ହକି ବିଶ୍ବକପ୍‌ରେ ଦୁର୍ନୀତିର ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ବର: ହକି ବିଶ୍ବକପ୍‌ରେ ଖର୍ଚ୍ଚର ହିସାବ ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ନ ଦେବା ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପରି ଦୁର୍ନୀତି ହକି ବିଶ୍ବକପ୍‌ରେ ହୋଇଛି ବୋଲି ସେ ଆରୋପ ଲଗାଇଥିଲେ। ଆଜି ଏ ନେଇ ରାଜ୍ୟ ବିଜେପି ସରକାରଙ୍କୁ ଘେରିଛି। ଦଳର ଉପସଭାପତି ସମୀର ମହାନ୍ତି କହିଛନ୍ତି, ହକି ବିଶ୍ବକପ୍‌ରେ ବଡ଼ ଧରଣର ଘୋଟଲା ହୋଇଛି। ଏଥିରେ ରାଜ୍ୟ ସରକାର କେତେ ଟଙ୍କା ଖର୍ଚ୍ଚ କରିଛନ୍ତି, ଏହାର ହିସାବ ଦେବା ପାଇଁ ସରକାର କାହିଁକି ଡରୁଛନ୍ତି ? ସୂଚନା ଅଧିକାର ଆଇନ ଦ୍ବାରା ବିଭିନ୍ନ ମହଲରୁ ତଥ୍ୟ ମଗାଯାଇଥିଲେ ମଧ୍ୟ ସରକାର ତାହାକୁ ଆଶ୍ଚର୍ଯ୍ୟଜନକ ଭାବେ ଏଡ଼ାଇ ଯାଉଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି, ମୁଖ୍ୟମନ୍ତ୍ରୀ ଥ୍ରି ଟିର କଥା କହୁଛନ୍ତି। କିନ୍ତୁ ତାଙ୍କ କାମରେ ନା ଟ୍ରାନ୍ସପରେନ୍ସି ଅଛି ନା‌ ଟେକ୍ନୋଲୋଜି। ହକି ବିଶ୍ବକପ୍‌ ଆୟୋଜନରେ ପାଖାପାଖି ୫୦ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅସଲ ଉଦ୍ଦେଶ୍ୟ ହକିର ପ୍ରଚାର, ପ୍ରସାର କରିବା ନୁହେଁ, ବରଂ କିପରି ହକିକୁ ଆଳ କରି ସରକାରୀ ଅର୍ଥକୁ ଲୁଟ୍‌ କରାଯିବ। ହକି ଆୟୋଜନର ଖର୍ଚ୍ଚ ନେଇ ସୂଚନା ଅଧିକାର ଆଇନ୍‌ରେ ଯେତେ ପ୍ରଶ୍ନ ପଚରାଯାଉଛି, କୌଣସି ପ୍ରଶ୍ନର ଉତ୍ତର ସରକାର ଦେଉ ନାହାନ୍ତି। କାରଣ ରାଜ୍ୟ ସରକାରଙ୍କ ଭୟ ରହୁଛି ଯେ ସମସ୍ତ ତଥ୍ୟ ପଦାକୁ ଆସିଲେ ସରକାରଙ୍କ ଦୁର୍ନୀତି ପଦାରେ ପଡ଼ିଯିବ। ଏହି ଦୁର୍ନୀତିରେ ରାଜ୍ୟ ସରକାରଙ୍କ ମୁଷ୍ଟିମେୟ ଅଧିକାରୀମାନେ ସଂପୃକ୍ତ। କ୍ରୀଡ଼ା ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ, ବିଏମ୍‌ସି ଓ ବିଡିଏ ପରି ଅନୁଷ୍ଠାନର ଅଧିକାରୀମାନେ ଏଥିରେ ଅଭିଯୁକ୍ତ। ଦୁର୍ନୀତି ଓ ଭ୍ରଷ୍ଟାଚାରରେ ସଂପୃକ୍ତ ଥିବା ଏହି ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଘଣ୍ଟ ଘୋଡ଼ାଇ ଚାଲିଛନ୍ତି।

ଶ୍ରୀ ମହାନ୍ତି ଆହୁରି ଅଭିଯୋଗ କରିଛନ୍ତି, ମୁଖ୍ୟମନ୍ତ୍ରୀ ହକି ରାଜ୍ୟରେ ପ୍ରତିଷ୍ଠିତ କରିବାକୁ ଚାହୁଁ ନାହାନ୍ତି। ହକିର ଏନ୍ତୁଡ଼ିଶାଳ ହେଉଛି ଓଡ଼ିଶା। କିନ୍ତୁ ରାଜ୍ୟ ସରକାର ଦୀର୍ଘ ୧୯ ବର୍ଷର ଶାସନ କାଳରେ ଗୋଟିଏ ବି ହକି ଷ୍ଟାଡିୟମ୍‌ କରି ନାହାନ୍ତି। ହକି ବିଶ୍ବକପ୍‌ ପାଇଁ ସରକାର ବଜେଟ୍‌ରେ ୮୨ କୋଟି ଟଙ୍କା ବ୍ୟବସ୍ଥା କରିଥିଲେ। ଏହା ବାଦ୍‌ ବିଏମ୍‌ସି ୫ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ସମୁଦାୟ ୮୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଦୁଇ ମାସ ହେଲା ଖେଳ ସରିବା ପରେ ବି ହକି ବିଶ୍ବକପ୍‌ ଆୟୋଜନ ଖର୍ଚ୍ଚର ହିସାବ ରାଜ୍ୟ ସରକାର ନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ସମ୍ବନ୍ଧିତ ଖବର