ଚାଷୀଙ୍କୁ ବୋକା ବନାଉଛନ୍ତି ସରକାର: ବିଜେପି

ଭୂତଳ ଜଳ ସଂରକ୍ଷଣ ପ୍ରସଙ୍ଗ

ଭୁବନେଶ୍ୱର : ଭୂତଳ ଜଳ ସଂରକ୍ଷଣ ପ୍ରକଳ୍ପ ପାଇଁ ଗତକାଲି ନାବାର୍ଡ ସହ ରାଜ୍ୟ ସରକାର ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। ଏହା ଦ୍ୱାରା ଚାଷୀଙ୍କୁ ଜଳସେଚନ ସୁବିଧା ମିଳିପାରିବ ବୋଲି ସରକାର ଦର୍ଶାଇଥିଲେ। କିନ୍ତୁ ବିଜେପି ଏହାକୁ ସମାଲୋଚନା କରିଛି। ୧୮ ବର୍ଷର ଶାସନ କାଳରେ ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ହାତରେ ଜଳସମ୍ପଦ ବିଭାଗ ଥିଲେ ବି ଜଳସେଚନ ବ୍ୟବସ୍ଥା ଆଶାନୁରୂପକ ହୋଇପାରି ନାହିଁ। ଏବେ ପୁଣି ଚାଷୀଙ୍କୁ ବୋକା ବନାଇବା ପାଇଁ ସରକାର ଆଉ ଏକ ମିଛ କାହାଣୀର ଆଶ୍ରୟ ନେଇଛନ୍ତି ବୋଲି ଦଳ ଅଭିଯୋଗ କରିଛି।

ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପସଭାପତି ସମୀର ମହାନ୍ତି କହିଲେ, ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ ଓଡ଼ିଶାରେ ମୋଟ ଚାଷ ଜମିର ପରିମାଣ ମାତ୍ର ୬୮.୮୩ ଲକ୍ଷ ହେକ୍ଟର। ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ମାଧ୍ୟମରେ ୨୦୦୦ ମସିହା ସୁଦ୍ଧା ମାତ୍ର ୧୧.୫୭ ଲକ୍ଷ ହେକ୍ଟର ଜଳସେଚନ ସୁବିଧା ଯୋଗାଇ ଦିଆଯାଇଥିଲା। ୨୦୧୭ ମସିହା ସୁଦ୍ଧା ବୃହତ, ମଧ୍ୟମ ଜଳସେଚନ ପ୍ରକଳ୍ପ ଦ୍ୱାରା ମାତ୍ର ୧୪.୦୨ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଉପଲବ୍ଧ ହେଲା ବୋଲି ସରକାର କହିଛନ୍ତି। ଅର୍ଥାତ ୧୭ ବର୍ଷରେ ମାତ୍ର ୨.୪୫ ଲକ୍ଷ ହେକ୍ଟର ଚାଷଜମି ଅର୍ଥାତ ମୋଟ୍‌ ଚାଷ ଜମିର ୪ ପ୍ରତିଶତ ଜଳସେଚିତ ହୋଇଛି। ଜଳସେଚନ କ୍ଷେତ୍ରରେ ଏହା ହେଉଛି ବିଜେଡି ସରକାରର ସଫଳତା। ୨୦୦୦ ରୁ ୨୦୧୪ ମସିହା ମଧ୍ୟରେ ଶାସକ ବିଜେଡି ନିଜ ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିଥିଲେ ଆଜି ରାଜ୍ୟର ଅତି କମ୍‌ରେ ୯୦ ପ୍ରତିଶତରୁ ଅଧିକ ଚାଷ ଜମି ଜଳସେଚିତ ହୋଇପାରିଥା’ନ୍ତା। ଶ୍ରୀ ମହାନ୍ତି ଆହୁରି କହିଲେ, ବୃହତ, ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ବିସ୍ତାରରେ ବିଫଳ ରାଜ୍ୟ ସରକାର ଉଠା ଜଳସେଚନ ନାଁରେ ମିଥ୍ୟା ତଥ୍ୟ ଦେଇ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଛନ୍ତି। ଯଦି ଉଠା ଜଳସେଚନ ସଫଳ ହୋଇଥା’ନ୍ତା, ତା’ହେଲେ ବରଗଡ଼ର ଚାଷୀ ଖଇନୁ ବଗର୍ତ୍ତୀ ‘ଲୋ ଭୋଲ୍‌ଟେଜ୍‌’ କାରଣରୁ ପାଣି ନ ଉଠିବାରୁ ଫସଲ ନଷ୍ଟ ପରେ ଆତ୍ମହତ୍ୟା କରି ନ ଥା’ନ୍ତା। ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସମ୍ପାଦକ ଦିଲ୍ଲୀପ ମଲ୍ଲିକ ଉପସ୍ଥିତ ଥିଲେ।

