ମାଲକାନଗିରି: ବିଜେପି ମାଲକାନଗିରି ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ମାଲକାନଗିରି ଓ ଚିତ୍ରକୋଣ୍ଡା ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଓ ବିଜେପିର ପ୍ରାର୍ଥୀ ଘୋଷଣା ହୋଇନାହିଁ। ମାଲକାନଗିରି ପାଇଁ ନରସିଂହ ମାଡକାମୀଙ୍କୁ ପ୍ରାର୍ଥୀ ଭାବେ ବିଜେପି ଘୋଷଣା କରିଥିବା ବେଳେ କଂଗ୍ରେସ ତରଫରୁ ମାଲା ମାଢି ପୁଣି ପ୍ରାର୍ଥୀ ହେଲେ।

Advertisment

ସେହିପରି କଂଗ୍ରେସ ତରଫରୁ ଚିତ୍ରକୋଣ୍ଡା ପାଇଁ ମଙ୍ଗୁ ଖିଲକୁ ଟିକଟ ପ୍ରଦାନ କରାଯାଇଛି। ଅନ୍ୟଦିଗରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ଆଶାୟୀଙ୍କ ସଂଖ୍ୟା ବଢୁଥିବାରୁ ବିଜେଡି ଓ ବିଜେପି ଦଳ କାହାକୁ ଟିକଟ ଦେବ ସେନେଇ ଦ୍ବନ୍ଦରେ ରହିଛି। ଗତ କିଛି ଦିନ ତଳେ ବିଜେଡିର ପୂର୍ବତନ ବିଧାୟକ ଡମ୍ବରୁ ଶିଶା ବିଜେପିରେ ଯୋଗ ଦେଇଥିବା ବେଳେ ହୁଏତ ସେ ଟିକଟ ପାଇପାରନ୍ତି ବୋଲି ଆଲୋଚନା ଜୋର ଧରିଥିବା ବେଳେ ଦଳ ନୂଆଁ ମୁହଁକୁ ଟିକଟ ଦେଉଛି ନା ପୁରୁଣା ମୁହଁ ସହ ପୁଣି ମଇଦାନକୁ ଓହ୍ଲାଉଛି ଦେଖିବାକୁ ବାକି ରହିଲା। ବିଜେଡିରେ ମଧ୍ୟ ଗୋଷ୍ଠୀ କନ୍ଦଳ ଯୋଗୁଁ କିଏ ଟିକଟ ପାଇବ ତାହା ସ୍ପଷ୍ଟ ହୋଇପାରୁ ନାହିଁ।କିଛି ଗୋଷ୍ଠୀ ଲକ୍ଷ୍ମୀପ୍ରିୟାକୁ ବିରୋଧ କରୁଥିବା ବେଳେ କିଛି ଗୋଷ୍ଠୀ ବାକା ପରିବାରକୁ ବିରୋଧ କରୁଛନ୍ତି। ତେଣୁ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ପାଇଁ ଦୁଇ ଦଳ ନିଜର ପ୍ରାର୍ଥୀ ଘୋଷଣା କରିପାରୁ ନାହାନ୍ତି। କଂଗ୍ରେସ ଚିତ୍ରକୋଣ୍ଡା ପାଇଁ ମଙ୍ଗୁ ଖିଲକୁକ ଟିକଟ ଦେବା ପରେ ଆଶାୟୀ ଭାବେ ପ୍ରଥମ ଦାବିଦାର ଥିବା ଶରତ ବୁରୁଦା ଏବେ କଣ କରିବେ ତାହା ଦେଖିବାକୁ ବାକି ରହିଲା।ସେ ଦଳରେ ରହିବେ ନା ଦଳ ଛାଡିବେ ତାକୁ ନେଇ ଆଲୋଚନା ଜୋର ଧରିଛି।ଦୁଇ ପ୍ରମୁଖ ଦଳରେ ଆଶାୟୀଙ୍କ ସଂଖ୍ୟା ଲମ୍ବାଧାଡି ରହିଥିବାରୁ ତିନି ଦଳ ଏବେ ହରଡଘଣାରେ ପଡିଛନ୍ତି।

ବିଜେପି ମାଲକାନଗିରି ପ୍ରାର୍ଥୀ ଘୋଷଣା ପରେ ନରସିଂହ ଗଣମାଧ୍ୟମକୁ ଭେଟି ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ରହିଥିବା ସଂଯୋଗୀକରଣକୁ ପ୍ରାଧାନ୍ୟ ଦେବେ ବୋଲି କହିଥିଲେ। ବିଶେଷକରି ଗାଁ ଗାଁକୁ ରାସ୍ତା, ରେଳପଥ ମାଲକାନଗିରିକୁ ଆଣିବା, ଡିଜିଟାଲ ସେବାର ସଂଯୋଗୀକରଣ କରିବା ଭଳି କାମକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି। ନରସିଂହ ମାଲକାନଗିରି ବ୍ଲକର ପେଡାକୋଣ୍ଡା ନିବାସୀ ଅଟନ୍ତି। ସେ ବର୍ତ୍ତମାନ ଜିଲ୍ଲାର ଏସଟି ମୋର୍ଚ୍ଚାର ଜିଲ୍ଲା ସାଧାରଣ ସଂପାଦକ ଥିଲେ। ମାଲକାନଗିରି ପାଇଁ କଂଗ୍ରେସ ପ୍ରାର୍ଥୀ ମାଲା ମାଢି ଗତ ଦୁଇ ଦୁଇ ଥର ପ୍ରାର୍ଥୀ ହୋଇ ପରାଜିତ ହୋଇଛନ୍ତି। ମାଲକାନଗିରି ନିର୍ବାଚନ ମଣ୍ଡଳଈରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ହେବା ପରେ ଏଥର କଡା ଟକ୍କର ହେବ ବୋଲି କୁହାଯାଇଛି। ପ୍ରକାଶ ଥାଉକି ଗତ କିଛି ଦିନ ତଳେ ବିଜେଡିର ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି ବିଜେପିରେ ଯୋଗ ଦେଇଥିବା ବେଳେ ତାଂକୁ ଟିକଟ ମିଳିବ ବୋଲି ଯେଉଁ ଆଲୋଚନା ଚାଲିଥିଲା ତାହା ଆଜି ଥମିଯାଇଛି।