ସିଇଓଙ୍କ ନିକଟରେ ଫେରାଦ‌ ହେଲେ ବିଜେପି ଓ ବିଜେଡି

ଭୁବନେଶ୍ବର : ଧାମନଗର ଉପନିର୍ବାଚନକୁ ନେଇ ଆଜି ବିଜେପି ଓ ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ପରସ୍ପର ବିରୁଦ୍ଧରେ ଅଭିଯୋଗ କରିଛନ୍ତି।

ବିଜେପି ପ୍ରତିନିଧି ଦଳ ଅଭିଯୋଗ କରିଛି ଯେ ଏସ୍‌ଏଚ୍‌ଜି ମା’ମାନଙ୍କୁ ଢାଲ କରି ଧାମନଗର ନିର୍ବାଚନ ଜିତିବାକୁ ବିଜେଡି ହୀନ ଚକ୍ରାନ୍ତ କରୁଛି। ମା’ମାନଙ୍କୁ ସମ୍ମାନ ଦେବା ପରିବର୍ତ୍ତେ ତାଙ୍କୁ ନିର୍ବାଚନ ପ୍ରଚାର ଓ ଭୋଟରଙ୍କୁ ଟଙ୍କା ବାଣ୍ଟିବା ପାଇଁ ବ୍ୟବହାର କରୁଛି। ମା’କୁ ସମ୍ମାନ ଦେଉଥିବା କଥା ଡିଣ୍ଡିମ ପିଟୁଥିବାବେଳେ ଅପରାଧୀ ସଜାଇ ଜେଲ୍ ପଠାଇବାକୁ ବିଜେଡି ପଛାଉନାହିଁ। ସେହିପରି ବିଜେଡି ପାଇଁ ପ୍ରଚାର କରୁଥିବା ସରକାରୀ କର୍ମଚାରୀଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର କରାଯାଉ ବୋଲି ବିଜେପି ଦାବି କରିଛି।

ସେହିପରି ବିଜେଡିର ଏକ ପ୍ରତିନିଧି ଦଳ ସିିଇଓଙ୍କ ନିକଟରେ ଅଭିଯୋଗ କରିଛି ଯେ ଧାମନଗରରେ ବିଜେପି ବିପୁଳ ଭୋଟରେ ହାରିବ ବୋଲି ଅନୁଭବ କରିସାରିଲାଣି। ଯେଉଁଥିପାଇଁ ଆଇନ ଉଲ୍ଲଂଘନ କରୁଛି। ବିଜେଡିର ମହିଳା କ୍ୟାଡରଙ୍କୁ ଜାଣିଶୁଣି ଟାର୍ଗେଟ କରାଯାଉଛି। ଏସ୍‌ଏଚ୍‌ଜି ମହିଳାଙ୍କୁ ବଦନାମ କରିବାକୁ ବିଜେପି ବିଧିବଦ୍ଧ ଷଡ଼ଯନ୍ତ୍ର କରୁଛି। ବିଜେପି କର୍ମୀ ମୁହଁରେ ମାସ୍କ ଦେଇ ମିଛ ଭିଡ଼ିଓ କରୁଛନ୍ତି। ଏହାପରେ ବିଜେଡିର ବରିଷ୍ଠ ନାରୀ ନେତ୍ରୀଙ୍କୁ ଧମକାଉଛନ୍ତି ବୋଲି ଦଳ ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଛି।

ସମ୍ବନ୍ଧିତ ଖବର