ବଢ଼ିଲା ବିଜେଡିର ଭୋଟ୍‌ହାର: ୨୦୨୪ ପାଇଁ ବିଜେପି ଚିନ୍ତାରେ

ବରଗଡ଼: ସଦ୍ୟ ପୌର ନିର୍ବାଚନରେ ଗତ ବିଧାନସଭା ନିର୍ବାଚନ ଅପେକ୍ଷା ବିଜେଡିର ଭୋଟ୍‌ ହାରରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହା ସହିତ ୨୦୨୪ ନିର୍ବାଚନ ପାଇଁ ବିଜେପି ପାଇଁ ବଡ଼ ଚାଲେଞ୍ଜ ସୃ‌ଷ୍ଟି ହୋଇଛି। ଉଲ୍ଳେଖଯୋଗ୍ୟ, ୨୦୧୯ ବିଧାନସଭା ନିର୍ବାଚନରେ ବରଗଡ଼ ସହରରେ   ବିଜେଡି ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ଓ ବିଜେପିର ଅଶ୍ୱିନୀ ଷଡଙ୍ଗୀଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା। ସହରାଞ୍ଚଳରେ ଥିବା ବୁଥ ମଧ୍ୟରେ ୩୦ବୁଥରେ ବିଜେଡି ବିଜୟୀ ହୋଇଥିବା ବେଳେ ୩୨ ବୁଥ୍‌ରେ ବିଜେପି ବିଜୟୀ ହୋଇଥିଲା ଏବଂ ଭୋଟ୍‌ ବ୍ୟବଧାନ ମାତ୍ର ୨ ଶହରୁ କମ୍‌ରେ ସୀମିତ ରହିଥିଲା। ତେବେ ପୌର ନିର୍ବାଚନରେ ସହରରେ ବିଜେଡିର ସ୍ଥିତିରେ ଉନ୍ନତି ଦେଖାଦେଇଛି।

ବିଜେଡି ଅଧ୍ୟକ୍ଷା ପ୍ରାର୍ଥିନୀ ୱାର୍ଡ ନମ୍ବର ୧,  ୨,  ୩,  ୫,  ୭,  ୮, ୯, ୧୦, ୧୧, ୧୨, ୧୩, ୧୪, ୧୫, ୧୬, ୧୮, ୧୯ରେ ବିଜୟୀ ହୋଇଥିବା ବେଳେ ୪, ୬  ଓ ୧୭ ନମ୍ବର ୱାର୍ଡରେ ବିଜେପି ବିଜୟୀ ହୋଇଛି। ଏହା ସହିତ ବିଜୟର ବ୍ୟବଧାନ ମଧ୍ୟ ୬୪୦୦ରୁ ଅଧିକ ରହିଛି। ଅନ୍ୟତମ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସର ଭୋଟ୍‌ ହାର ପ୍ରତି ନିର୍ବାଚନରେ କମି କମି ଚାଲିଛି। ଚଳିତ ପୌର ନିର୍ବାଚନରେ ଦଳର ପ୍ରାର୍ଥୀଙ୍କୁ ୨୧ଶହ ଭୋଟ ମିଳିଛି।  ଏବେ ରାଜ୍ୟ ଶାସକ ଦଳରେ ଥିବା ବିଜେଡି ଉଭୟ ପୌରାଧ୍ୟକ୍ଷ ଓ ୧୯ ରୁ ୧୮ ଟି କାଉନସିଲ୍‌ରେ ବିଜୟୀ ହୋଇ ପୌର ପରିଷଦକୁ ସଂପୂର୍ଣ୍ଣ ନିଜ ନିୟନ୍ତ୍ରଣକୁ ନେଇଥିବାରୁ ନିଶ୍ଚିତ ଭାବରେ ଜନସାଧାରଣଙ୍କ ମଧ୍ୟରେ ସହରର ଉନ୍ନତି ପାଇଁ ଅଧିକ ଆଶା ରହିବ।

ଦଳ ପୌର ନିର୍ବାଚନରେ ରଖିଥିବା ଏଜେଣ୍ଡା ପୂରଣ କରି ନ ପାରିଲେ ୨୦୨୪ ପାଇଁ ପୁଣି ଏକ ଚାଲେଞ୍ଜ ସୃଷ୍ଟି ହେବ। ସହରର ପ୍ରମୁଖ ସମସ୍ୟା ମଧ୍ୟରେ ସ୍ୱେରେଜ ବ୍ୟବସ୍ଥା ଅନ୍ୟତମ। ଏବେ ମଧ୍ୟ ବହୁ ୱାର୍ଡରୁ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ନ ଥିବାରୁ ସାମାନ୍ୟ ବର୍ଷାରେ ଘର ଭିତରେ ନର୍ଦ୍ଦମା ପାଣି ପଶିଥାଏ । ଏହାକୁ ଏକ ମାଷ୍ଟରପ୍ଲାନ ଜରିଆରେ ହିଁ ସମାଧାନ କରିହେବ। ସହରର ବ୍ୟବସାୟିକ ଅଞ୍ଚଳରେ ଟ୍ରାଫିକ ଅବ୍ୟବସ୍ଥା ଓ ବୁଲା ଗାଇଗୋରୁଙ୍କ ସମସ୍ୟା ନିତିଦିନିଆ ହୋଇଗଲାଣି।  ସହରର ମଧ୍ୟରେ ଥିବା ଜଳାଶୟଗୁଡିକର ପୁନରୁଦ୍ଧାର, ବଢ଼ିଚାଲିଥିବା ଧୂଳି ସମସ୍ୟା, ପାର୍କିଂ ସମସ୍ୟା, ପାନୀୟଜଳ ଯୋଗାଣ  ଇତ୍ୟାଦି ସମସ୍ୟାର ସମାଧାନ ନ କରିପାରିଲେ ପୁଣି ଜନଅସନ୍ତୋଷ ଦେଖାଦେବ। ବରଗଡ଼ ସହରରୁ ୧୭ ନମ୍ବର ୱାର୍ଡକୁ ସଂଯୋଗ କରୁଥିବା ଜୀରା ପୋଲର ନିର୍ମାଣ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ସମାପ୍ତ କରିବା ଓ ଆଉ ତିନୋଟି ଅସଂପୂର୍ଣ୍ଣ ପାର୍କର କାର୍ଯ୍ୟକୁ ମଧ୍ୟ ଶେଷ କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର