ଜେଲ୍ ଗଲେ ବିଜେପି ଜିଲ୍ଲା ସଭାପତି: ସୁନ୍ଦରୀକାଣ୍ଡ‌ରେ ଗିରଫ ସଂଖ୍ୟା ୩୩କୁ ବୃଦ୍ଧି

ଫିଲ୍ମ ଷ୍ଟାଇଲରେ ଭାଗୀରଥିଙ୍କୁ ଧରିଲା ପୁଲିସ

ଅନୁଗୁଳ : ସାତକୋଶିଆ ଅଞ୍ଚଳରୁ ବାଘୁଣୀ ‘ସୁନ୍ଦରୀ’କୁ ହଟାଇବା ଦାବି ଏବଂ ଟାଇଁସି ଗାଁର ଚାଷୀ ତ୍ରିନାଥ ସାହୁଙ୍କ ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ‌ଉତ୍ତେଜନା, ପୁଲିସକୁ ଆକ୍ରମଣ ମାମଲରେ ଗିରଫଦାରୀ ଜାରି ରହିଛି। ପୁଲିସ ଆଜି ବିଜେପି ଜିଲ୍ଲା ସଭାପତି ଭାଗୀରଥି ପ୍ରଧାନ ଓ ତାଙ୍କ ଗାଡ଼ିଚାଳକ ବିପିନ ସାହୁଙ୍କୁ ଫିଲ୍ମ ଷ୍ଟାଇଲରେ ଭୁବନେଶ୍ବର ପାଖ ମେଣ୍ଢାଶାଳରୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ଜାମିନ ନ ହେବାରୁ ସେମାନଙ୍କ୍ୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଏହାସହିତ ଏହି ମାମଲାରେ ଗିରଫ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି।

ଗତ ୨୧ ତାରିଖରେ ବାଘୁଣୀ ଆକ୍ରମଣ‌ରେ ଟାଇଁସି ଗ୍ରାମର ତ୍ରିନାଥ ସାହୁଙ୍କ ମୃତ୍ୟୁ ହୋଇଥିଲା। ଯାହା ଫଳରେ ଉକ୍ତ ଦିନ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ମୁଣ୍ଡାସାହିଠାରେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ସନ୍ଧ୍ୟା ସମୟରେ ଉ‌େତ୍ତଜନା ଦେଖା ଦେବା ସହିତ ପୁଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ପୁଲିସକୁ ଆକ୍ରମଣ, ପୁଲିସ ଭ୍ୟାନ ଜଳାପୋଡ଼ା ଭଳି ଯେଉଁ ସବୁ ଅଭାବନୀୟ କାଣ୍ଡ ଘଟିଥିଲା, ସେଥ‌ିରେ ବିଜେପି ଜିଲ୍ଲା ସଭାପତି ଭାଗୀରଥି ପ୍ରଧାନ ଓ ଅନ୍ୟ କେତେକଙ୍କ ପ୍ରମୁଖ ଭୂମିକା ରହିଥିବା ନେଇ ପୁଲିସ ମାମଲା ରୁଜୁ କରିଛି। ଭାଗିରଥୀଙ୍କ ନାମରେ ମାମଲା ରୁଜୁ ହେବା ପରେ ଗିରଫଦାରୀକୁ ଏଡ଼ାଇବା ପାଇଁ ବିଜେପି ସାମ୍ବାଦିକ ସମ୍ମିଳନୀ ଡକାଇ ଆନ୍ଦୋଳନ କରିବାର ଧମକ ଦେଇଥିଲା। ଗତ ୨୬ ତାରିଖରେ ବିଜେପି ଜିଲ୍ଲା ସଭାପତି ଭାଗୀରଥି ପ୍ରଧାନ ମଧ୍ୟ ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀରେ ଗିରଫ କରାଗଲେ ଆନ୍ଦୋଳନ ତୀବ୍ର କରିବାକୁ ପୁଲିସକୁ ଚେତାବନୀ ‌ଦେଇଥିଲେ। ଅନୁୁଗୁଳ ଜିଲ୍ଲା ପୁଲିସ କିନ୍ତୁ ସେହିଦିନ ହିଁ ତାଙ୍କୁ ଧରିବା ପାଇଁ ୩ଟି ସ୍ବତନ୍ତ୍ର ଟିମ୍ ଗଠନ କରି ଭୁବନେଶ୍ବର ପଠାଇଥିଲା। ଆଉ ଏଥିପାଇଁ କମିସନରେଟ୍ ପୁଲିସର ସହାୟତା ଲୋଡ଼ିଥିଲା। ପ୍ରଥମେ ଭାଗିରଥୀଙ୍କ ଗାଡ଼ି ନମ୍ବର ସଂଗ୍ରହ କରିଥିଲା। ଆଉ ଛକ ଜାଗାମାନଙ୍କରେ ନିୟୋଜିତ ପୁଲିସ କର୍ମଚାରୀମାନଙ୍କୁ ଏହି ଗାଡ଼ି ଉପରେ ନଜର ରଖିବା ପାଇଁ କୁହାଯାଇଥିଲା।

