ବିଜେପୁର ଉପନିର୍ବାଚନ : ବିନା ପ୍ରସଙ୍ଗରେ ଲଢ଼ି କ୍ଷତିରେ ବିଜେପି, କଂଗ୍ରେସ

ଚଉଦ ନିର୍ବାଚନଠାରୁ ବିଜେଡି ବଢ଼ିଲା ଅଢ଼େଇଗୁଣ, କଂଗ୍ରେସ ଖସିଲା ୧୦ ଭାଗକୁ, ବିଜେପିର ପୂର୍ବସ୍ଥିତି

ସମ୍ବଲପୁର/ବରଗଡ଼ : ବିଜେପୁର ଉପନିର୍ବାଚନରେ ବିଜେଡି ଜିତିବ ବୋଲି ସମସ୍ତେ ଭାବୁଥିଲେ। କିନ୍ତୁ ବିଜୟ ବ୍ୟବଧାନ ଏଭଳି ରେକର୍ଡ ସ୍ତରକୁ ଯିବ ବୋଲି ଅନେକ ହୁଏତ କଳ୍ପନା ବି କରି ନଥିଲେ। ବିଜେଡିର ନିର୍ବାଚନ ପରିଚାଳନା ଓ ସୁଦୃଢ଼ ବ୍ୟୂହରଚନା ଏଥିଲାଗି ଦାୟୀ ହେଲା ବୋଲି କୁହାଯାଉଛି। ଲୋକଙ୍କୁ ବାରମ୍ବାର ବିକାଶର ଦ୍ବାହି ଦେଇ ବିଜେଡି ଭୋଟ ମାଗିଥିଲା। ମନ୍ତ୍ରୀ ଓ ନେତାମାନେ ସହରଠାରୁ ଗାଁ ପର୍ଯ୍ୟନ୍ତ ସବୁଆଡ଼ ଜଗିଥିଲେ। ଅନ୍ୟପକ୍ଷରେ ପ୍ରସଙ୍ଗବିହୀନ ହୋଇ ନିର୍ବାଚନକୁ ଓହ୍ଲାଇବା ବିଜେପି ଓ କଂଗ୍ରେସକୁ ମହଙ୍ଗା ପଡ଼ିଲା ବୋଲି କୁହାଯାଉଛି।

ଗତ ୨୦୧୪ ସାଧାରଣ ନିର୍ବାଚନଠାରୁ ଏପର୍ଯ୍ୟନ୍ତ ହୋଇସାରିଥିବା ଦୁଇଟି ସାଧାରଣ ନିର୍ବାଚନ ଓ ଦୁଇଟି ଉପନିର୍ବାଚନ ଫଳାଫଳକୁ ତର୍ଜମା କଲେ ବିଜେଡିର ‌େଭାଟ ଏଠାରେ ଲଗାତାର ଭାବେ ବଢ଼ି ଚାଲିଥିବା ଦେଖିବାକୁ ମିଳେ। ୨୦୧୪ ନିର୍ବାଚନରେ ଏଠାରେ ବିଜେଡି ପରାଜିତ ହୋଇଥିଲେ ବି ଦଳର ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ୫୨୮୩୨ ଭୋଟ ପାଇଥିଲେ ଯାହା ଥିଲା ମୋଟ ଭୋଟ୍‌ର ପ୍ରାୟ ୩୧.୯ ପ୍ରତିଶତ। ଅନ୍ୟପକ୍ଷରେ କଂଗ୍ରେସର ସୁବଳ ସାହୁ ୩୨.୧୫% ଭୋଟ (୫୩୨୯୦ ଖଣ୍ଡ) ପାଇ ବିଜୟୀ ହୋଇଥିଲେ। ବିଜେପିର ପ୍ରାର୍ଥୀ ଜୟଶଙ୍କର ପଟ୍ଟନାୟକ ୩୦ ହଜାର ଭୋଟ ପାଇଥିଲେ।

