ଗଣଶିକ୍ଷା ବିଭାଗରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲା ବିଜେପି

କଟକ ଜିଲ୍ଲାରେ ସରକାରୀ ଅଧିକାରୀ ମଧ୍ୟାହ୍ନ ଭୋଜନର ଅର୍ଥକୁ ଲୁଟ୍ କରୁଛନ୍ତି : ଶାରଦା
ଜିଲ୍ଲା ପ୍ରଶାସନ, ବିଭାଗୀୟ କର୍ତ୍ତୃପକ୍ଷ ନିରବଦ୍ରଷ୍ଟା ସାଜିଛନ୍ତି

ଭୁବନେଶ୍ୱର : ରାଜ୍ୟରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗରେ ବ୍ୟାପକ ଦୁର୍ନୀତି ଚାଲିଛି। ବିଶେଷ କରି କଟକ ଜିଲ୍ଲାରେ ସରକାରୀ ଅଧିକାରୀମାନେ ମଧ୍ୟାହ୍ନ ଭୋଜନର ଅର୍ଥକୁ ଖୋଲାଖୋଲି ଲୁଟ୍ କରୁଛନ୍ତି। ଏ ନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ବି ଶିକ୍ଷା ବିଭାଗ, ଶିକ୍ଷା ମନ୍ତ୍ରୀ ଓ କଟକ ଜିଲ୍ଲାପାଳ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ନେତା ଶାରଦା ପ୍ରଧାନ ଅଭିଯୋଗ କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକରେ ଖଣ୍ଡାୟତ ପାଟିକିରା ସରକାରୀ ଉଚ୍ଚବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦୁର୍ନୀତି ହୋଇଛି। ଚଳିତ ବର୍ଷ ଜାନୁଆରି ୨୨ ଓ ୨୫ ତାରିଖରେ ଉକ୍ତ ସ୍କୁଲ୍‌ର ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ଜଣେ ଶିକ୍ଷକ ମଧ୍ୟାହ୍ନ ଭୋଜନର ଏସ୍‌ଏମ୍‌ଏସ୍‌ ଓ ଛାତ୍ର ଉପସ୍ଥାନ ଖାତାରେ ବେଆଇନ ଭାବେ ମିଥ୍ୟା ଦସ୍ତଖତ କରି ପିଲାଙ୍କ ଖାଦ୍ୟ ହଡ଼ପ କରିଥିଲେ। ଏହି ଘଟଣାର ତଦନ୍ତ ପାଇଁ ମାର୍ଚ୍ଚ ୨ ତାରିଖରେ ରାଜ୍ୟ ନୋଡାଲ ଅଫିସର ଗଙ୍ଗାଧର ସାହୁ ନିର୍ଦ୍ଦେଶ ଦେଲେ। ଯୁଗ୍ମ ତଦନ୍ତ ଅଧିକାରୀ ଏହାର ତଦନ୍ତ କରି ମାର୍ଚ୍ଚ ୩ ତାରିଖରେ ତଦନ୍ତ ରିପୋର୍ଟ ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ଦେଲେ। କିନ୍ତୁ ଏଥିରେ ସେ ଚଞ୍ଚକତା କରି ମାର୍ଚ୍ଚ ୭ ତାରିଖ ଦିନ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ଦେଲେ। ତାହା ପରେ ଏହି ରିପୋର୍ଟ ରାଜ୍ୟ ନୋଡାଲ ଅଫିସରଙ୍କ ପାଖକୁ ଗଲା ନାହିଁ। ପ୍ରଥମ ତଦନ୍ତ ରିପୋର୍ଟକୁ ଚପାଇ ଦେବା ଯୋଗୁ ରାଜ୍ୟ ନୋଡାଲ ଅଫିସର ପୁନଃ ତଦନ୍ତ କରିବା ପାଇଁ ଗତ ଜୁନ୍ ୧୭ ତାରିଖରେ ପୁଣି ନିର୍ଦ୍ଦେଶ ଦେଇଛନ୍ତି। ଏଥିରୁ ସ୍ପଷ୍ଟ ଯେ ମଣ୍ଡଳ ଶିକ୍ଷା ଅଧିକାରୀ ଘଟଣାକୁ ଚପାଇ ଦେବା ପାଇଁ ଅପଚେଷ୍ଟା କରିଛନ୍ତି। ଏହି ଘଟଣାକୁ ୭ ମାସ ବିତିଥିଲେ ବି ଦୁର୍ନୀତିରେ ଲିପ୍ତ ଥିବା ଜିଲ୍ଲା ଶିକ୍ଷା ଅଧିକାରୀ ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଇ ଚାଲିଛନ୍ତି। ସେହିପରି ମାହାଙ୍ଗା ବ୍ଲକରେ ଥିବା ଗୋକନ ହାଇସ୍କୁଲର ଜମି ପଟ୍ଟାକୁ ମିଥ୍ୟା ଦର୍ଶାଯାଇ ସେଠାରେ ସରକାରୀ ବିଦ୍ୟାଳୟ ପାଇଁ ଅନୁମତି ଅଣାଯାଇଛି।

