କଟକ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରସଂଗକୁ ନେଇ ଭାରତୀୟ ଜନତା ପାର୍ଟି(ବିଜେପି) ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ପକ୍ଷରୁ ଏକ ରିଟ୍ ପିଟିସନ ଦାୟ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ଦାନସୂତ୍ରରେ ମିଳିଥିବା ସୁନା ଅଳଙ୍କାରରୁ ସାଢେ ୩ କିଲୋରୁ ଅଧିକ ସୁନା ଗାଏବ ହୋଇଯାଇଛି। ସିବିଆଇ ଦ୍ୱାରା ସୁନା ଗାୟବ ଘଟଣାର ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଜଣା ପଡିବ। ୧୯୮୩ ଅକ୍ଟୋବରରୁ ୨୦୧୮ ଜାନୁଆରି ମାସ ମଧ୍ୟରେ ହୁଣ୍ଡିରୁ ୧୮ କିଲୋ ୨୬୧ ଗ୍ରାମ ସୁନା ଅଳଙ୍କାର ମିଳିଥିଲା। ଭକ୍ତଙ୍କ ନିକଟରୁ ଦାନ ସୂତ୍ରରେ ମିଳିଥିବା ଏହି ସୁନାକୁ ରତ୍ନ ଭଣ୍ଡାରରେ ରଖାଯିବା କଥା। କିନ୍ତୁ ଏପରି କରାଯାଇ ନଥିଲା। ଏହି ସୁନାକୁ ଶ୍ରୀମନ୍ଦିର ପ୍ରଶାସନର ନାଜରଖାନାରେ ରଖାଯାଇଥିଲା। ଏ ସଂପର୍କରେ ଜଣା ପଡିବା ପରେ ୨୦୧୮, ଜୁନ୍ ୭ରେ ଶ୍ରୀମନ୍ଦିର ପ୍ରଶାସନ ୧୪ କିଲୋ ୫୬୦ ଗ୍ରାମ୍ ସୁନା ସ୍ଥାନୀୟ ଷ୍ଟେଟ୍ ବ୍ୟାଙ୍କ୍ରେ ନେଇ ରଖିବା ପାଇଁ ବ୍ୟବସ୍ଥା କରିଥିଲା। କିନ୍ତୁ ଅବଶିଷ୍ଟ ୩ କିଲୋ ୭ଶହ ଗ୍ରାମରୁ ଅଧିକ ସୁନା କୁଆଡେ ଗଲା ସେ ନେଇ କିଛି ସନ୍ତୋଷଜନକ ଉତ୍ତର ପ୍ରଶାସନ ଦେବାରେ ବିଫଳ ହୋଇଥିଲା। ଏ ନେଇ ରାଜ୍ୟ ବିଜେପି ପକ୍ଷରୁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। କିନ୍ତୁ କିଛି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ହୁଣ୍ଡିରୁ ମିଳୁଥିବା ସୁନା ଗହଣାକୁ କେଉଁ ପରିସ୍ଥିତିରେ ରତ୍ନ ଭଣ୍ଡାରରେ ରଖା ନ ଯାଇ ନାଜରଖାନାରେ ରଖାଯାଇଥିଲା ତାହା ତଦନ୍ତ ସାପେକ୍ଷ। ଏଥି ସହିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ନିୟମିତ ବସୁଛି। କିନ୍ତୁ ଶ୍ରୀମନ୍ଦିରର ଟେମ୍ପୁଲ ଫାଉଣ୍ଡେସନ ଫଣ୍ଡ କମିଟିର ବୈଠକ ବିଗତ ୧୮ ବର୍ଷ ଭିତରେ ବସି ନାହିଁ। ଏହି କମିଟିରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ହୋଇଥିବା ବେଳେ ଆଇନମନ୍ତ୍ରୀ କାର୍ଯ୍ୟକାରୀ ଅଧ୍ୟକ୍ଷ ଓ ଶ୍ରୀମନ୍ଦିର ପ୍ରଶାସନର ପ୍ରଶାସକ, ଆଇନ ସଚିବ, ଅର୍ଥ ସଚିବ ଓ ପୁରୀ ଜିଲ୍ଲାପାଳ ସଦସ୍ୟ ରହିଛନ୍ତି। ନିୟମ ଅନୁସାରେ ଶ୍ରୀମନ୍ଦିର ପରିଚାଳନା କରାଯାଉ ନଥିବା ବେଳେ ଶ୍ରୀଜଗନ୍ନାଥଙ୍କ ହୁଣ୍ଡିରେ ଭକ୍ତମାନେ ଦେଇଥିବା ସୁନା ଗାୟବ ଘଟଣାର ସିବିଆଇ ତଦନ୍ତ ହେଲେ ଷଡଯନ୍ତ୍ର ଓ କାର୍ଯ୍ୟରେ ଅବହେଳା କରିଥିବା ବ୍ୟକ୍ତି ବିଶେଷଙ୍କ ସଂପର୍କରେ ଜଣା ପଡିବ ବୋଲି ଆବେଦନରେ ଦର୍ଶାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି। ମାମଲାରେ ଟେମ୍ପୁଲ ଫାଉଣ୍ଡେସନ ଫଣ୍ଡର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ, ଆଇନ ବିଭାଗ ସଚିବ, ଶ୍ରୀମନ୍ଦିର ପ୍ରଶାସକ, ପୁରୀ ଜିଲ୍ଲାପାଳ, ଭିଜିଲାନ୍ସ ନିର୍ଦ୍ଦେଶକ ଓ ସିବିଆଇକୁ ପକ୍ଷଭୁକ୍ତ କରାଯାଇଛି।
ସିବିଆଇ ତଦନ୍ତ ପାଇଁ ବିଜେପି ପକ୍ଷରୁ ମାମଲା
ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଥିବା ସୁନା ଆତ୍ମସାତ ଅଭିଯୋଗ
/sambad/media/post_attachments/wp-content/uploads/2018/07/bjp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)