ଦୋଷ ଲଦିବାରେ ବିଜେଡି ନେତା ପିଏଚ୍‌ଡି ହାସଲ କରିଛନ୍ତି: ବିଜେପି

ଦାବି କରିଥିଲେ ୮୪୦୦କୋଟି, ମିଳିଛି ୧୦,୦୧୨କୋଟି

ଭୁବନେଶ୍ବର : ରେଳ ବଜେଟ୍‌ରେ ଓଡ଼ିଶାକୁ କେନ୍ଦ୍ର ସରକାର ଅବହେଳା କରିଥିବା ନେଇ ବିଜେଡି ଅଭିଯୋଗ ଆଣିବା ପରେ ଏହା ଉପରେ ପ୍ରତିିକ୍ରିୟା ରଖି ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସମ୍ପାଦିକା ଐଶ୍ବର୍ଯ୍ୟା ବିଶ୍ବାଳ କହିଛନ୍ତି ଯେ, ବିଜେଡି ନେତା ଓ ମନ୍ତ୍ରୀମାନେ ନିଜ ଅପାରଗତା ଓ ବିଫଳତାକୁ ଲୁଚାଇବା ପାଇଁ ସବୁବେଳେ ଅନ୍ୟ ଉପରକୁ ଦୋଷ ଲଦି ଦେବାରେ ପିଏଚ୍‌ଡି ହାସଲ କରିଛନ୍ତି। ମୋଦୀ ସରକାର ଶାସନ କ୍ଷମତାକୁ ଆସିବା ପରେ ରେଳବାଇ କ୍ଷେତ୍ରରେ ସର୍ବଦା ଅବହେଳିତ ହୋଇ ଆସୁଥିବା ଓଡ଼ିଶାର ଭାଗ୍ୟ ବଦଳିଛି। ଏହାକୁ ରାଜ୍ୟ ସରକାର କାହିଁକି ସ୍ବୀକାର କରୁନାହାନ୍ତି?

ଶ୍ରୀମତୀ ବିଶ୍ବାଳ କହିଛନ୍ତି ଯେ, ରେଳ ବଜେଟରେ ୨୦୧୪ ମସିହାରୁ କ୍ରମାଗତ ଭାବେ ଓଡ଼ିଶାର ଅନୁଦାନ ବଢ଼ିଚାଲିଛି। ୨୦୦୯ରୁ ୨୦୧୪ ଭିତରେ ଓଡ଼ିଶାକୁ ରେଳ ବଜେଟ୍ ହାରାହାରି ୮୩୮ କୋଟି ଟଙ୍କା ଥିବାବେଳେ କେବଳ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୧୦,୦୧୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏପରିକି ରାଜ୍ୟ ସରକାର ଚଳିତ ବର୍ଷ ରେଳ ବଜେଟରେ ୮୪୦୦ କୋଟି ଟଙ୍କା ପ୍ରଦାନ କରିବାକୁ ଦାବି କରିଥିବାବେଳେ ମୋଦୀ ସରକାର ୧୦,୦୧୨ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଯାହାକି ଦାବି ଠାରୁ ୨୦%ଅଧିକ।

ସେହିପରି ରାଜ୍ୟର ୫୭ଟି ରେଳଷ୍ଟେସନକୁ ଅମୃତ ଭାରତ ଷ୍ଟେସନରେ ଅନ୍ତର୍ଭୁକ୍ତ କରାଯାଇଛି। ବର୍ତମାନ ରାଜ୍ୟର ପ୍ରତ୍ୟେକ ଜିଲ୍ଲାକୁ ରେଳପଥ ସହ ସଂଯୋଗ କରାଯିବାର କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଅନ୍ୟ ପଟେ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଓଡ଼ିଶାରେ ରେଳବାଇ ବିକାଶ ଠିକ୍ ଭାବେ ହୋଇପାରୁନାହିଁ। ଅନେକ ସ୍ଥାନରେ ରାଜ୍ୟ ସରକାରଙ୍କ ତରଫରୁ ଜମି ଅଧିଗ୍ରହଣ ଅଧିକାରୀ ନଥିବାରୁ ଜମି ଅଧିଗ୍ରହଣ ହୋଇପାରୁନାହିଁ। ଜମି ଅଧିଗ୍ରହଣରେ ଖୋଦ୍‌ ରାଜ୍ୟ ସରକାର ବାଧକ ସାଜୁଛନ୍ତି। କାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଁ ନେଇଯିବେ, ସେହି ଭୟରେ ବିଜେଡି ନେତାମାନେ ମିଛ ପ୍ରହେଳିକା ସୃଷ୍ଟି କରୁଛନ୍ତି ବୋଲି ଶ୍ରୀମତୀ ବିଶ୍ବାଳ କହିଛନ୍ତି।

ସମ୍ବନ୍ଧିତ ଖବର