୨୦୧୫ ମସିହାରେ ଗୋକନ ହାଇସ୍କୁଲକୁ ରାଜ୍ୟ ସରକାର ଗ୍ରାଣ୍ଟ୍‌ଏଡ୍‌ ପ୍ରଦାନ କରିଥିଲେ। ବେଆଇନ ଭାବେ ବିଦ୍ୟାଳୟ ନିର୍ମାଣ ହେଇଥିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କାରଣ ଦର୍ଶାଅ ନୋଟିସ ପଠାଯାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ଗତ ୨୩ ଜୁଲାଇ ୨୦୧୬ ମସିହାରେ ବିଦ୍ୟାଳୟର ପ୍ଲଟ ନଂ -୧୧୭୮ ଖାତା ନଂ- ୮୬୮ ଗୋକନ ମୌଜାର ବୋଲି ଦର୍ଶାାଇଥିଲେ। କିନ୍ତୁ ବାସ୍ତବରେ ଏହି ପ୍ଲଟରେ କୌଣସି ଗୋକନ ହାଇସ୍କୁଲ ନିର୍ମାଣ ହୋଇ ନାହିଁ। ଏହି ଜାଲ୍ ପଟ୍ଟାରେ ଗୋକନ ସ୍କୁଲ ଲେଖାଯାଇଛି, କିନ୍ତୁ ପ୍ଲଟ ଉପରେ ପଞ୍ଚାୟତର ଏକ ଗୋଦାମ ଘର ରହିଛି ଏବଂ ଏହା ଏକ ଘରୋଇ ଜମି। ଏପରି ଏକ ମିଥ୍ୟା ଓ ଜାଲ୍ ପଟ୍ଟା ଦେଇ ସ୍କୁଲକୁ ମଞ୍ଜୁରି ଦିଆଯାଇଛି। ଯଦି ୨୦୧୬ରେ ସ୍କୁଲର ଜମି ନ ଥିଲା ତେବେ କେମିତି ଏବଂ କେଉଁ ଆଧାରରେ ୨୦୧୫ରେ ଗୋକନ ସ୍କୁଲକୁ ମଞ୍ଜୁରି ଦିଆଗଲା ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ସେହି ସମୟର ସ୍କୁଲ ସମ୍ପାଦକ ଏବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିବା ବେଳେ ତାଙ୍କ ବିରୋଧରେ ରାଜ୍ୟ ସରକାର କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ତାହା ସ୍ପଷ୍ଟ କରନ୍ତୁ। ଶିକ୍ଷା ମନ୍ତ୍ରୀ ତୁରନ୍ତ ଏହି ସବୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ। ଦୁର୍ନୀତି କରିଥିବା ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଆଗାମୀ ଦିନରେ ବିଜେପି ପକ୍ଷରୁ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଶ୍ରୀ ପ୍ରଧାନ ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର