ବିଜେଡି ଫର୍ମୁଲାକୁ ଆପଣାଇଲା ବିଜେପି : ୧୦ଟି ଲୋକସଭା କ୍ଷେତ୍ରରୁ ତିନୋଟି ଲୋକସଭା ଆସନରେ ମହିଳା ପ୍ରାର୍ଥୀଙ୍କୁ ଦେଲା ଟିକେଟ୍!

ଭୁବନେଶ୍ୱର : ଦୀର୍ଘ ଦିନର ଛକାପଞ୍ଝା ପରେ ବିଜେପି ଘୋଷଣା କଲା ପ୍ରଥମ ପର୍ଯ୍ୟାୟ ଲୋକସଭା ଆସନ ପ୍ରାର୍ଥୀ ତାଲିକା । ଆଉ ଏହି ତାଲିକାରେ ବିଜେପି ୧୦ଟି ଲୋକସଭା ଆସନ ଏବଂ ୯୯ଟି ବିଧାନସଭା କ୍ଷେତ୍ର ପାଇଁ ସିପାହୀ ବାଛିଛି । ତେବେ ବିଜେଡିକୁ କଡ଼ା ଟକ୍କର ଦେବା ପାଇଁ ବିଜେପି ମଧ୍ୟ ବିଜେଡି ସୁପ୍ରିମୋଙ୍କ ଲୋକସଭାରେ ୩୩ ପ୍ରତିଶତ ମହିଳା କାର୍ଡ଼ ଫର୍ମୁଲାକୁ ଅନୁସରଣ କରିଥିବା ଚର୍ଚ୍ଚା ହେଉଛି । ଯାହାର ଜ୍ୱଳନ୍ତ ଚିତ୍ର ବିଜେପିରୁ ୧୦ଟି ଲୋକସଭା ଆସନରେ ୩ ଜଣ ମହିଳାଙ୍କୁ ସଂସଦୀୟ କ୍ଷେତ୍ରରୁ ବାଛିବା ପରେ ଆଲୋଚନା ଜୋର ଧରିଛି।

ବିଜେପି ଗୋଳାମିଶା କରି ପ୍ରଥମ ପର୍ଯ୍ୟାୟରେ ଘୋଷଣା କରିଥିବା ୧୦ଟି ଲୋକସଭା କ୍ଷେତ୍ରରୁ ତିନୋଟି ଲୋକସଭା ଆସନରେ ମହିଳା ପ୍ରାର୍ଥୀଙ୍କୁ ବାଛିଛି । ସେମାନଙ୍କ ମଧ୍ୟରେ ରହିଛନ୍ତି- ବଲାଙ୍ଗୀର ଲୋକସଭା କ୍ଷେତ୍ର ପାଇଁ ସଂଗୀତା ସିଂହଦେଓ, ଆସିକା ପାଇଁ ଅନିତା ପ୍ରିଦର୍ଶିନୀ ଓ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ଅପରାଜିତା ଷଡ଼ଙ୍ଗୀଙ୍କୁ ଟିକେଟ୍ ଦେଇ ବିଜେଡି ଫର୍ମୁଲାକୁ ଆପଣାଇଛି ବିଜେପି । ଆଉ ଏହି ଗୋଟି ଚାଳନା ଶାସକ ବିଜେଡିକୁ ଚେକମେଟ୍ ଦେବା ପାଇଁ ବିଜେପି ଗୋଟି ଚାଳନା କରିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ସବୁଠାରୁ ରୋଚକ ବିଷୟ ହେଲା ଯେ, ଗତ ୧୭ ତାରିଖ ଦିନ ବିଜେଡି ଘୋଷଣା ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ମୋଟ୍ ୯ଟି ଲୋକସଭା ଆସନ ମଧ୍ୟରୁ ୩ ଜଣ ମହିଳାଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ସେହି ମର୍ମରେ ବଲାଙ୍ଗୀର ଲୋକସଭା ଆସନରୁ ଝିନ ହିକକାଙ୍କ ଧର୍ମପତ୍ନୀ କୌଶଲ୍ୟା ହିକକା, ଆସିକା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ପ୍ରମିଳା ବିଶୋୟୀ ଏବଂ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରୁ ସୁନୀତା ବିଶ୍ୱାଳଙ୍କୁ ସାଂସଦ ପ୍ରାର୍ଥୀ ପାଇଁ ଟିକେଟ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅପରପକ୍ଷେ ବିଜେପି ୪ଟି ପର୍ଯ୍ୟାୟକୁ ଗୋଳାମିଶା କରି ୧୦ଟି ଲୋକସଭା ଆସନରୁ ୩ ମହିଳାଙ୍କୁ ସାମ୍ନାକୁ ଆଣିଛି । ଏହା ଦର୍ଶାଉଛି ଯେ ବିଜେପି ମଧ୍ୟ ବିଜେଡି ଫର୍ମୁଲାକୁ ଆପଣାଇ ଚେକମେଟ୍ ଦେବାକୁ ରଣନୀତି କରିଛି ।

ଅନ୍ୟପଟେ ଚଳିତ ଲୋକସଭା ନିର୍ବାଚନରେ ମହିଳା ଭୋଟର ହାର ବୃଦ୍ଧି ପାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ମୁତାବକ ଚଳିତଥର ମୋଟ୍ ୧ କୋଟି ୫୪ ଲକ୍ଷ ୬୦ ହଜାର ୫୪୫ ଜଣ ମହିଳା ମତଦାନ ସାବ୍ୟସ୍ତ କରିବେ । ତେଣୁ ମହିଳା ଭୋଟରଙ୍କ ଉପରେ ଏବେ ସମସ୍ତ ଦଳର ନଜର ରହିଥିବାରୁ ବିଜେଡି ମହିଳା ପ୍ରାର୍ଥୀଙ୍କୁ ବେଶ୍ ଗୁରୁତ୍ୱ ଦେଇଥିବା ଆଲୋଚନା ହେଉଛି । ତେବେ ୨୦୧୯ ନିର୍ବାଚନ ବୈତରଣୀ ପାର ହେବା ପାଇଁ ‘ନାରୀ ଶକ୍ତି’ ଉପରେ ଉଭୟ ଦଳ ଗୁରୁତ୍ୱ ଦେଉଛନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ନେଇ ବିଭିନ୍ନ ସ୍ଥାନରେ ମିଶନ ଶକ୍ତି ସମାବେଶ କରିଥିବା ନବୀନ ଲୋକସଭାରେ ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ଦେବା ପାଇଁ ଘୋଷଣା କରିବା ପରେ ବିଜେପି ମଧ୍ୟ ବିଜେଡି ଫର୍ମୁଲାକୁ ଆପଣାଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର