ଭୁବନେଶ୍ବର: ପତ୍ନୀ ନିର୍ଯ୍ୟାତନା ଅଭିଯୋଗରେ ବିବାଦ ଭିତରେ ରହିଥିବା ଲୋକସଭା ସାଂସଦ ଅନୁଭବ ମହାନ୍ତିଙ୍କ ଇସ୍ତଫା ନେଇ ବିରୋଧୀ ଦାବି ଜୋର କରିଛନ୍ତି। ଆଜି ବିଜେପି ଓ କଂଗ୍ରେସ ଉଭୟ ପୃଥକ ସାମ୍ବାଦିକ ସମ୍ମିଳନୀ କରି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଓ ବିଜେଡିକୁ ଟାର୍ଗେଟ୍ କରିଛନ୍ତି। ଏହାସହିତ ସାଂସଦ ଶ୍ରୀ ମହାନ୍ତି ଯୁକ୍ତ ଦୁଇ ପାସ୍ କରି ନଥିବା ନେଇ କଂଗ୍ରେସ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ପ୍ରମାଣ ଦେଇଛି।
ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, କାହାର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ। କିନ୍ତୁ ଯେତେବେଳେ ସମାଜର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ନିଜେ ମହିଳା ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଘଟଣା ସାମନାକୁ ଆସିଛି ସେତେବେଳେ ସମ୍ପୃକ୍ତ ମହିଳାଙ୍କ ସୁରକ୍ଷା ଦୃଷ୍ଟିରୁ ଏହାର ଦୃଢ଼ ପ୍ରତିବାଦ କରାଯିବ। ବିଜେଡିର କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ତାଙ୍କ ପତ୍ନୀ ତଥା ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ତାରକା ବର୍ଷା ପ୍ରିୟଦର୍ଶିନୀ ଯେଉଁ ଅଭିଯୋଗ ଆଣିଛନ୍ତି, ତାକୁ ଦୃଷ୍ଟିରେ ରଖି ସାମ୍ବିଧାନିକ ପଦରେ ଥିବା ସାଂସଦ ଶ୍ରୀ ମହାନ୍ତି ତୁରନ୍ତ ତାଙ୍କ ପଦରୁ ଇସ୍ତଫା ଦେଇଦେବା ଉଚିତ୍। ସେ ଆହୁରି ଅଭିଯୋଗ କରି କହିଛନ୍ତି, ଘଟଣାକୁ ଅନୁଧ୍ୟାନ କଲେ ଜଣାପଡ଼ୁଛି ଶ୍ରୀ ମହାନ୍ତି ଘରୋଇ ଅତ୍ୟାଚାର ଓ ନିଜ ପତ୍ନୀଙ୍କୁ ଅତ୍ୟାଚାର ଦେବାରେ ଚରମ ସୀମା ଉଲଂଘନ କରିଛନ୍ତି। ରାଜ୍ୟର ମା ଓ ଭଉଣୀମାନଙ୍କୁ ସୁରକ୍ଷା ଯୋଗାଇ ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛିନ୍ତି। ଏହି ଘଟଣାଟି ସରକାରଙ୍କ ମହିଳା ବିରୋଧୀ ଆଭିମୁଖ୍ୟକୁ ସ୍ପଷ୍ଟ କରିଛି। ସରକାରଙ୍କ ଅପାରଗତା କାରଣରୁ ଯେପରି ରାଜ୍ୟରେ ବନ୍ୟା ଜଳ ମାଡ଼ିଯାଇ କ୍ଷୟକ୍ଷତି ଘଟାଇଛି ସେହିପରି ରାଜ୍ୟ ସରକାରଙ୍କ ଅପାରଗତା ଓ ପ୍ରତ୍ୟକ୍ଷ ପ୍ରୋତ୍ସାହନ କାରଣରୁ ମହିଳା ଅତ୍ୟାଚାର ଓ ହିଂସାର ବନ୍ୟାଜଳ ଶାସକ ବିଜେଡିର ଘର ଭିତରେ ପଶିଛି। ମା'କୁ ସମ୍ମାନ କଥା କହୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀରବଦ୍ରଷ୍ଟା ସାଜିବା ଅତ୍ୟନ୍ତ ଲଜ୍ଜାଜନକ। ଯଦି ଶ୍ରୀ ମହାନ୍ତିଙ୍କୁ ବିଜେଡିରୁ ବହିଷ୍କାର କରାନଯାଏ, ତାହେଲେ ମହିଳା ମୋର୍ଚ୍ଚା ଆଗାମୀ ଦିନରେ ରାଜ୍ୟବ୍ୟାପି ଆନ୍ଦୋଳନ କରିବ ବୋଲି ଶ୍ରୀମତୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଦଳୀୟ ମୁଖପାତ୍ର ସୋନାଲି ସାହୁ କହିଛନ୍ତି, ମହିଳାଙ୍କ ନ୍ୟାୟ ପାଇଁ 'ନିମ୍କି' ସାଜି ଯେଉଁ ବର୍ଷା ପ୍ରିୟଦର୍ଶିନୀ ନବୀନ ନିବାସକୁ ଯାଇ ଗୁହାରୀ କରିଥିଲେ ସେହି 'ନିମ୍କି' ଏବେ ନିଜ ପାଇଁ ନ୍ୟାୟ ଭିକ୍ଷା କରୁଛନ୍ତି।
ସମାନ ପ୍ରସଙ୍ଗରେ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଅଭିଯୋଗ କରି କହିଛନ୍ତି, କେନ୍ଦ୍ରାପଡ଼ା ସାଂସଦ ଶ୍ରୀ ମହାନ୍ତି କେତେବେଳେ ସାମ୍ବାଦିକମାନଙ୍କୁ ଦୁର୍ବ୍ୟବହାର କରିଛନ୍ତି ତ ଆଉ କେତେବେଳେ ମହିଳାମାନଙ୍କୁ ଅସଦାଚରଣ କରିଥିଲେ ବି ସରକାର ତାଙ୍କୁ ସୁରକ୍ଷା ଦେଇଆସିଛନ୍ତି। ଏବେ ତାଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ପ୍ରମାଣ ମିଳିଛି। ସୂଚନା ଅଧିକାର ଆଇନ ବଳରେ ଖ୍ରୀଷ୍ଟ କଲେଜ୍ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୦୦ ମସିହାରେ ସାଂସଦ ଶ୍ରୀ ମହାନ୍ତି ଯୁକ୍ତ ଦୁଇ ପରୀକ୍ଷା ଦେଇ ଫେଲ୍ ହୋଇଛନ୍ତି। ଶ୍ରୀ ଆହୁରି ଦର୍ଶାଇଛନ୍ତି, ଗତ ଫେବ୍ରୁଆରି ୩ ତାରିଖରେ ପିସିସି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ନିର୍ବାଚନ ସମୟରେ ନାମାଙ୍କନ ପତ୍ର ଦାଖଲ ବେଳେ କେନ୍ଦ୍ରାପଡ଼ା ସାଂସଦ କନ୍ଦରପୁର କଲେଜ୍ର ଯୁକ୍ତ ତିନି ବର୍ଷର ଛାତ୍ର ବୋଲି ଯାହା ତଥ୍ୟ ଦେଇଥିଲେ, ତାହା ଜାଲ୍ ବୋଲି ଦଳ ଦର୍ଶାଇଥିଲା। ଏପରି ଜଣେ ଉଦ୍ଧତ ବ୍ୟକ୍ତିକୁ ବାରମ୍ବାର ବିଜେଡି ମୁଖିଆ ଘଣ୍ଟ ଘୋଡ଼ାଉଥିବା ନେଇ ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି। ସ୍ବଚ୍ଛ ଶାସନର ଡିଣ୍ଡିମ ପିଟୁଥିବା ବିଜେଡି ସରକାରର ରାଜ୍ୟବାସୀଙ୍କ ପ୍ରତି ଯଦି ସମ୍ମାନ ଥାଏ, ତାହେଲେ ନିଜଆଡ଼ୁ ଦଳର ସୁପ୍ରିମୋ ଶ୍ରୀ ମହାନ୍ତିଙ୍କ ବିରୋଧରେ ରାଜନୈତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଜ୍ଞାନଦେବ ବେଉରା ଓ ଜିନେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।