ଭୁବନେଶ୍ୱର : ବାଣପୁର ବ୍ଲକ ନିକଟରେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଯେପରି ଗାଡ଼ି ମଡ଼ାଇ ପ୍ରାୟ ୨୦ଜଣଙ୍କୁ ଆହତ କଲେ ତାହାକୁ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ନିନ୍ଦା କରିଛନ୍ତି। ବିଜେଡିର ହିଂସାତ୍ମକ ଆଚରଣ ଆଜି ଓଡିଶାବାସୀଙ୍କୁ ଭୟଭୀତ କରିବା ସହ ସମଗ୍ରରାଜ୍ୟକୁ ଲଜ୍ଜିତ କରିଛି ବୋଲି ସେ କହିଛନ୍ତି।

Advertisment

ରବିବାର ବି‌ଜେପି ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାତ୍ର କହିଛନ୍ତି ଯେ ବିଜେଡି ବିଧାୟକ ଶ୍ରୀ ଜଗଦ୍ଦେବ ମଦ ପିଇ ଗାଡ଼ି ଚଲାଇବା ସହିତ ବିଜେପି କର୍ମୀଙ୍କୁ ମାରିବାକୁ ଉଦ୍ୟମ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି। ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବିଜୟ ସୁନିଶ୍ଚିତ ହୋଇଥିବାରୁ ବିଧାୟକ ହତାଶ ହୋଇ ପୁଣି ଥରେ ଅତ୍ୟନ୍ତ ଅମାନବୀୟ ଘଟଣା ଭିଆଇଛନ୍ତି। ବ୍ଲକ ନିର୍ବାଚନ ହାରିବା ଭୟରେ ନିର୍ବାଚନକୁ ବନ୍ଦ କରିବାର ଷଡ଼ଯନ୍ତ୍ର ରଚି ବିଧାୟକଙ୍କ ଏଭଳି ହୀନ କାର୍ଯ୍ୟକୁ ବିଜେଡି ପ୍ରଶୟ ଦେଇଛି। ଏହି ଅମାନୁଷିକ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ଛତ୍ରଛାୟା ତଳେ କରାଯାଇଛି। ପଡ଼ୋଶୀ ପଶ୍ଚିମବଙ୍ଗ ନିର୍ବାଚନ ପରେ ପ୍ରତିଶୋଧ ପରାୟଣ ହୋଇ ଶାସକ ତୃଣମୁଳ କଂଗ୍ରେସ ସରକାର ଯେପରି ବିଜେପି କାର୍ଯ୍ୟକର୍ତାଙ୍କୁ ମରଣାନ୍ତକ ଆକ୍ରମଣ କରୁଛି, ଓଡ଼ିଶାରେ ମଧ୍ୟ ଶାସକ ବିଜେଡି ସେହି ପନ୍ଥା ଆପଣାଇଛି ବୋଲି ସେ କହିଛନ୍ତି।

ଅତୀତରେ ମନୋମୁଣ୍ଡଠାରେ ବିଜେପି କର୍ମୀଙ୍କୁ ମାଡ଼ ମାରି ଲହୁଲୁହାଣ କରିବା, ବେଗୁନିଆରେ କାର୍ଯ୍ୟରତ ମହିଳା ତହସିଲଦାରଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଦେବା, ବାଲୁଗାଁରେ ବିଜେପି ମଣ୍ଡଳ ସଭାପତି ତଥା ଜଣେ ଦଳିତ ଯୁବକଙ୍କୁ ମାଡ଼ ମାରିବା ଆଦି ଘଟଣାରେ ରାଜ୍ୟ ସରକାର କୋହଳ ମନୋଭାବ ପ୍ରଦର୍ଶନ କରିଥିଲେ। ବିଶୃଙ୍ଖଳାକାରୀ ବିଧାୟକଙ୍କୁ ନିଲମ୍ବନ କରି କେବଳ ନାଟକ କରୁଥିଲା ବିଜେଡି। ନିଲମ୍ବିତ ହେବା ପରେ ବିଧାୟକ ଶ୍ରୀ ଜଗଦ୍ଦେବ କିପରି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଏବଂ ଦଳୀୟ ବୈଠକରେ ଯୋଗ ଦେଉଥିଲେ? ଏପରିକି ଚଳିତ ପଞ୍ଚାୟତ ନିର୍ବାଚନରେ ସକ୍ରିୟ ଭାବେ ଦଳୀୟ କାର୍ଯ୍ୟରେ ସାମିଲ ହେଉଥିଲେ। ବିଧାୟକଙ୍କ ହିଂସା ଗଣତନ୍ତ୍ର ପ୍ରତି କୁଠାରଘାତ। ତାଙ୍କୁ ତୁରନ୍ତ ବହିଷ୍କାର କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପାତ୍ର ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ଶ୍ରୀ ପାତ୍ରଙ୍କ ସମେତ ରାଜ୍ୟ ସଭାପତି ସମୀର ମହାନ୍ତି, ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ମୁଖପାତ୍ର ବିରଞ୍ଚି ନାରାୟଣ ତ୍ରିପାଠୀ, ଠାକୁର ରଣଜିତ ଦାସ ପ୍ରମୁଖ ଏମ୍‌ସ୍‌ରେ ଚିକିତ୍ସିତ ହେଉଥିବା ଆହତ କାର୍ଯ୍ୟକର୍ତ୍ତାଙ୍କୁ ଭେଟିଥିଲେ।