ନିତି ଆୟୋଗ ରିପୋର୍ଟକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ

ସରକାର ପ୍ରଚାରରେ ମାତିଛି, ବିକାଶର ଚିତ୍ର ଭିନ୍ନ: ବିଜେପି
ରିପୋର୍ଟରେ ତଥ୍ୟ ଚୟନକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି

ଭୁବନେଶ୍ବର : ନିତି ଆୟୋଗର ଏସଡିଜି (ନିରନ୍ତର ବିକାଶ ଲକ୍ଷ୍ୟ) ରିପୋର୍ଟକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ପ୍ରସଙ୍ଗରେ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ଗତ ୨୨ ବର୍ଷ ଧରି ଓଡ଼ିଶାର ବିକାଶ ବିଷୟରେ ଶାସକ ବିଜେଡି ଯାହା ପ୍ରଚାର କରୁଛି ତାହା ସତ୍ୟ ନୁହେଁ ଏବଂ ବିକାଶର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ଏସ୍‌ଡିଜି ରିପୋର୍ଟ ସ୍ପଷ୍ଟ କରୁଛି ଯେ ଓଡ଼ିଶା ବିକାଶ ଠାରୁ ବହୁ ଦୂରରେ ଅଛି ବୋଲି କହିଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଅନ୍ୟପକ୍ଷରେ ରିପୋର୍ଟରେ ତଥ୍ୟ ଚୟନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ମୁଖପାତ୍ର ତଥା ସାଂସଦ ଅମର ପଟ୍ଟନାୟକ। କହିଛନ୍ତି ଯେ ଏହାକୁ ନେଇ ରାଜନୀତି କରିବା ଦୁର୍ଭାଗ୍ୟଜନକ। ରିପୋର୍ଟକୁ ଉପର ଠାଉରିଆ ଭାବେ ପଢ଼ି ମନ୍ତବ୍ୟ ଦେବା ପରିପକ୍ବତାର ଅଭାବ।

ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ ଏସ୍‌ଡିଜି ମାନ୍ୟତାରେ ଓଡ଼ିଶାର ସ୍ଥାନ ୧୫ ରୁ ୧୯ କୁ ପହଞ୍ଚିଛି, ଯାହାକି ନାଗାଲାଣ୍ଡ ଓ ଛତିଶଗଡ଼ ରାଜ୍ୟର ସମକ୍ଷକ। ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡ ଆଧାରରେ ଦେଶରେ ନିମ୍ନରୁ ୫ ନମ୍ବର ସ୍ଥାନରେ ଓଡ଼ିଶା ଅଛି। ଏହି ମାନଦଣ୍ଡଗୁଡ଼ିକ ହେଲା ଦାରିଦ୍ର‌୍ୟ ଦୂରୀକରଣ, କ୍ଷୁଧାମୁକ୍ତି, ଉତ୍ତମ ସ୍ୱାସ୍ଥ୍ୟ ଓ ଜୀବନଧାରଣର ମାନ, ଉନ୍ନତ ମାନର ଶିକ୍ଷା, ଲିଙ୍ଗ ଭିତ୍ତିକ ସମାନତା ଏବଂ ଶାନ୍ତି, ନ୍ୟାୟ ଓ ସୁଦୃଢ଼ ଅନୁଷ୍ଠାନ। ଦାରିଦ୍ରୢ ଦୂରୀକରଣରେ ଓଡ଼ିଶା ତଳ ଆଡ଼ୁ ତୃତୀୟ ସ୍ଥାନରେ ଅଛି। ସମୁଦାୟ ଜନସଂଖ୍ୟାର ୩୩% ଜାତୀୟ ଦାରିଦ୍ର‌୍ୟ ସୀମାରେଖା ତଳେ ରହିଛନ୍ତି। ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ଏହି ସଂଖ୍ୟା ୯.୨% ରହିଛି। ସେହିପରି ଓଡ଼ିଶାରେ ୧୪.୨% କଚ୍ଚା ଘର ଅଛି, ଏହି ସଂଖ୍ୟା ପଡୋଶୀ ପଶ୍ଚିମବଙ୍ଗରେ ମାତ୍ର ୬%। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ଲକ୍ଷ ଲକ୍ଷ ପକ୍କା ଘର ଆବଣ୍ଟନ କରୁଛନ୍ତି। ମାତ୍ର ତାହା କାହିଁକି ପ୍ରତିଫଳିତ ହେଉ ନାହିଁ? କ୍ଷୁଧାମୁକ୍ତ ରାଜ୍ୟ ତାଲିକାରେ ଦେଶର ୨୮ଟି ରାଜ୍ୟ ମଧ୍ୟରେ ଓଡ଼ିଶାର ସ୍ଥାନ ତଳ ଆଡ଼ୁ ୬ ନମ୍ବର ସ୍ଥାନରେ ଅଛି। ରାଜ୍ୟର ୪୮% ମହିଳା ରକ୍ତହୀନତାର ଶିକାର ହେଉଥିବା ବେଳେ ୫ ବର୍ଷରୁ କମ୍ ବୟସରେ ଶିଶୁଙ୍କ କ୍ଷେତ୍ରରେ ୨୯% ଅପପୁଷ୍ଟିର ଶିକାର ହେଉଛନ୍ତି। ଉନ୍ନତମାନର ଶିକ୍ଷା ପ୍ରଦାନ କ୍ଷେତ୍ରରେ ୨୮ ଟି ରାଜ୍ୟ ମଧ୍ୟରୁ ଓଡ଼ିଶା ତଳ ଆଡ଼ୁ ୬ ନମ୍ବର ସ୍ଥାନରେ ରହିଛି। ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଯୋଜନା ମାଧ୍ୟମରେ ହଜାର ହଜାର କୋଟି ଟଙ୍କା ଯୋଗାଇ ଦିଆଯାଉଥିବା ବେଳେ ରାଜ୍ୟରେ ବିଦ୍ୟାଳୟଗୁଡ଼ିକର ମୈାଳିକ ଭିତ୍ତିଭୂମି ପ୍ରସ୍ତୁତ ହୋଇପାରୁ ନାହିଁ। ଲିଙ୍ଗଗତ ସମାନତା କ୍ଷେତ୍ରରେ ଓଡ଼ିଶାର ସ୍ଥାନ ତଳ ଆଡ଼ୁ ୧୧ ନମ୍ବରରେ ଅଛି। ଓଡ଼ିଶାରେ ମହିଳା ବିରୋଧୀ ହିଂସା କ୍ଷେତ୍ରରେ ପରିସ୍ଥିତି ଖରାପରୁ ଖରାପ ପରିସ୍ଥିତିରେ ପହଞ୍ଚିଛି। ଅର୍ଥନୈତିକ ବିକାଶ ଓ ରୋଜଗାରର ବାତାବରଣରେ ଓଡ଼ିଶା ତଳ ଆଡ଼ୁ ଦ୍ବିତୀୟ ସ୍ଥାନରେ ରହିଛି। ଆୟ ବିଷମତା ଓଡ଼ିଶାରେ କ୍ରମାଗତ ବୃଦ୍ଧି ପାଇ ଚାଲିଛି। ଭୁବନେଶ୍ୱର ଓ କଟକର ବିକାଶର ମାନଚିତ୍ର ଓଡ଼ିଶାର ସମଗ୍ର ବିକାଶ ସ୍ଥିତି ନୁହେଁ। ଓଡ଼ିଶାର ଦୂରଦୂରାନ୍ତ ଗ୍ରାମାଞ୍ଚଳର ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଇଜ୍ ଅଫ୍ ଡୁଇଙ୍ଗ ବିଜ୍‌ନେସ୍‌ରେ ଆମେ ଶୂନ୍ କାହିଁକି? ସମଗ୍ର ଦେଶରେ ଆମ ସ୍ଥାନ ୧୨ରୁ ୧୪କୁ କାହିଁକି ହୋଇଛି ? ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡ କ୍ଷେତ୍ରରେ ଯୁବକ ଓ ଗରିବଙ୍କ ଉନ୍ନତି ପାଇଁ ଶାସକ ବିଜେଡି ରାଜ୍ୟରେ ଗତ ୨୨ ବର୍ଷ ମଧ୍ୟରେ କ’ଣ କରିଛନ୍ତି, ସେ ନେଇ ରିପୋର୍ଟ ପ୍ରକାଶ କରିବାକୁ ଶ୍ରୀମତୀ ଷଡଙ୍ଗୀ ଦାବି କରିଛନ୍ତି। ବିଜେଡି ସରକାର ସତ୍ୟକୁ ସର୍ବଦା ଲୁଚାଇ ଶାସନ କ୍ଷେତ୍ରରେ ଅତି ଉତ୍ତମ ଏବଂ ଏଠାରେ ବିଶ୍ୱସ୍ତରୀୟ ପ୍ରକଳ୍ପମାନ ହେଉଛି ବୋଲି ମିଥ୍ୟା ପ୍ରଚାର କରି ଆସୁଛି ବୋଲି ସେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ବିଜେଡି ସାଂସଦ ଅମର ପଟ୍ଟନାୟକ ନିତି ଆୟୋଗ ପକ୍ଷରୁ ତଥ୍ୟ ଗ୍ରହଣର ପ୍ରକିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଏସ୍‌ଡିଜି ରିପୋର୍ଟ ଅନୁଯାୟୀ ଓଡ଼ିଶା ଦୁଇ ବର୍ଷ ମଧ୍ୟରେ ୨୨ତମ ସ୍ଥାନରୁ ଉତ୍ତୀର୍ଣ୍ଣ ହୋଇ ଭାରତବର୍ଷରେ ୧୯ତମ ସ୍ଥାନରେ ପହଞ୍ଚିଛି। ରିପୋର୍ଟରେ କେନ୍ଦ୍ର ସରକାରଙ୍କ ଯୋଜନାକୁ ଆଖି ବୁଜି ଅଧିକ ନମ୍ବର ଦିଆଯାଇଥିବା ବେଳେ, ଓଡ଼ିଶାର ମିସନ ଶକ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ମମତା ଯୋଜନା ଭଳି ଅତି ସଫଳ ଓ ଜନପ୍ରିୟ ଯୋଜନାକୁ ମୂଲ୍ୟାୟନରେ ସମ୍ପୂର୍ଣ ଅଣଦେଖା କରାଯାଇଛି। ଏସ୍‌ଡିଜି କେନ୍ଦ୍ର ଓ ରାଜ୍ୟ ସ୍ତରରେ ନ ରହି ପଞ୍ଚାୟତକୁ ଗଲେ ଠିକ ତଥ୍ୟ ଜଣାପଡ଼ିବ ଓ ମାନ ବଢ଼ିବ। ଶିଳ୍ପାୟନ କ୍ଷେତ୍ରରେ ଓଡିଶାକୁ ୨୦୧୯ରେ ୯୨ ପ୍ରତିଶତ ନମ୍ବର ଦିଆଯାଇଥିବା ବେଳେ ଏ ବର୍ଷ ଶୂନ ଦିଆହୋଇଛି। ୨୦୨୦ରେ ସମଗ୍ର ଦେଶରେ ଶିଳ୍ପାୟନ କ୍ଷେତ୍ରରେ ପୁଞ୍ଜି ବିନିଯୋଗରେ ଓଡିଶା ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା ବେଳେ ସେହି ବର୍ଷ କାହିଁକି ଶୂନ ମାର୍କ ଦିଆଗଲା? ଓଡ଼ିଶାରେ ବ୍ୟାଙ୍କ ସେବା ଏବେ ବି ଗ୍ରାମାଞ୍ଚଳରେ ପହଞ୍ଚିପାରି ନାହିଁ। କିନ୍ତୁ ଏହି ରିପୋର୍ଟରେ ଓଡ଼ିଶାରେ ବ୍ୟାଙ୍କ ସେବାକୁ ୯୯% ନମ୍ବର ଦିଆଯାଇଛି। ଏହି ପ୍ରସଙ୍ଗରେ ବିଜେପି ନେତ୍ରୀ ଆଜି ତାଙ୍କର ସାମ୍ବାଦିକ ସମ୍ମିଳନୀରେ ମୁହଁ ଖୋଲିନାହାନ୍ତି। ରେଳବାଇ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହୋଇଥିଲା ବେଳେ ଏହି ରିପୋର୍ଟରେ ତାହାର ଉଲ୍ଲେଖ ନାହିଁ। ସ୍ୱାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାର ୬ଟି ଜିଲ୍ଲାରେ ରେଳ ସେବା ପହଞ୍ଚି ପାରିନାହିଁ। ହେଲେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ରିପୋର୍ଟରେ ସ୍ଥାନ ଦିଆଯାଇ ନାହିଁ। ଓଡ଼ିଶାରେ ମୋବାଇଲ ଓ ଇଣ୍ଟରନେଟ୍‍ ସେବା ଦୁର୍ଗମ ଅଞ୍ଚଳମାନଙ୍କରେ ଏବେ ବି ଅପହଞ୍ଚ। କିନ୍ତୁ ଏହି ରିପୋର୍ଟରେ ୨୦୧୯ରେ ଇଣ୍ଟରନେଟ୍‍ ସଂଯୋଗକୁ ୧୨୩ % ନମ୍ବର ଦିଆଯାଇ ଥିବା ବେଳେ ୨୦୨୦ରେ ଅତି ଆକସ୍ମିକ ଭାବରେ ୪୪%କୁ ଖସାଇ ଦିଆଯାଇଛି। ଏହି ପ୍ରକାର ଭାବରେ ଏସ୍‌ଡିଜି ରିପୋର୍ଟକୁ ନେଇ ଆଜି ଶ୍ରୀମତୀ ଷଡ଼ଙ୍ଗୀ ଯାହା ସବୁ ଦର୍ଶାଇଛନ୍ତି ତାହା ‘ସବୁ ଡାହା ଗପ’ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ବିଜେଡି ସାଂସଦ ଆହୁରି କହିଛନ୍ତି ଯେ କୋଭିଡ ଟିକା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ନଜର ହଟେଇବାକୁ ଶ୍ରୀମତୀ ଷଡ଼ଙ୍ଗୀ ଅପଚେଷ୍ଟା କରିଥିଲେ ବି ଏଥିରେ ଅସଫଳ ହୋଇଛନ୍ତି। ଆଜି ଯେତେବେଳେ ଭାରତବର୍ଷର ଛାତ୍ରଛାତ୍ରୀମାନେ କୋଭାକ୍‌ସିନ ଟିକା ନେଲା ପରେ ମଧ୍ୟ ଅନ୍ୟ ରାଷ୍ଟ୍ରମାନେ ଏହି ଟିକାକୁ ଅଗ୍ରାହ୍ୟ କରୁଛନ୍ତି ଓ ଭାରତୀୟ ଛାତ୍ରଛାତ୍ରୀଙ୍କର ବିଦେଶରେ ଥିବା ବିଶ୍ୱବିଦ୍ୟାଳୟମାନଙ୍କରେ ଯୋଗ ଦେବାରେ ଅସୁବିଧା ଉପୁଜୁଛି, ସେତେବେଳେ ଏହି ପ୍ରକାରର ପ୍ରସଙ୍ଗ ଏବଂ ଦ୍ରୁତ ଟିକାକରଣ ଉପରେ ଜୋର୍‌ ଦେବା ବଦଳରେ ଏକ ରିପୋର୍ଟକୁ ନେଇ ବିଜେପି ରାଜନୀତି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ସମ୍ବନ୍ଧିତ ଖବର