ବିଜୁ ଜନତା ଦଳର ନେତୃବୃନ୍ଦଙ୍କୁ ଯୋଡ଼ିଶଙ୍ଖରେ ସ୍ବାଗତ କରାଯାଇଥିଲା। ଦଳୀୟ ଚିହ୍ନ ଶଙ୍ଖ ବାବଦରେ ମଞ୍ଚରେ ବ୍ୟାଖ୍ୟା ଶୁଣିବାକୁ ମିଳିଥିବା ବେଳେ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଆସିଥିବା ନେତା ଓ କର୍ମୀମାନଙ୍କୁ ଯୋଡ଼ିଶଙ୍ଖରେ ସ୍ବାଗତ କରାଯାଇଥିଲା। ଗଞ୍ଜାମର ପୋଲସରାରୁ ଆସିଥିବା ୬୫ ଜଣ ଶିଳ୍ପୀ ପାରମ୍ପରିକ ବେଶରେ ଶଙ୍ଖ ନାଦରେ ମଞ୍ଚ ସ୍ଥଳକୁ ପ୍ରକମ୍ପିତ କରିଥିଲେ। ଯୋଡ଼ିଶଙ୍ଖ ବଜାଉଥିବା କଳାକାରମାନଙ୍କ ଗହଣରେ ବହୁ ଯୁବ ନେତୃବୃନ୍ଦ ସେଲ୍ଫି ନେଇଥିଲେ।
ପ୍ରତିଷ୍ଠା ଦିବସ ପାଇଁ ଆସିଲେ, ମହାପ୍ରଭୁଙ୍କ ଦର୍ଶନ କରି ଫେରିଲେ
ବିଜେଡି ପ୍ରତିଷ୍ଠା ଦିବସ ପାଇଁ ଶ୍ରୀକ୍ଷେତ୍ର ଆସିଥିବା ରାଜ୍ୟର କୋଣ ଅନୁକୋଣର ରାଜନେତାମାନେ ଆଜି ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ହାତ ଛଡ଼ା କରିନାହାନ୍ତି। ସଭା ସରିବା ପରେ ଆଜି ସମସ୍ତଙ୍କ ଗାଡ଼ି ବଡ଼ଦାଣ୍ଡ ଅଭିମୁଖେ ଛୁଟିଥିଲା। ଆଉ କିଛି ଗାଡ଼ି ବେଳାମାର୍ଗ ଅଭିମୁଖେ ଛୁଟିଥିଲା। ଏଥିପାଇଁ ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ବଡ଼ଦାଣ୍ଡ ସହ ବେଳାମାର୍ଗ ଓ ସହରର ପ୍ରମୁଖ ରାସ୍ତାଘାଟରେ ଗହଳି ପରିଲକ୍ଷିତ ହୋଇଥିଲା।
ମୁଖ୍ୟମନ୍ତ୍ରୀଙ୍କ ପାଇଁ ଭଙ୍ଗାହେଲା ହେଲିପ୍ୟାଡ୍ ପାଚେରି
ଆଜି ମୁଖ୍ୟମନ୍ତ୍ରୀଙ୍କ ପାଇଁ ସ୍ବତନ୍ତ୍ର ରୁଟ୍ ମ୍ୟାପ୍ ପ୍ରସ୍ତୁତ ହୋଇଥିଲା। ଯେଉଁ ବାଟ ଦେଇ ସମସ୍ତେ ଯା’ଆସ କରୁଛନ୍ତି, ସେହି ବାଟ ଦେଇ ମୁଖ୍ୟମନ୍ତ୍ରୀ ନ ଯାଇ ଅନ୍ୟ ବାଟ ଦେଇ ଯାଇଥିଲେ। ଯେଉଁଥିପାଇଁ ତାଳବଣିଆ ହେଲିପ୍ୟାଡ୍ ପାଚେରି ଭାଙ୍ଗାଯାଇଛି। ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ତାଳବଣିଆ ହେଲିପ୍ୟାଡ୍ରେ ଅବତରଣ ପରେ ମୁଖ୍ୟ ଫାଟକ ଦେଇ ପ୍ରତିଷ୍ଠା ଦିବସ ସଭାସ୍ଥଳକୁ ଯିବାକୁ ଯୋଜନା କରାଯାଇଥିଲା। କିନ୍ତୁ ରାତାରାତି ସବୁ ନିଷ୍ପତ୍ତି ବଦଳିଗଲା। ସଭାସ୍ଥଳ ମାତ୍ର ଶହେ ମିଟର ଦୂରରେ ଥିଲେ ବି ମୁଖ୍ୟମନ୍ତ୍ରୀଙ୍କ ଯା’ଆସ ବାଟ ପାଇଁ ତାଳବଣିଆ ହେଲିପ୍ୟାଡ୍ର ଉତ୍ତରପାର୍ଶ୍ବରେ ଥିବା ଛୋଟ ଫାଟକକୁ ଭାଙ୍ଗି କାର ଯିବା ଭଳି ପ୍ରଶସ୍ତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଯେଭଳି ସିଧାସଳଖ ସଭାସ୍ଥଳକୁ ଯାଇପାରିବେ, ସେ ନେଇ ରୁଟ୍ ମ୍ୟାପ୍ ତିଆରି ହୋଇଥିଲା। ଆଉ ମୁଖ୍ୟମନ୍ତ୍ରୀ କାର୍ରେ ଏହି ବାଟ ଦେଇ ସିଧାସଳଖ ମୁଖ୍ୟ ମଞ୍ଚ ଆଗରେ ଓହ୍ଲାଇଥିଲେ। ସୂଚନାଯୋଗ୍ୟ, ଗତ ମାସରେ ତାଳବଣିଆ ହେଲିପ୍ୟାଡ୍ ପାଚେରି ଶୁଭାରମ୍ଭ କରାଯାଇଥିଲା। ପାଚେରି ପାଇଁ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।
ସମୟର ଝଲକରେ...
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସରଳ ଜୀବନଯାପନଠୁ ନେଇ ନବୀନ ପଟ୍ଟନାୟକଙ୍କ ୨୫ ବର୍ଷର ଶାସନକାଳରେ ସଫଳତାକୁ ବଖାଣିଥିଲା ଫଟୋ ପ୍ରଦର୍ଶନୀ। ବିଶେଷକରି ବିଜୁ ପଟ୍ଟନାୟକ ରିକ୍ସାରେ ସଚିବାଳୟ ଯିବାର ଚିତ୍ର, ରଥଯାତ୍ରାରେ ଘଣ୍ଟ ବଜାଇବାର ଚିତ୍ର ସହ ସେଲ୍ଫି ନେବାକୁ ବିଜେଡି ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଏହାବ୍ୟତୀତ କୃଷି, କ୍ରୀଡ଼ା, ସଂସ୍କୃତି, ପର୍ଯ୍ୟଟନ କ୍ଷେତ୍ରରେ ନିଆଯାଇଥିବା ଯୁଗାନ୍ତକାରୀ ପଦକ୍ଷେପ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷାର ଚିତ୍ର ପ୍ରଦର୍ଶିତ ହୋଇଥିଲା।
ଫଟୋ ମଞ୍ଚରେ ଭିଡ଼, ସେଲଫି ନେବାକୁ ବ୍ୟାକୁଳ
ବିଜେଡିର ବରିଷ୍ଠ ନେତୃବୃନ୍ଦଙ୍କ ସମେତ ବହୁ ଯୁବନେତା ଓ ତୃଣମୂଳ ସ୍ତରର କର୍ମୀଙ୍କ ସାମଗମ ହୋଇଥିଲା। ପ୍ରତିଷ୍ଠା ଦିବସ ସ୍ମୃତିକୁ ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ଏକ ଫଟୋ ମଞ୍ଚ ନିର୍ମିତ ହୋଇଥିଲା। ‘ମୋ ଦଳ, ବିଜୁ ଜନତା ଦଳ’ ଶୀର୍ଷକ ମଞ୍ଚରେ ଦଳୀୟ କର୍ମୀ ଓ ଯୁବନେତାମାନେ ଫଟୋ ଉଠାଇବା ପାଇଁ ଭିଡ଼ ଜମାଇଥିଲେ। ବହୁ ଯୁବ ନେତା ବିଜେଡିର ମନ୍ତ୍ରୀ ଓ ଚର୍ଚ୍ଚିତ ବିଧାୟକମାନଙ୍କ ସହ ସେଲ୍ଫି ନେବା ପାଇଁ ପ୍ରତିଯୋଗିତା କରୁଥିବା ଦେଖିବାକୁ ମିଳିଥିଲା। ଏପରିକି ମୁଖ୍ୟମନ୍ତ୍ରୀ ଆସିଥିବା ଗାଡ଼ି ସହ ସେଲଫି ନେବାକୁ ବହୁ ଯୁବ ନେତା ଭିଡ଼ ଜମାଇଥିଲେ। ତାଳବଣିଆରେ ମୁଖ୍ୟମଞ୍ଚ ବ୍ୟତୀତ ଆଉ ଦୁଇଟି ମଞ୍ଚ ନିର୍ମିତ ହୋଇଥିଲା। ସେଠାରେ ନେତାମାନଙ୍କୁ ବସିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ବହୁ ଯୁବ ବିଜେଡି କର୍ମୀ ଉକ୍ତ ମଞ୍ଚକୁ ଯାଇ ସେଲ୍ଫି ନେଇଥିଲେ।