ମିଲରମାନଙ୍କ ପାଇଁ ଓକିଲାତି କରୁଛନ୍ତି
ମଣ୍ଡି ନ ଖୋଲିଲେ ରାଜ୍ୟବ୍ୟାପୀ ବିକ୍ଷୋଭ
ଭୁବନେଶ୍ବର : ଚାଷୀ ପ୍ରସଙ୍ଗରେ ବିଜେଡି କେନ୍ଦ୍ର ସରକାରଙ୍କୁ ଶାଣିତ ଆକ୍ରମଣ କରିବା ପରେ ବିଜେପି ବି ଚୁପ୍ ବସିନାହିଁ। ସୋମବାର ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ତୁରନ୍ତ ଏକ ସାମ୍ବାଦିକ ସମ୍ମିଳନୀ କରି ଓଲଟା ବିଜେଡି ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। କହିଛନ୍ତି ଯେ ବିଜେଡିର ୩ ଜଣ ବିଧାୟକ ଚାଷୀଙ୍କ ସମସ୍ୟାକୁ ନେଇ କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେମାନେ ଠିକ୍ ତଥ୍ୟ ନଜାଣି କେବଳ ରାଜ୍ୟବାସୀଙ୍କୁ ମିଥ୍ୟା କହି ଭ୍ରମିତ କରିଛନ୍ତି। ବିଜେଡି ନେତାମାନେ ଧାନ ବିଷୟରେ ନକହି ଚାଉଳ ବିଷୟରେ କହୁଛନ୍ତି। ଚାଷୀ ଧାନ ବିକ୍ରି କରେ ଆଉ ମିଲର ଚାଉଳ ବିକ୍ରି କରନ୍ତି। ଶାସକ ବିଜେଡି ଚାଷୀଙ୍କୁ ଶୋଷଣ କରି ମିଲରମାନଙ୍କ ପାଇଁ ଓକିଲାତି କରୁଛି ବୋଲି ବିଜେପି ଅଭିଯୋଗ କରିଛି।
ଦଳ କହିଛି ଯେ ରାଜ୍ୟ ବିଜେପି ପକ୍ଷରୁ ଓଡିଶାରେ ୬ଟି ବିଶାଳ ଚାଷୀ ସମାବେଶ ଏବଂ ୧୮୦୦ ମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସମସ୍ୟାରେ ଭାଗିଦାର ହୋଇଛି। କେନ୍ଦ୍ର ସରକାର କୃଷକର ଉନ୍ନତି ପାଇଁ ବିଶେଷକରି ଚାଷୀର ଆୟକୁ ଦ୍ୱିଗୁଣିତ କରିବା ପାଇଁ ଅନେକ ପଦକ୍ଷେପ ନେଉଥିବା ବେଳେ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ ଏବଂ ଅସହଯୋଗ କାରଣରୁ ଓଡିଆ ଚାଷୀ କେନ୍ଦ୍ରୀୟ ଯୋଜନାରୁ ବଞ୍ଚିତ ହେଉଛି। କେନ୍ଦ୍ର ସରକାର ଧାନର ଏମ୍ଏସ୍ପି ୧୮୬୮ଟଙ୍କା ଦେଉଥିବା ସ୍ଥଳେ ମଣ୍ଡିରେ ୩କେଜିରୁ ୮କେଜି ପର୍ଯ୍ୟନ୍ତ କଟ୍ନି ଛଟ୍ନି ହେଉଥିବାରୁ ଚାଷୀ ପ୍ରକୃତ ମୂଲ୍ୟ ପାଇପାରୁନାହିଁ। ମଣ୍ଡି ଭିତିଭୂମି ପାଇଁ କେନ୍ଦ୍ର ସରକାର ଅର୍ଥର ବ୍ୟବସ୍ଥା କରିଥିବା ସ୍ଥଳେ ଅଦ୍ୟାବଧି ଓଡିଶାରେ ମଣ୍ଡି ଭିତିଭୂମି ସୁଧୁରିନାହିଁ। ଧାନ ଅଖା ପାଇଁ କେନ୍ଦ୍ର ଟଙ୍କା ଦେଉଥିଲେ ମଧ୍ୟ ଚାଷୀଙ୍କୁ ଅଖାର ଟଙ୍କା ଦିଆଯାଉନାହିଁ। ସେହିଭଳି ଏବର୍ଷ ଧାନକିଣା ପାଇଁ କେନ୍ଦ୍ର ସରକାର ୧୮ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଦେଉଥିଲେ ମଧ୍ୟ ଓଡିଶାରେ ଅଦ୍ୟାବଧି ଅର୍ଦ୍ଧାଧିକ ଜିଲ୍ଲାରେ ଧାନମଣ୍ଡି ଖୋଲିନାହିଁ। ଡିସେମ୍ବର ୧ ତାରିଖରୁ ସମସ୍ତ ମଣ୍ଡି ଖୋଲିବା ନେଇ ରାଜ୍ୟସରକାର ଘୋଷଣା କରିଥିଲେ। କିନ୍ତୁ ମଣ୍ଡି କେବେ ଖୋଲି ବନ୍ଦ ହୋଇଗଲା ଚାଷୀ ତାହା ଜାଣିପାରିଲେ ନାହିଁ ବୋଲି ବିଜେପି ଅଭିଯୋଗ କରିଛି। ଆଗାମୀ ଦିନରେ ଆରଡିସି ଅଫିସ ଘେରାଓ ଥିବାରୁ ବିଜେଡି ମନରେ ଛନକା ପଶିଛି ଓ ବିଜେଡି ଆଜି କାଠଗଡାରେ ଛିଡା ହୋଇଛି ବୋଲି ଦଳ କହିଛି।
ବିଜେଡି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ବିଜେପି କହିଛି, କଟ୍ନି ଛଟ୍ନି ନାଁ ରେ କଟାଯାଉଥିବା ଧାନର ଅର୍ଥ ବିଜେଡି ଫଣ୍ଡକୁ ଯାଉଛି। ଚାଷୀଙ୍କ ପେଟକୁ ମାରିକି ବିଜେଡି ଦଳୀୟ ସଙ୍ଗଠନ ଚଲାଉଛି। ଡିଏଲପିସିରେ ସରକାର ନିର୍ଦ୍ଧାରଣ କରିଛନ୍ତି ଯେ ଅଣଜଳସେଚିତ ଜମିରେ୧୩ କ୍ବିଣ୍ଟାଲ ପ୍ରତି ଏକର ଏବଂ ଜଳସେଚିତ ଜମିରେ ୧୯ କ୍ବିଣ୍ଟାଲ ପ୍ରତି ଏକର ଧାନ ବିକ୍ରି ହେବ। ଚଳିତ ବର୍ଷ ଧାନ ଫସଲ ଭଲ ହୋଇଥିବାରୁ ଅଣଜଳସେଚିତ ଜମିରେ ୨୦ କ୍ବିଣ୍ଟାଲ ଏବଂ ଜଳସେଚିତ ଜମିରେ ୩୦ କ୍ବିଣ୍ଟାଲ ଧାନ ହୋଇଛି। ରାଜ୍ୟସରକାର କାହିଁକି ଏହି ଧାନ କିଣୁନାହାନ୍ତି? ରାଜ୍ୟ ସରକାର ନିଜର ଖାଦ୍ୟସୁରକ୍ଷା ଯୋଜନାରେ କେତେ କ୍ବିଣ୍ଟାଲ ଧାନ କିଣିଛନ୍ତି? ଚାଷୀର ବଳକା ଧାନକୁ ଅନ୍ୟ ରାଜ୍ୟ ସରକାରମାନେ କିଣୁଥିବାବେଳେ ଓଡିଶା ସରକାର ବଳକା ଧାନ କିଣୁନାହାନ୍ତି କାହିଁକି ବୋଲି ଡ.ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି।
ବିଜେଡି ବିଧାୟକମାନେ ତୃତୀୟ ମହଲାର ଚିରକୁଟ ପଢି ଓଡିଶାବାସୀଙ୍କୁ ଭ୍ରମିତ କରିପାରିବେ ନାହିଁ ବୋଲି ବିଜେପି କହିଛି। ବିଜେପି ରାଜ୍ୟର ସମସ୍ତ ଚାଷୀ ପରିବାରକୁ ଯାଇ ଭେଟିବା ସହ ରାଜ୍ୟସରକାରଙ୍କ ଚାଷୀମାରଣ ନୀତି ସଂପର୍କରେ ଅବଗତ କରାଇବ ବୋଲି ପାଲଟା ଧମକ ଦେଇଛି। ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ତୁରନ୍ତ ରାଜ୍ୟସରକାର ସମସ୍ତ ଜିଲ୍ଲାରେ ମଣ୍ଡି ଖୋଲି ଧାନ କିଣନ୍ତୁ ନଚେତ୍ ଆଗାମୀ ଦିନରେ ରାଜ୍ୟବ୍ୟାପୀ ବିକ୍ଷୋଭ କରାଯିବ ବୋଲି ଡ.ସାମନ୍ତସିଂହାର ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଉପସ୍ଥିତ ଥିଲେ ।