ଶନିବାର ଦିନ ଭାଗୀରଥିଙ୍କ ପତ୍ନୀ ଗାଡ଼ିରେ ମନ୍ଦିର ଦର୍ଶନ ପାଇଁ ଆସିଥିବା ଜାଣିବା ପରେ ତାଙ୍କ ଗାଡ଼ିକୁ ପୁଲିସ ଟିମ୍ ପିଛା କରିଥିଲା। ମନ୍ଦିରରୁ ଫେରି ସେ ବଇଣ୍ଡାସ୍ଥିତ ଘର ଅଭିମୁଖେ ବାହାରିଥିଲେ। ପୁଲିସର ୨ଟି ଗାଡ଼ି ଆଗପଛ ହୋଇ ଏହି ଗାଡ଼ି ପିଛା କରିଥିଲେ। ଗାଡ଼ିଚାଳକ ବିପିନ ବଇଣ୍ଡାରେ ଭାଗିରଥୀଙ୍କ ପତ୍ନୀ ଓ ପିଲାମାନଙ୍କୁ ଛାଡ଼ି ଘରୁ ବାହାରିବା ପରେ ଛକି ରହିଥିବା ପୁଲିସ ଟିମ୍ ବିପିନଙ୍କୁ ଧରି ନେଇଥିଲା। ବିପିନକୁ ନେଇ ଭୁବନେଶ୍ବର ପାଖ ମେଣ୍ଢାଶାଳରେ ପହଂଚି ଥିଲା। ତେବେ ପୁଲିସ ଜଣେ ବିଜେପି ନେତାଙ୍କ ମୋବାଇଲ ଫୋନ୍ ଟ୍ରାକିଂ କରି ଭୁବନେଶ୍ବର ପାଖ ମେଣ୍ଢାଶାଳରେ ଭାଗିରଥୀ ରହୁଥିବା ତାଙ୍କର ଜଣେ ପରିଚିତ ବ୍ୟକ୍ତିଙ୍କ ଘରେ ପହଂଚିବାରେ ସକ୍ଷମ ହୋଇଥିଲା। ଆଜି ସକାଳେ ଭାଗିରଥୀ ଓ ବିପିନଙ୍କୁ ଅନୁଗୁଳ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରିଥିଲା। ଅପରପକ୍ଷରେ ଭାଗୀରଥିଙ୍କ ଗିରଫ ପ୍ରତିବାଦରେ ଅନୁଗୁଳ ବିଜେପି ପକ୍ଷରୁ ଏସପି ଅଫିସ ସମ୍ମୁଖରେ କୁଶପୁତ୍ତଳିକା ଦାହ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଗିରଫଦାରୀର ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର