ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭାରତ ସରକାରଙ୍କ ଏକ ବଡ଼ କାର୍ଯ୍ୟକ୍ରମ। ଏଭଳି ଯୋଜନାରେ ଶବ୍ଦାବଳୀରେ ସାମାନ୍ୟତମ ପରିବର୍ତ୍ତନ ହେବା କଥା ନୁହେଁ। ଯେ କୌଣସି କେନ୍ଦ୍ରୀୟ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହେବା ପୂର୍ବରୁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ବୁଝାମଣା ହୋଇଥାଏ। ଏହା ଅନୁଯାୟୀ କୌଣସି ନାମ, ଲୋଗୋ, ପ୍ରକ୍ରିୟା ଏବଂ କାର୍ଯ୍ୟାନ୍ୱୟନ ବଦଳାଯାଇପାରିବ ନାହିଁ। କିନ୍ତୁ ଓଡିଶା ସରକାର ସମସ୍ତ ବୁଝାମଣାକୁ ଅବମାନନା କରି ନିଜ ସ୍ୱାର୍ଥ ପାଇଁ ଏହି ଯୋଜନାର ନାମ ପରିବର୍ତ୍ତନ କରି ଧର୍ତବ୍ୟ ଅପରାଧ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

Advertisment

ଦଳର ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତିସିଂହାର ଅଭିଯୋଗ କରିଛନ୍ତି ଯେ ପୂର୍ବରୁ ରାଜ୍ୟ ବିଜେପି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀ, ଅଯୋଗ୍ୟ ଲୋକଙ୍କୁ ଦଳୀୟ ଭିତ୍ତିରେ ପକ୍କା ଘର ବଣ୍ଟନ, ବେନିୟମ ଭାବେ ବିଜୁ ପକ୍କା ଘର ଲୋଗୋ ଲଗାଇବା ଆଦି କ୍ଷେତ୍ରରେ ପ୍ରତିବାଦ କରିଥିଲା । ଗତକାଲି ଭାରତ ସରକାରଙ୍କ ଗ୍ରାମୀଣ ବିକାଶର ପ୍ରମୁଖ ସଚିବ ଓଡିଶା ସରକାରଙ୍କୁ ଚିଠି ଲେଖି ବିଜୁ ପକ୍କା ଘର ଲୋଗୋ ଅନୁମୋଦିତ ନୁହେଁ ଏବଂ ରାଜ୍ୟ ସରକାର ଏହାକୁ ବ୍ୟବହାର କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଦୀର୍ଘଦିନ ଧରି ନିଜର ରାଜନୈତିକ ଅଭିସନ୍ଧି ରଖି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ କରି ନିଜ ନାଁରେ ଶାସକ ବିଜେଡି ବ୍ରାଣ୍ଡିଂ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ବିଜେପି ଆହୁରି ଅଭିଯୋଗ କରିଛି ଯେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି କରିଛନ୍ତି। କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନମଣ୍ଡଳୀରୁ ଏହା ଲୋକଲୋଚନକୁ ଆସିଥିଲା। ପରେ ବିଜେପି ନେତା ବିକାଶ ଜେନା, କୁଳମଣି ବରାଳ ଏବଂ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଛି। ଫନି ଏବଂ ଅମ୍ପାନ ମହାବାତ୍ୟା ସମୟରେ କେନ୍ଦ୍ରରୁ ମିଳିଥିବା କୋଟି କୋଟି ଟଙ୍କା ଅର୍ଥକୁ ଶାସକ ଦଳର ନେତା ଓ କର୍ମୀମାନେ ହଡପ କରିଛନ୍ତି। ରାଜ୍ୟରେ ଗରିବ ଲୋକଙ୍କ ପାଖରେ ପକ୍କାଘର ପହଞ୍ଚାଇବାରେ ଶାସକ ବିଜେଡି ବାଧକ ସାଜିଛି। କାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଁ ନେଇଯିବେ, ସେହି ଭୟରେ ବିଜେଡି ପ୍ରବକ୍ତାମାନେ ରାଜ୍ୟବାସୀଙ୍କୁ ମିଥ୍ୟା କହି ନୂଆ ନୂଆ ଗପ ଶୁଣାଉଛନ୍ତି। ପୂର୍ବରୁ ୧୦୮ ଆମ୍ବୁଲାନ୍ସ କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ ବ୍ରାଣ୍ଡିଂ କରିଥିଲେ ବୋଲି ସେ କହିଛନ୍ତି। ଗଣମାଧ୍ୟମରେ ବୟାନବାଜି ବନ୍ଦ କରି ଓ ବିକାଶରେ ବାଧକ ନସାଜି କେନ୍ଦ୍ର ସରକାରଙ୍କ ଯୋଜନାକୁ ଗରିବ ଲୋକଙ୍କ ପାଖରେ ପହଞ୍ଚାଇବା କାମ ରାଜ୍ୟ ସରକାର କରନ୍ତୁ ବୋଲି ଦଳ ପରାମର୍ଶ ଦେଇଛି।