ଭୁବନେଶ୍ବର: ନିକଟରେ ହୋଇଥିବା ପ୍ରଶାସନିକ ଅଦଳବଦଳକୁ ନେଇ ରାଜ୍ୟ ସରକାରଙ୍କୁ ଟା‌ର୍ଗେଟ୍ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅଦଳବଦଳ ପଛରେ ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି ସେ ଇଙ୍ଗିତ କରିଛନ୍ତି। ସେ କହିଛନ୍ତି, ପ୍ରଶାସନରେ ଅଦଳବଦଳ ରାଜ୍ୟ ସରକାରଙ୍କ ଅଧିକାର, ଏଥିରେ ଦ୍ବିମତ ହେବାର ନାହିଁ। ମାତ୍ର ବର୍ତ୍ତମାନର ପରିସ୍ଥିତିରେ ଏପରି ଅଦଳବଦଳ ରାଜ୍ୟର ଆର୍ଥିକ ସ୍ବାର୍ଥର ସୁରକ୍ଷା ନୁହେଁ, ବରଂ ସରକାରୀ କଳକୁ ବ୍ୟବହାର କରି ସରକାରୀ ଦଳ ପାଇଁ ଚାନ୍ଦା ଯୋଗାଡ଼ ନିମନ୍ତେ ଏକ ସୁଚିନ୍ତିତ ପଦକ୍ଷେପ ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଶାଶ୍ବତ ମିଶ୍ରଙ୍କ ବଦଳରେ ବିଷ୍ଣୁପଦ ସେଠୀଙ୍କୁ ବାଣିଜ୍ୟ କର କମିସନର୍ ଭାବେ ଅତିରିକ୍ତ ଦାୟିତ୍ବ ଦେଲେ। ଶାଶ୍ବତ ମିଶ୍ର ରାଜ୍ୟରେ ଜିଏସ୍‌ଟିକୁ ସଫଳତାର ସହ ଲାଗୁ କରିବା ଓ ବାଣିଜ୍ୟ କରଙ୍କୁ ସୁସଙ୍ଗଠିତ କରିବାରେ ଅଭିଜ୍ଞତା ସମ୍ପନ୍ନ ଅଫିସର। ଏବେ ଆର୍ଥିକ ବର୍ଷର ଶେଷ ମାସରେ ତାଙ୍କୁ ଏହି ବିଭାଗ ଛାଡ଼ି ଉଚ୍ଚଶିକ୍ଷା ବିଭାଗର ଦାୟିତ୍ବ ଦିଆଯାଇଛି। ସେହିପରି ରାଜ୍ୟ ସରକାର ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ପୂର୍ତ୍ତ ବିଭାଗର ସଚିବ ଭାବେ କ୍ରିଷନ କୁମାରଙ୍କୁ ଦାୟିତ୍ବ ଦେଇଛନ୍ତି। ପୂର୍ବରୁ ହକି ବିଶ୍ବକପ୍‌ରେ ବିଭିନ୍ନ ଅନିୟମିତତା ଅଭିଯୋଗ ଥିବା ସହ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ସୂଚନା ଅଧିକାର ଆଇନ ଓ ବିଧାନସଭାରେ ଏହି ଖେଳର ଖର୍ଚ୍ଚ ବାବଦରେ ହିସାବ ଦେବାକୁ ପଛାଉଛନ୍ତି। କ୍ରିଷନ୍ କୁମାର କାଳିଆ ଯୋଜନାର କ୍ରିୟାନ୍ବୟନ ଦାୟିତ୍ବରେ ଅଛନ୍ତି। ଏହା ପ‌େର ବି ତାଙ୍କ ଉପରେ ପୂର୍ତ୍ତ ବିଭାଗର ଅତିରିକ୍ତ ଦାୟିତ୍ବ ନ୍ୟସ୍ତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ରାଜ୍ୟ ସରକାରଙ୍କ ଏକ୍ସଟେନ୍‌ସନ୍ ପାଇ ନଳିନୀ ପ୍ରଧାନ ପୂର୍ତ୍ତ ବିଭାଗର ସଚିବ ଥିଲେ। ଏହି ବିଭାଗର ସଚିବ ଭାବେ ଶ୍ରୀ ପ୍ରଧାନ ଶାସକ ଦଳ ପାଇଁ ଚାନ୍ଦା ସଂଗ୍ରହରେ ପ୍ରମୁଖ ଭୂମିକା ନେଉଥିବା ଅଭିଯୋଗ ହୋଇ ଆସୁଥିଲା। କ୍ରିଷନ୍ କୁମାରଙ୍କୁ ପୂର୍ତ୍ତ ସଚିବ ଭାବେ ନିଯୁକ୍ତି ଦେଇ ଏହି ପଦବି‌େର ଇଞ୍ଜିନିୟରିଂ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦେବାର ପରମ୍ପରାକୁ ସରକାର ଭଙ୍ଗ କଲେ। ବାଣିଜ୍ୟ କର କମିସନର୍ ଓ ପୂର୍ତ୍ତ ସଚିବ ପରି ପଦବିରେ ନିଜ ପସନ୍ଦର ଅଫିସର୍ ନିଯୁକ୍ତି କରି ଆର୍ଥିକ ବର୍ଷ ଶେଷ ମାସରେ ରାଜ୍ୟ ତହବିଲ୍‌ର ସ୍ବାର୍ଥ ପଛେ ଚୁଲିକୁ ଯାଉ ମାତ୍ର ଦଳୀୟ ପାଣ୍ଠି ମଜବୁତ୍ ‌କରିବା ସରକାରଙ୍କ ଅସଲ ଉଦ୍ଦେଶ୍ୟ ବୋଲି ବୁଝାପଡ଼ୁଛି।