ଭୁବନେଶ୍ୱର ଉପକଣ୍ଠସ୍ଥ ସତ୍ୟଭାମାପୁରସ୍ଥିତ ବିଜେଇଏମ୍‌ ସ୍କୁଲ-୨ର ବାର୍ଷିକ ଉତ୍ସବ ‘ପଲସାଶିଓ’ ଉଦ୍‌ଯାପିତ

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠସ୍ଥ ସତ୍ୟଭାମାପୁରସ୍ଥିତ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ-୨ର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ‘ପଲସାଶିଓ ୨୦୧୯’ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉତ୍ସବ ଦୁଇଦିନ ଧରି ଚାଲିଥିବା ବେଳେ ଜୟଦେବ ନିର୍ବାଚନମଣ୍ଡଳୀ ବିଧାୟକ ଅରବିନ୍ଦ ଢାଲି ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଛାତ୍ରଛାତ୍ରୀମାନଙ୍କ ଉନ୍ନତି କାମନା କରିଥିଲେ । ଦ୍ୱିତୀୟ ଦିନ ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଆଇପିଏସ୍‌ ଶିଶିର କୁମାର ମିଶ୍ର ନିଜର ବକ୍ତବ୍ୟ ରଖିଥିଲେ ।

ପ୍ରାରମ୍ଭରେ ବିଦ୍ୟାଳୟର ପରିଚାଳକ ପ୍ରତାପ କୁମାର ଜେନା ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷା କ୍ଷଣିକା ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ବିଦ୍ୟାଳୟର ସଭାପତି ରଘୁନାଥ ମିଶ୍ର, ଉପସଭାପତି ଅଶ୍ୱିନୀ କୁମାର ତିୱାରୀ, ସହପରିଚାଳକ ଚିତରଞ୍ଜନ ବରିସଲ୍‌, ଉପାଧ୍ୟକ୍ଷ ସର୍ବେଶ୍ୱର ସାମଲ ଓ ବିଜେ.ଶିକ୍ଷା ପରିଷଦର ସଦସ୍ୟଗଣ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । ଏହି ଉତ୍ସବରେ ପ୍ରାୟ ୧୫୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ମୁଖ୍ୟ ଅତିଥି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

୨୦୧୯-୨୦ ଶିକ୍ଷାବର୍ଷ ନିମନ୍ତେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଲେଲିନ ପ୍ରିୟଦର୍ଶିନୀ ଏବଂ ଦଶମ ଶ୍ରେଣୀର ଛାତ୍ର ଆୟୁଶି କର ଶ୍ରେଷ୍ଠ ବିବେଚିତ ହୋଇ ବିଶେଷ ପୁରସ୍କାର ଲାଭ କରିଥିବା ବେଳେ ନବମ ଶ୍ରେଣୀର ଛାତ୍ରୀ ଅନ୍ୱେଷା କର ‘ବିଜେ ଜେମ୍‌’ ବିବେଚିତ ହୋଇଥିଲେ । ତୃତୀୟ ଶ୍ରେଣୀର ଛାତ୍ରୀ ବିଭାବରୀ ସାହୁ ଷ୍ଟାର ପରଫରମାର ଭାବେ ବିବେଚିତ ହୋଇ ବିଶେଷ ପୁରସ୍କାର ଲାଭ କରିଥିଲେ । ଶୈଳବାଳା ଯୋଗେନ୍ଦ୍ର ମେମୋରିଆଲ ପକ୍ଷରୁ “ବେଷ୍ଟ ଇନୋଭେଟିଭ ଷ୍ଟୁଡେଣ୍ଟ ଅଫ ଦ ଇୟର” ପାଇଁ ନବମ ଶ୍ରେଣୀର ଆକାଂକ୍ଷା ସାମଲଙ୍କୁ ଚଳିତ ବର୍ଷ ପୁରସ୍କୃତ କରାଯାଇଥିଲା । ପରିଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ସମ୍ବନ୍ଧିତ ଖବର