡ଼ ଜିଲ୍ଲାରେ ଜୋନ୍‌-୨ର ଗୋଟିଏ ଆସନ (ଅମ୍ବାଭୋନା ଜୋନ୍‌-୨)ରେ ବିଜେଡି ପ୍ରାର୍ଥୀ ପୂର୍ବରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ରବିବାର ଗଣତି ହେଉଥିବା ବାକି ୧୧ଟି ଜୋନ୍‌-୨ ଆସନ ମଧ୍ୟରୁ ରାତି ୯ଟା ସୁଦ୍ଧା ବିଜେଡି ୮ ଓ ବିଜେପି ୩ଟିରେ ଆଗୁଆ ରହିଛନ୍ତି। ୩୪ ଆସନ ବିଶିଷ୍ଟ ଏହି ଜିଲ୍ଲାରେ ବିଜେଡି ୧୧ରେ ବିଜୟୀ ଓ ୮ଟିରେ ଆଗୁଆ ରହି ପରିଷଦ ଗଢ଼ିବା ସମ୍ଭାବନା ଦୃଢ଼ କରିଛି। ଦେବଗଡ଼ ଜିଲ୍ଲାରେ ରବିବାର ଗଣତି ଚାଲିଥିବା ୩ଟି ଯାକ ଜୋନ୍‌ରେ ବିଜେଡି ପୁଣି ଆଗୁଆ ରହିଛି।

୭ ଆସନ ବିଶିଷ୍ଟ ଏହି ଜିଲ୍ଲାରେ ଦଳ ୩ଟି ଜିତି ସାରିଥିବାବେଳେ ୩ଟିରେ ଆଗୁଆ ରହି ପରିଷଦ ଅକ୍ତିଆର କରିବାକୁ ଯାଉଛି। ଝାରସୁଗୁଡ଼ା ଜିଲ୍ଲାରେ ବି ଗଣତି ଚାଲିଥିବା ୩ଟି ଆସନରେ ବିଜେଡି ପ୍ରାର୍ଥୀ ଆଗରେ ରହିଛନ୍ତି। ୯ ଆସନ ବିଶିଷ୍ଟ ଏହି ଆସନରେ ୫ଟିରେ ବିଜେଡି ପ୍ରାର୍ଥୀ ଜିତି ସାରିଛନ୍ତି ଓ ୩ଟିରେ ଆଗୁଆ ରହି ଏକତରଫା ଭାବେ ପରିଷଦ ଗଢ଼ିବାକୁ ଯାଉଛନ୍ତି। ରବିବାର ରାତି ୯ଟା ସୁଦ୍ଧା ମିଳିଥିବା ସୂଚନାରୁ ସୁବର୍ଣ୍ଣପୁର ଜିଲ୍ଲାରେ ୬ଟି ଆସନର ଗଣତି ଚାଲିଥିବାବେଳେ ସବୁ ଗୁଡ଼ିକରେ ବିଜେଡି ଆଗୁଆ ରହିଛି। ୧୩ ଆସନ ବିଶିଷ୍ଟ ଏହି ଜିଲ୍ଲାରେ ସରକାରୀ ଦଳ ପ୍ରାର୍ଥୀ ୪ଟି ଜିତି ସାରିଛନ୍ତି ଓ ଆଉ ୬ଟିରେ ବିଜୟ ସମ୍ଭାବନା ସୃଷ୍ଟି କରି ପରିଷଦ ଗଢ଼ିବା ଏକପ୍ରକାର ନିଶ୍ଚିତ କରିଛନ୍ତି।

ବୌଦ୍ଧ ଜିଲ୍ଲାରେ ଗଣତି ଚାଲିଥିବା ୩ଟି ଆସନ ମଧ୍ୟରୁ ୨ଟିରେ ବିଜେଡି ଆଗୁଆ ଥିଲାବେଳେ ଗୋଟିଏରେ ବିଜେପି ପ୍ରାର୍ଥୀ ଆଗରେ ଅଛନ୍ତି। ୯ ଆସନ ବିଶିଷ୍ଟ ଏହି ଜିଲ୍ଲାରେ ପୂର୍ବ ଦିନ ବିଜେଡି ୨ଟି ଆସନ ଜିତିଥିଲାବେଳେ ଦ୍ବିତୀୟ ଦିନ ୨ଟିରେ ଆଗୁଆ ଅଛନ୍ତି। ଫଳରେ ଉଭୟ ଆଗୁଆ ପ୍ରାର୍ଥୀ ବିଜୟୀ ହେଲେ ବି ସଂଖ୍ୟା ଗରିଷ୍ଠତା ପାଇଁ ଏହି ଜିଲ୍ଲାରେ ଦଳକୁ ଆଉ ଗୋଟିଏ ଆସନ ପାଇଁ ସୋମବାର ଯାଏ ଅପେକ୍ଷା କରିବାକୁ ହେବ।
ବଲାଙ୍ଗୀର ଜିଲ୍ଲାରେ ୧୪ଟି ଆସନରେ ଗଣତି ଚାଲିଛି। ସେଥିରୁ ୧୧ଟିରେ ବିଜେଡି, ୩ଟିରେ ବିଜେପି ପ୍ରାର୍ଥୀ ଆଗରେ ରହିଛନ୍ତି।

୩୩ ଆସନ ବିଶିଷ୍ଟ ଏହି ଜିଲ୍ଲାରେ ବିଜେଡି ପ୍ରାର୍ଥୀ ୧୨ଟି ଜିତି ସାରିଥିବା ବେଳେ ୧୧ଟିରେ ଆଗୁଆ ଅଛନ୍ତି। ଫଳରେ ଏଠାରେ ମଧ୍ୟ ବିଜେଡି ପରିଷଦ ଗଢ଼ିବା ଏକପ୍ରକାର ନିଶ୍ଚିତ ହୋଇଛି। କଳାହାଣ୍ଡି ଜିଲ୍ଲାରେ ୧୩ଟି ଆସନରେ ଗଣତି ଚାଲିଥିବାବେଳେ ୧୨ଟିରେ ବିଜେଡି ଆଗୁଆ ଅଛି। ଗୋଟିଏରେ କଂଗ୍ରେସ୍ ପ୍ରାର୍ଥୀ ଆଗରେ ରହିଛନ୍ତି। ୩୬ ଆସନ ବିଶିଷ୍ଟ ଏହି ଜିଲ୍ଲାରେ ପୂର୍ବଥର ବିଜେଡି ୩୩ ଆସନ ଜିତି ପରିଷଦ ଗଢ଼ିଥିଲା। ହେଲେ ଏଥର ଏଠାରେ ବିଜେଡି ୧୧ଟି ଜିତି ସାରିଥିବାବେଳେ ୧୨ଟିରେ ଆଗୁଆ ରହି ପରିଷଦ ଗଢ଼ିବାକୁ ଯାଉଛି। ନୂଆପଡ଼ା ଜିଲ୍ଲାରେ ଗଣତି ଚାଲିଥିବା ୫ଟି ଆସନ ମଧ୍ୟରୁ ୪ଟିରେ ବିଜେଡି ଓ ଗୋଟିଏରେ କଂଗ୍ରେସ୍ ଆଗରେ ରହିଛି। ୧୪ ଆସନ ବିଶିଷ୍ଟ ଏହି ଜିଲ୍ଲାରେ ବିଜେଡି ୫ଟି ଜିତି ସାରିଥିବା ବେଳେ ଆଉ ୪ଟିରେ ଆଗୁଆ ରହି ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ଯାଉଛି।

ସମ୍ବନ୍ଧିତ ଖବର