ଭୁବନେଶ୍ୱର : ଏକାମ୍ର କ୍ଷେତ୍ରରେ ଦୁଇଟି ମନ୍ଦିର ପାଇଁ ଜାରି ହୋଇଥିବା ପ୍ରସ୍ତାବିତ ଐତିହ୍ୟ ଅଧିନିୟମ (ବାଇ-ଲ’)କୁ ନେଇ ଭୁବନେଶ୍ବରରେ ରାଜନୈତିକ ସ୍ଥିତି ସରଗରମ ହୋଇଛି। ଏହି ପ୍ରସଙ୍ଗରେ ବିଜେପି ଓ ସ୍ଥାନୀୟ ସାଂସଦଙ୍କୁ ଟାର୍ଗେଟ୍ କରିଚାଲିଛନ୍ତି ବିଜେଡି ନେତାମାନେ। ଆଜି ବିଜେପି ପକ୍ଷରୁ ଏନେଇ ପ୍ରତିକ୍ରିୟା ରଖାଯାଇଛି। ବାଇ-ଲ’ର କ୍ରିୟାନ୍ବୟନ ପ୍ରକ୍ରିୟାରେ ଦଳର ଆପତ୍ତି ରହିଛି ବୋଲି ବିଜେପି ସ୍ବୀକାର କରିଥିଲେ ବି ରାଜ୍ୟ ସରକାର ଲୋକଙ୍କୁ ଭ୍ରମିତ କରୁଛନ୍ତି ବୋଲି ପାଲଟା ଅଭିଯୋଗ ହୋଇଛି।
ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ ଜାତୀୟ ଐତିହ୍ୟ ପ୍ରାଧୀକରଣ ସଂସଦର ଆକ୍ଟ ଦ୍ୱାରା ଗଠନ କରାଯାଇଥିବା ଏକ ସରକାରୀ ବ୍ୟବସ୍ଥା। ଏହି ବ୍ୟବସ୍ଥା ଅନୁସାରେ ଏଏସ୍ଆଇ ମଧ୍ୟ କାମ କରୁଛି । ପୁରୀ- କୋଣାର୍କ- ଲିଙ୍ଗରାଜ ଆଦି ପୁରୁଣା ପ୍ରତ୍ନତାତ୍ତ୍ବିକ କୀର୍ତିରାଜି ପୁରାତନ ଐତିହ୍ୟ ସଂରକ୍ଷଣ ଆକ୍ଟ ଅନୁସାରେ ପରିଚାଳିତ । ଓଡିଶାର କିଛି ପୁରାତନ କୀର୍ତିରାଜିର ସୁରକ୍ଷା ନେଇ ଜାତୀୟ ଐତିହ୍ୟ ପ୍ରାଧୀକରଣ ଏକ ଚିଠା (ଡ୍ରାଫ୍ଟ) ବାଇ-ଲ’ ପ୍ରସ୍ତୁତ କରି ଜନସାଧାରଣଙ୍କ ଅବଗତି ନିମନ୍ତେ ସାର୍ବଜନୀନ କରିଥିଲେ। ଏହାର କ୍ରିୟାନ୍ୱୟନ ପ୍ରକ୍ରିୟାରେ ଆମର ବି ଆପତ୍ତି ଅଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଶ୍ରୀ ଲିଙ୍ଗରାଜ ଜୀବନ୍ତ ଠାକୁର। ଏ ପ୍ରସଙ୍ଗରେ କିଛି କରିବା ପୂର୍ବରୁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜ, ସେବାୟତ, ମନ୍ଦିର ପ୍ରଶାସନ ଇତ୍ୟାଦିଙ୍କ ସହ ଆଲୋଚନା କରିବା ଉଚିତ ଥିଲା। କିନ୍ତୁ ତାହା ନ କରି ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଭ୍ରମିତ କରିବା ପାଇଁ ଚେଷ୍ଟା କରୁଛନ୍ତି। ବାଇ-ଲ’ ପ୍ରସଙ୍ଗରେ କେନ୍ଦ୍ର ସରକାର ସମ୍ବେଦନଶୀଳ ଅଛନ୍ତି। ଏହି ପ୍ରସଙ୍ଗ ଆସିବା ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ସହ କଥା ହୋଇ ପୁନଃବିଚାର ପାଇଁ ପ୍ରଥମ ଦିନରୁ ଅନୁରୋଧ କରିଥିଲେ। ପରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ଓଡ଼ିଶା ବିଜେପିର ପ୍ରତିନିଧି ଦଳ ଓ ପୁରୀର ସେବାୟତମାନଙ୍କ ସହ ଶ୍ରୀ ପ୍ରଧାନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଥିଲେ। ଏହା ପରେ ତତ୍କ୍ଷଣାତ୍ ପୁରୀ ପ୍ରସଙ୍ଗରେ ଏହି ବାଇ-ଲ’କୁ ପ୍ରତ୍ୟାହାର ଘୋଷଣା କରାଯାଇଥିଲା।
ଶ୍ରୀମତୀ ସାମନ୍ତସିଂହାର ଆହୁରି ଅଭିଯୋଗ କରିଛନ୍ତି ଯେ ପୁରୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ନାଁରେ ଲଙ୍ଗୁଳି ମଠ, ଏମାର ମଠ, ବଡ଼ଛତା ମଠ, ରଘୁନନ୍ଦନ ଲାଇବ୍ରେରି ପରି ପୁରାତନ କୀର୍ତିରାଜିକୁ ଧ୍ୱଂସ କରିଦିଆଯାଇଛି । ସୌନ୍ଦର୍ଯ୍ୟକରଣ ନାଁରେ ଏହିପରି କାର୍ଯ୍ୟ ଗ୍ରହଣୀୟ କି ନୁହେଁ, ସମାଜରେ ଭିନ୍ନ ମତ ରହିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସି ଗୁରୁ ନାନକ ଦେବ ହୁଅନ୍ତୁ କିମ୍ବା ଶ୍ରୀଚୈତନ୍ୟ ଯେଉଁ ମଠରେ ବାସ କରିଥିଲେ, ସେହି ପବିତ୍ର ସୌଧକୁ ଧ୍ୱଂସ କରିବା କେତେଦୂର ଠିକ୍? ପୁରାତନ ସୌଧ ଭାଙ୍ଗି ରାସ୍ତା ଉପରେ ଟାଇଲ ବିଛାଇ, ଆଲୋକୀକରଣ କରି କୃତ୍ରିମ ଗଛ ଲଗାଇବା କ’ଣ ଐତିହ୍ୟର ସୁରକ୍ଷା ବୋଲି ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି।