ଭୁବନେଶ୍ୱର: ରାଜ୍ୟରେ ଶାସକ ଦଳ ଭୋଟ ପାଇଁ ଲାଞ୍ଚ ଯାଚୁଥିବା ନେଇ ବିଜେପି ଅଭିଯୋଗ କରିଛି। ଗତକାଲି କଟକ ଜିଲ୍ଲାର ସାଲେପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ତରଫରୁ ଆୟୋଜିତ ହୋଇଥିବା ନିର୍ବାଚନୀ ସଭାରେ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇଥିଲେ । ସେଠାରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ସେ ନୋଟର ପ୍ରଲୋଭନ ଦେଇଥିଲେ ବୋଲି ବିଜେପି ଉପସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି ।

Advertisment

ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ପ୍ରତାପ ଜେନା ନିର୍ବାଚନ ଆଦର୍ଶ ଆଚରଣ ବିଧିର ଘୋର ଉଲ୍ଲଂଘନ କରିଛନ୍ତି । ଭୋଟ ପାଇଁ ଲାଞ୍ଚ ଯାଚୁଥିବା ଯୋଗୁଁ ପ୍ରଚଳିତ ବିଧି ବ୍ୟବସ୍ଥା ଅନୁସାରେ ଦଣ୍ଡିତ ହେବା ଦରକାର । ଏ ବିଷୟରେ ନିର୍ବାଚନ କମିସନ ଜଣାଇବୁ ବୋଲି କହିଛନ୍ତି ସମୀର ମହାନ୍ତି । ସାଲେପୁର ଥାନାରେ  ପ୍ରତାପ ଜେନାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବ। ପ୍ରତାପଙ୍କ ନିର୍ବାଚନ ଲଢିବା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଗଣମାଧ୍ୟମରେ ସମୀର ମହାନ୍ତି ଦାବି କରିଛନ୍ତି ।

publive-image

ଗୋଟିଏ ପଞ୍ଚାୟତରେ ବିଜୁ ଜନତା ଦଳ ସର୍ବାଧିକ ଭୋଟ ପାଇଲେ ୩୫ ଲକ୍ଷ ଟଙ୍କା ଓ ବୁଥରେ ସର୍ବାଧିକ ଭୋଟ୍‌ ପାଇଲେ ୧୫ ଲକ୍ଷ ଟଙ୍କା ଦେବ ବୋଲି ପ୍ରତାପ ଜେନା ଘୋଷଣା କରିଛନ୍ତି । ଏହା ପୂରା ସାଲେପୁର ନିର୍ବାଚନ ମଣ୍ଡଳୀରେ ଲାଗୁ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଏହାବ୍ୟତୀତ ସଭାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମୋବାଇଲ ଫୋନ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ମନ୍ତ୍ରୀ ପ୍ରତାପ ଜେନା ଭାଷଣ ଦେବା ସମୟରେ ମୋବାଇଲ ଓ କ୍ୟାମେରା ରେକର୍ଡିଂକୁ ବାରଣ କରିଥିଲେ।