ବ୍ଲକ ବିଜେଡି ସଭାପତିଙ୍କ କୁଶପୁତ୍ତଳିକା ଦାହ କଲେ ଦଳୀୟ କର୍ମୀ

ବାଲିଆପାଳ: ବାଲିଆପାଳରେ ନବଗଠିତ ସୂବର୍ଣ୍ଣରେଖା ବନ୍ଦର କଲ୍ୟାଣ ଟ୍ରଷ୍ଟର ଉପଦେଷ୍ଟା ଭାବେ ବ୍ଲକ ବିଜେଡି ସଭାପତି ଗୋବିନ୍ଦଚନ୍ଦ୍ର ଦାସଙ୍କୁ ମନୋନୀତ କରାଯାଇଛି। ଏହା ଜାଣିବା ପରେ ବନ୍ଦର ଓ ପେଟ୍ରୋ କେମିକାଲ୍ସ ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ତ ହେଉଥିବା ଦକ୍ଷିଣ ବାଲିଆପାଳର ୬ ଟି ପଂଚାୟତର ଦଳୀୟ କର୍ମୀଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଆଜି ଶହ ଶହ ଦଳୀୟ କର୍ମୀ ଜମ୍ଭୀରାଇ ପଂଚାୟତ ସୁନ୍ଦୁରୁକୁଲି ମହାଦେବ ମନ୍ଦିର ପରିସରରେ ଏକତ୍ରିତ ହୋଇ ଶ୍ରୀ ଦାସଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

ସୂଚନାଯୋଗ୍ୟ, ବାଲିଆପାଳରେ ପ୍ରସ୍ତାବିତ ସୂବର୍ଣ୍ଣରେଖା ବନ୍ଦର ଓ ପେଟ୍ରୋ କେମିକାଲ୍ସ ପ୍ରକଳ୍ପ ଦ୍ବାରା ଦକ୍ଷିଣ ବାଲିଆପାଳର ୬ ଟି ପଂଚାୟତର ୬୦ ହଜାରରୁ ଊର୍ଦ୍ଧ ଜନସାଧାରଣ ବିସ୍ତାପିତ ହେବାର ସମ୍ଭାବନା ରହିଛି। ଏହାକୁ ସଂପୃକ୍ତ ପଂଚାୟତର ଦଳୀୟ କର୍ମୀଙ୍କ ସମେତ ଅନ୍ୟ ଦଳର କର୍ମୀମାନେ ମଧ୍ୟ ତୀବ୍ର ବିରୋଧ କରି ଅନ୍ଦୋଳନ ଚଳାଇ ଆସୁଛନ୍ତି। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ସ୍ଥାନୀୟ ବିଧାୟକ କିମ୍ବା ବିଜେଡିର କେହି ଉଚ୍ଚ ନେତୃବୃନ୍ଦ କିଛି ବିବୃତି ଦେଉନଥିବା ବେଳେ ବ୍ଲକ ବିଜେଡି ସଭାପତି ଶ୍ରୀ ଦାସ ପ୍ରକଳ୍ପ ସପକ୍ଷରେ ବାହାରିବା ଘଟଣାକୁ ନେଇ ବଜେଡି କର୍ମୀ ଓ ନେତା ସମାଲୋଚନା କରିଛନ୍ତି। ଏ ସଂପର୍କରେ ଶ୍ରୀ ଦାସ କହିଛନ୍ତି, ବାଲିଆପାଳର ବିକାଶ ପାଇଁ ବନ୍ଦରର ଆବଶ୍ୟକତା ରହିଥିବା ବେଳେ ଲୋକଙ୍କର ଆସ୍ଥାଭାଜନ ହେବା ସହ ସେମାନଙ୍କର ସମସ୍ୟାର ସମାଧାନ କରି କାର୍ଯ୍ୟକୁ ଆଗେଇ ନେବା ଲକ୍ଷ୍ୟରେ ସେ ଏହି ଟ୍ରଷ୍ଟରେ ସାମିଲ ହୋଥିବା କହିଛନ୍ତି।

ସମ୍ବନ୍ଧିତ ଖବର