ସୁବଳଙ୍କ ପରଲୋକ ପରେ ୨୦୧୮ ମସିହାରେ ହୋଇଥିବା ଉପନିର୍ବାଚନ ବିଜେପୁର ଆସନର ରାଜନୀତିକୁ ଏପଟ ସେପଟ କରିଦେଲା। ଖୋଦ୍‌ ସୁବଳଙ୍କ ପତ୍ନୀ ରୀତା ସାହୁଙ୍କ ସମେତ ବହୁ ନେତାଙ୍କ ଦଳଡିଆଁ ଖେଳ ମଧ୍ୟରେ ହୋଇଥିବା ଏହି ଉପନିର୍ବାଚନ ନୂଆ ସମୀକରଣ ସୃଷ୍ଟି କଲା। ବିଜେଡି ଟିକଟରେ ନିର୍ବାଚନ ଲଢ଼ି ରୀତା ସାହୁ ଲକ୍ଷାଧିକ ଭୋଟ ପାଇଲେ ଓ ବିଜୟୀ ହେଲେ। ସୂଚନାଯୋଗ୍ୟ ସେତେବେଳେ ଉଭୟ ବିଜେଡି ଓ ବିଜେପି ବିକାଶକୁ ପ୍ରସଙ୍ଗ କରି ନିର୍ବାଚନ ଲଢ଼ିଥିଲେ। ରୀତା ସାହୁ ୧ ଲକ୍ଷ ଦୁଇ ହଜାର ୮୭୧ ଭୋଟ ପାଇ‌ ବି‌ଜେଡିର ଭୋଟ ହାରକୁ ୫୬.୬୧ ପ୍ରତିଶତରେ ପହଞ୍ଚାଇଲେ। ବିଜେପି ମଧ୍ୟ ଏଠାରେ ବେଶ୍‌ ଭଲ ପ୍ରଦର୍ଶନ କରିଥିଲା। ଦଳର ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ୬୦ ହଜାର ୯୩୯ ଭୋଟ ପାଇ ବିଜେପି ଭୋଟ ହାରକୁ ୩୩.୫୩ ପ୍ରତିଶତକୁ ନେଇ ଯାଇଥିଲେ। କଂଗ୍ରେସର ଭୋଟ ହାର କିନ୍ତୁ ନିରାଶାଜନକ ଭାବେ ୫. ୬୫ ପ୍ରତିଶତକୁ ଖସି ଆସିଥିଲା। ଦଳର ପ୍ରାର୍ଥୀ ପ୍ରଣୟ କୁମାର ସାହୁ ମାତ୍ର ୧୦ ହଜାର ୨୭୪ ଭୋଟ ହାତେଇବାକୁ ସମର୍ଥ ହୋଇଥିଲେ।

ଏହାର ମାତ୍ର ବର୍ଷକ ପରେ ହୋଇଥିବା ସାଧାରଣ ନିର୍ବାଚନରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରୁ ବିଜେଡି ପ୍ରାର୍ଥୀ ହେବା ପଶ୍ଚିମ ଓଡ଼ିଶାରେ ହଇଚଇ ସୃଷ୍ଟି କରିଥିଲା। ଅଞ୍ଚଳର ବିକାଶ ପାଇଁ ପ୍ରକଳ୍ପ‌ ଘୋଷଣାର ସୁଅ ଛୁଟିଥିଲା। ମୁଖ୍ୟମନ୍ତ୍ରୀ ଏଠାରୁ ୧ ଲକ୍ଷ ୧୦ ହଜାର ୬୦୪ ଖଣ୍ଡ ଭୋଟ ପାଇବା ସହ ବିପୁଳ ବିଜୟ ଲାଭ କଲେ। ବିଜେଡିର ଭୋଟହାର ଥିଲା ପାଖାପାଖି ୬୦ ପ୍ରତିଶତ। ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ୫୩ ହଜାର ୪୮୨ ଭୋଟ ପାଇଲେ। ବିଜେପିର ଭୋଟ ହାର ପୂର୍ବ ଉପନିର୍ବାଚନ ତୁଳନାରେ ହ୍ରାସ ପାଇ ୨୮.୯ ପ୍ରତିଶତରେ ରହିଲା। କଂଗ୍ରେସର ନିରାଶାଜନକ ପ୍ରଦର୍ଶନ ସତ୍ତ୍ବେ ପୂର୍ବାପେକ୍ଷା ସାମାନ୍ୟ ବଢ଼ିଲା। ଦଳର ପ୍ରାର୍ଥୀ ରିପୁନାଥ ସେଠ ୧୪, ୩୪୪ ଭୋଟ ପାଇ ସନ୍ତୁଷ୍ଟ ରହିଲେ।

ଏଥର ଉପନିର୍ବାଚନରେ କିନ୍ତୁ ରେକର୍ଡ ସୃଷ୍ଟି ହୋଇଛି। ବିଜେଡି ପ୍ରାର୍ଥୀ ରୀତା ସାହୁ ଏଥର ୧ ଲକ୍ଷ ୩୫ ହଜାରରୁ ଅଧିକ ଭୋଟ ପାଇ‌ଛନ୍ତି। ଏଥିସହ ସେ ଚଳିତ ବିଧାନସଭାରେ ସର୍ବାଧିକ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିବା ବିଧାୟିକାର ସମ୍ମାନ ବି ପ୍ରାପ୍ତ ହୋଇଛନ୍ତି। ବିଜେପୁରରେ ଦଳର ଭୋଟ୍‌ ହାର ୭୦ ପ୍ରତିଶତକୁ ଟପିଯାଇଛି। ଅନ୍ୟପକ୍ଷରେ ବିଜେପିର ଭୋଟ ଗତ ସାଧାରଣ ନିର୍ବାଚନଠାରୁ ମଧ୍ୟ କମି ଯାଇଛି। ଦଳର ପ୍ରାର୍ଥୀ ଶ୍ରୀ ଗଡ଼ତିଆ ଏଥର ମାତ୍ର ୩୭ ହଜାର ୯୫୫ ଭୋଟ ହାତେଇବାରେ ସକ୍ଷମ ହୋଇଛନ୍ତି। ବିଜେପି ନିଜର କିଛି ନିର୍ଦ୍ଦିଷ୍ଟ ବିକାଶ ଏଜେଣ୍ଡା ଆଣିବା ବଦଳରେ କେବଳ ନବୀନ ପଟ୍ଟନାୟକଙ୍କ ବିକାଶ ଏଜେଣ୍ଡାକୁ ସମାଲୋଚନା ଓ ପ୍ରଶ୍ନ କରିବା ବୋଧହୁଏ ବିଜେପୁରବାସୀଙ୍କୁ ପ୍ରଭାବିତ କରିପାରିଲା ନାହିଁ।

ସେହିପରି କଂଗ୍ରେସ ଦଳ ନିକଟରେ ମଧ୍ୟ ଏହି ଉପନିର୍ବାଚନ ଏକ ଔପଚାରିକତା ଭଳି ଥିଲା। ଦଳର ତୁଙ୍ଗ ଓ ବରିଷ୍ଠ ନେତାମାନେ ଆଗ୍ରହହୀନ ଭାବେ ପ୍ରଚାରକୁ ଆସିଥିବା ଭଳି ଲାଗିଥିଲା। ଫଳାଫଳ ମଧ୍ୟ ଏହା ପ୍ରମାଣିତ କରିଛି।

୨୦୧୪ରେ ବିଜେଡି ୩୧.୮୮ ପ୍ରତିଶତ ଭୋଟ ପାଇଥିଲା ବେଳେ ୨୦୧୯ ଉପନିର୍ବାଚନରେ ଏହା ପାଖାପାଖି ଅଢ଼େଇ ଗୁଣ ବୃଦ୍ଧି ପାଇ ୭୩.୮୭ ପ୍ରତିଶତରେ ପହଂଚିଛି। ଅନ୍ୟପକ୍ଷରେ ୨୦୧୪ରେ ୩୨.୧୫ ପ୍ରତିଶତ ଭୋଟ ପାଇ କଂଗ୍ରେସ ଏହି ଆସନ ଅକ୍ତିଆର କରିଥିବା ବେଳେ ୨୦୧୯ ଉପନିର୍ବାଚନରେ ଏହା ପ୍ରାୟ ୧୦ ଗୁଣ ହ୍ରାସ ପାଇ ୩.୧୯କୁ ପହଂଚି ପ୍ରାୟ ମୂଳପୋଛ ହୋଇଯାଇଛି। ସେହିପରି ବିଜେପି ଯେତିକି ବଢ଼ିଥିଲା ଏବେ ସେତିକି ଛିଡ଼ି ଯାଇଛି। ୨୦୧୪ରେ ଦଳ ୧୮.୦୧ ପ୍ରତିଶତ ଭୋଟ ପାଇଥିବା ବେଳେ ୨୦୧୯ ଉପନିର୍ବାଚନରେ ୨୦.୬୩ ପ୍ରତିଶତ ଭୋଟ ପାଇଛି।

ସମ୍ବନ୍ଧିତ ଖବର