ରାଜ୍ୟର ପ୍ରଗତିକୁ ବିରୋଧୀ ସହିପାରୁ ନାହାନ୍ତି: ବିଜେଡି

ଭୁବନେଶ୍ୱର : ଜଳସେଚନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେପି ଟାର୍ଗେଟ୍‌ କଲା ପରେ ତାହାର ଜବାବ ଦେଇଛି ବିଜେଡି। ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଓଡ଼ିଶାରେ ଜଳସେଚନର ବିକାଶ ଦ୍ରୁତ ଗତିରେ ଆଗେଇ ଚାଲିଛି। ବିଗତ ୧୮ ବର୍ଷରେ ପାଖାପାଖି ୧୫ ଲକ୍ଷ ହେକ୍ଟର ଜମି ଜଳସେଚିତ ହୋଇଛି। ୨୦୦୦ ମସିହାରେ ୨୪.୮୭ ଲକ୍ଷ ହେକ୍ଟର ଜମିରେ ଜଳସେଚନ ବ୍ୟବସ୍ଥା ଥିଲା ବେଳେ ତାହା ବୃଦ୍ଧି ପାଇ ୨୦୧୭ ମାର୍ଚ୍ଚ ସୁଦ୍ଧା ୩୮.୧୬ ଲକ୍ଷ ହେକ୍ଟରରେ ପହଞ୍ଚିଥିଲା। ଏବେ ତାହା ପାଖାପାଖି ୪୦ ଲକ୍ଷ ହେକ୍ଟରରେ ପହଞ୍ଚିଛି। ୨୦୦୦ ମସିହାରେ ଓଡ଼ିଶା ବଜେଟ୍‌ରେ ଜଳସେଚନ ପାଇଁ କେବଳ ୮୫୦ କୋଟି ଟଙ୍କା ଥିଲା ବେଳେ ଆଜି ତାହା ବୃଦ୍ଧି ପାଇ ୧୦,୨୦୦ କୋଟି ଟଙ୍କାରେ ପହଞ୍ଚିଛି। ଗତକାଲି ନାବାର୍ଡ ସହିତ ରାଜ୍ୟ ସରକାର ୧୦ ହଜାର ପୋଖରୀକୁ ପୁନରୁଦ୍ଧାର ପାଇଁ ଚୁକ୍ତି କରିଛନ୍ତି। ଆସନ୍ତା ୫ ବର୍ଷ ମଧ୍ୟରେ ଜଳସେଚନ ପାଇଁ ୭୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହିସବୁ ପ୍ରଗତି ବିରୋଧୀ ଦଳ ସହିପାରୁ ନାହାନ୍ତି। ବିଜେପି ଅପ୍ରସଙ୍ଗକୁ ପ୍ରସଙ୍ଗ କରି ଉଦ୍ଦେଶ୍ୟମୂଳକ ଭାବେ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମକୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ ଓ ଚାଷୀକୂଳ ପ୍ରତି ଅସମ୍ମାନ ବୋଲି ଶ୍ରୀ ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର