ବିଜେପିର ପ୍ରଶ୍ନ :୧୭ ବର୍ଷ ପରେ କାହିଁକି ମନେପଡ଼ିଲା ଶିଶୁ ଦିବସ

ଭୁବନେଶ୍ୱର,: ରାଜ୍ୟ ସରକାର ଶିଶୁ ଦିବସକୁ ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ସମସ୍ତ ପ୍ରସ୍ତୁତି କରିଛନ୍ତି। ଏହି ବ୍ୟୟବହୁଳ ଆୟୋଜନକୁ ନେଇ ଆପତ୍ତି ଉଠାଇଛି ବିଜେପି। ଶାସନର ୧୭ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଶିଶୁ ଦିବସ କଥା ମନେ ପଡ଼ିଲା ବୋଲି ଦଳ ପ୍ରଶ୍ନ କରିଛି। ମୁଖ୍ୟମନ୍ତ୍ରୀ ନିଜ ଜନପ୍ରିୟତାର ମିଥ୍ୟା ପ୍ରଚାର ପାଇଁ ରାଜକୋଷରୁ ୨୦୦ କୋଟି ଟଙ୍କା ଖର୍ଚ୍ଚରେ ଶିଶୁ ଦିବସରେ ଶିଶୁ ପ୍ରେମର ମିଛ ସୁଆଙ୍ଗ କରୁଛନ୍ତି ବୋଲି ବିଜେପି କହିଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଲେ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ପ୍ରତି ପଞ୍ଚାୟତରେ ୨୦ ହଜାର ଟଙ୍କା ବ୍ୟୟରେ ଶିଶୁ ଦିବସର ଲାଇଭ୍‌ ଶୁଣିବେ ଛାତ୍ରଛାତ୍ରୀ ଓ ଅଭିଭାବକ। ପ୍ରତି ବ୍ଲକ୍‌ ପାଇଁ ଅନୁମୋଦିତ ହୋଇଛି ୧ ଲକ୍ଷ ୧୦ ହଜାର ଟଙ୍କା। ତେଣୁ ରାଜ୍ୟର ସମସ୍ତ ପଞ୍ଚାୟତ, ବ୍ଲକ୍‌ ଓ ପୌରପାଳିକାକୁ ହିସାବକୁ ନେଲେ ଏହି କାର୍ଯ୍ୟକ୍ରମ ପାଇଁ ରାଜକୋଷରୁ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି, ଶିଶୁଙ୍କ ପ୍ରତି ପ୍ରତିବଦ୍ଧତା ନୁହେଁ, ନିଜର ଖସୁଥିବା ଜନପ୍ରିୟତାକୁ ସଜାଡ଼ିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ଉଦ୍ୟମ କରୁଛନ୍ତି। ଉତ୍ତମ ସରକାରୀ ଶିକ୍ଷା ବ୍ୟବସ୍ଥା ହିଁ ଗରିବ ଓଡ଼ିଆ ପିଲାର ଭବିଷ୍ୟତର ଚାବିକାଠି। ମାତ୍ର ନବୀନଙ୍କ ୧୭ ବର୍ଷ ଶାସନରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଧ୍ୱସ୍ତ-ବିଧ୍ୱସ୍ତ ହୋଇଯାଇଛି। ସରକାରୀ ହିସାବ ଅନୁସାରେ ରାଜ୍ୟରେ ୨୯,୯୪୪ ପ୍ରାଥମିକ ବିଦ୍ୟାଳୟ ଓ ୧୧,୭୪୪ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରତି ଶ୍ରେଣୀ ପାଇଁ ବଖରାଏ ଶ୍ରେଣୀ ଗୃହ ନାହିଁ। ସେହିପରି ୩୨,୫୫୩ଟି ପ୍ରାଥମିକ ଓ ୧୨,୪୬୬ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରତି ଶ୍ରେଣୀ ପାଇଁ ଜଣେ ଲେଖାଏଁ ଶିକ୍ଷକ ନାହାନ୍ତି। ସର୍ବଶିକ୍ଷା ଅଭିଯାନରେ ରାଜ୍ୟରେ ଏବେ ୨୪,୪୪୬ଟି ଶିକ୍ଷକ ପଦବି ଖାଲି ରହିଛି। ସରକାରୀ ହାଇସ୍କୁଲ୍‌ରେ ମୋଟ୍‌ ୧୧,୩୪୧ ପଦବି ଖାଲି ଅଛି। ରାଜ୍ୟରେ ପିଲାମାନଙ୍କୁ କମ୍ପ୍ୟୁଟର ଶିକ୍ଷା ତ ଦୂରର କଥା, ବହୁ ସ୍କୁଲ୍‌ରେ ବିଜୁଳି ପହଞ୍ଚି ନାହିଁ।

ବିଜେପି ପକ୍ଷରୁ ଆହୁରି ଆରୋପ ଲଗାଯାଇଛି, ଗରିବ ପିଲାଙ୍କୁ ପୁଷ୍ଟିକର ଛତୁଆ ବଦଳରେ ପୋକରା ଗମରା ଛତୁଆ ଦେଇ ବିଜେଡି କର୍ମୀମାନେ ଶହ ଶହ କୋଟି ଟଙ୍କା ଲୁଟି ନେଇଛନ୍ତି। ରାଜ୍ୟରେ ୪୫ ହଜାରରୁ ଅଧିକ ଶିଶୁ ଅପପୁଷ୍ଟିର ଶିକାର ହେବା ନେଇ ସରକାର ତଥ୍ୟ ଦେଇଛନ୍ତି। ସେହିପରି ଶିଶୁ ଦିବସ ଉପଲକ୍ଷେ ବିତର୍କ ଓ ରଚନା ପ୍ରତିଯୋଗିତା ପାଇଁ ରଖାଯାଇଥିବା ବିଷୟବସ୍ତୁକୁ ସମାଲୋଚନା କରିଛି ବିଜେପି। ରାଜ୍ୟ ସରକାରଙ୍କ ସମ୍ପର୍କିତ ଏହି ବିଷୟଗୁଡ଼ିକ ହେଲା ‘ଆମ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ସର୍ବଶ୍ରେଷ୍ଠ ପୁରସ୍କାର’, ‘ଆମ ଶିକ୍ଷା ବ୍ୟବସ୍ଥା ପାଇଁ ସରକାର ଅଙ୍ଗୀକାରବଦ୍ଧ’, ‘ଆମ ସରକାର-ଆମ ବିକାଶ’ ଇତ୍ୟାଦି। ବିଜେପି ପକ୍ଷରୁ ଏକ ସ୍ୱତନ୍ତ୍ର େଓ୍ଵବ୍‌ସାଇଟ୍‌ କରାଯାଇ ଏହି ପ୍ରସଙ୍ଗଗୁଡ଼ିକ ଉପରେ ସରକାରଙ୍କ ବିଫଳତାକୁ ଦର୍ଶାଯାଇଛି। ଛାତ୍ରଛାତ୍ରୀମାନେ ଦୈନନ୍ଦିନ ଜୀବନରେ ଯାହା ଅନୁଭବ କରୁଛନ୍ତି, ଏହି ପ୍ରତିଯୋଗିତାରେ ତାହା ଉଲ୍ଲେଖ କରିବାକୁ ବିଜେପି ଆହ୍ଵାନ ଦେଇଛି। ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସଜ୍ଜନ ଶର୍ମା ଓ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର