‘ଆଶୀର୍ବାଦ’ ଝଡ଼: ସରକାରଙ୍କୁ ଟାର୍ଗେଟ୍‌ କଲେ ବିଜେପି, କଂଗ୍ରେସ

ପୁନଃ ଚାଲୁ ପାଇଁ ସୁପାରିସ କରିବ ଶିଶୁ ସୁରକ୍ଷା ଆୟୋଗ

ଭୁବନେଶ୍ବର : ଗତ ଜୁନ୍ ୨୦ତାରିଖରେ ମୁଖ୍ୟମନ୍ତ୍ରୀ କରୋନାରେ ବାପା ମା’ଙ୍କୁ ହରାଇଥିବା ପିଲାଙ୍କ ପାଇଁ ‘ଆଶୀର୍ବାଦ’ ଯୋଜନା ଘୋଷଣା କରିଥିଲେ। ଏପ୍ରିଲ ୧ତାରିଖରୁ ଏହା ଲାଗୁ ହେବ ବୋଲି କୁହାଯାଇଥିଲା। ହେଲେ ଯୋଜନା ଘୋଷଣା ହେବାର ୨ମାସ ୨୪ଦିନ ପରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାକୁ ବନ୍ଦ କରିବା ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇ ସାରିଲେଣି। ଏବେ ବି ହଜାର ହଜାର ଅନାଥ ପିଲା ଯୋଜନାରେ ସାମିଲ ହୋଇପାରି ନଥିବା ବେଳେ କେଉଁ କାରଣ ପାଇଁ ଏହି ଯୋଜନାକୁ ବନ୍ଦ କରି ଦିଆଗଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି। ବିଜେପି ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛି ।

ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ସରକାରଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, ସେପ୍ଟେମ୍ବର ୧୫ରୁ ଏହି ଯୋଜନା ବନ୍ଦ ହୋଇଗଲା। ଏଠାରେ ପ୍ରଶ୍ନ ଉଠୁଛି କରୋନାରେ ଆଉ କେହି ମୃତ୍ୟୁ କରୁନାହାନ୍ତି ନା କେହି ଅନାଥ ହେଉନାହାନ୍ତି? ଯଦି ଏଭଳି ସ୍ଥିତି ତେବେ ରାଜ୍ୟ ସରକାର ଘୋଷଣା କରନ୍ତୁ ଯେ ଓଡ଼ିଶା କରୋନା ମୁକ୍ତ ହୋଇଗଲା। ଏହିଭଳି କହି ରାଜ୍ୟ ସରକାରଙ୍କୁ ସେ କଟାକ୍ଷ କରିଛନ୍ତି। ଏଥିସହିତ, ସେପ୍ଟେମ୍ବର ୧୫ ପରେ ଯେଉଁ ବାପା ମା କରୋନାରେ ପ୍ରାଣ ହରାଉଛନ୍ତି ତାଙ୍କ ପିଲା କାହିଁକି ଏହି ଯୋଜନାରୁ ବଞ୍ଚିତ ହେବେ ଏ କଥା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ, ଆଜି ପର୍ଯ୍ୟନ୍ତ କେତେ ପିଲା ଉପକୃତ ‌େହାଇଛନ୍ତି ସେମାନଙ୍କର ସବିଶେଷ ତଥ୍ୟ ଦିଅନ୍ତୁ ବୋଲି ଦାବି କରିଛନ୍ତି।

ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସ ମୁଖପାତ୍ର ଦେବାଶିଷ ପଟ୍ଟନାୟକ କହିଲେ, ଏ ପର୍ଯ୍ୟନ୍ତ ୩୧ହଜାର ପିଲା ନିଜ ବାପାମାନଙ୍କୁ ହରାଇଥିବା ବେଳେ ମାତ୍ର ୧୦ହଜାର ପିଲାଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ୨୦ହଜାର ପିଲା ଏବେ ବି ଅପେକ୍ଷାରେ ରହିଛନ୍ତି। ମାତ୍ର ସରକାର ଆର୍ଥିକ ସଂକଟ ପାଇଁ ଏହି ନିଷ୍ପତ୍ତି ନେଉଥିବା କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ମନୋରଂଜନ ଦାଶ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ, ଆଶୀର୍ବାଦ ଯୋଜନା ପୁନଃ ଚାଲୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରିବ ଶିଶୁ ଅଧିକାର ସୁରକ୍ଷା ଆୟୋଗ। କେଉଁ କାରଣରୁ ଏହି ଯୋଜନା ବନ୍ଦ କରାଯାଇଛି, ସେ ସମ୍ପର୍କରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରାଯାଇ ଆବଶ୍ୟକ ସୁପାରିସ୍ କରାଯିବ ବୋଲି କହିଛନ୍ତି କମିସନ ଅଧ୍ୟକ୍ଷ ସନ୍ଧ୍ୟାବତୀ ପ୍ରଧାନ। ସେ କହିଛନ୍ତି, ଏହା ଏକ ଭଲ ଯୋଜନା ଓ ଏଥିରୁ ପିଲାମାନେ ଲାଭାନ୍ବିତ ହେଉଥିଲେ। ସେପ୍ଟେମ୍ବର ୧୫ ତାରିଖ ପରେ ଅଭିଭାବକ ଛେଉଣ୍ଡ ହେଉଥିବା ପିଲାମାନେ କୁଆଡ଼େ ଯିବେ? ତେଣୁ ଏହା ପୁନଃ କାର୍ଯ୍ୟକାରୀ କରାଗଲେ ଭଲ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର