ବିଧାନସଭା ଗୃହ କମିଟି ରିପୋର୍ଟ ଆଧାରରେ ପ୍ରାକ୍ ପ୍ରସ୍ତୁତି ହୋଇ ନ ଥିଲା
ପ୍ରଶାସନ ଅଧିକାରୀ ଏବେ ବି ପ୍ରଭାବିତ ଅଞ୍ଚଳରେ ପହଞ୍ଚି ନାହାନ୍ତି
ଭୁବନେଶ୍ବର : ରାଜ୍ୟ ସରକାରଙ୍କର ବାତ୍ୟା ୟାସ ପରିଚାଳନାକୁ ସମାଲୋଚନା କରିଛି ବିଜେପି। ଦଳ ଅଭିଯୋଗ କରିଛି ଯେ ରାଜଧାନୀରେ ବସି ବାତ୍ୟା ଓ ବନ୍ୟା ସୁପରିଚାଳନା କରିବାର ମିଛ ପ୍ରଶଂସା ସାଉଁଟୁଛନ୍ତି ରାଜ୍ୟ ସରକାର। ବାତ୍ୟା ପରିଚାଳନା କେବଳ ପ୍ରଚାର ସର୍ବସ୍ବ ଥିଲା। ୨୦୦୮ରେ ବିଧାନସଭାରେ ଗୃହ କମିଟି ଦେଇଥିବା ରିପୋର୍ଟ ଆଧାରରେ ସରକାର ବାତ୍ୟା ମୁକାବିଲା ପାଇଁ କୌଣସି ପ୍ରାକ୍ ପ୍ରସ୍ତୁତି କରି ନ ଥିଲେ। ପୂର୍ବତନ ରାଜସ୍ୱ ମନ୍ତ୍ରୀ ତଥା ବିଜେପି ପକ୍ଷରୁ ବାତ୍ୟା ପାଇଁ ଗଠିତ କମିଟିର ରାଜ୍ୟ ସଂଯୋଜକ ମନମୋହନ ସାମଲ ଗୁରୁବାର ଗଣମାଧ୍ୟମକୁ କହିଛନ୍ତି ଯେ ବାତ୍ୟା ପୂର୍ବରୁ ପ୍ରଭାବିତ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି ବୋଲି ବାରମ୍ବାର କହିବା କେବଳ ପ୍ରହସନ ଥିଲା। କିଛି ଲୋକଙ୍କୁ ସ୍ଥାନାନ୍ତରିତ କରି ପ୍ରଭାବିତ ସମଗ୍ର ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତରିତ କରାଯାଇଛି ବୋଲି କହିଲେ। ୫୦ ଜଣଙ୍କୁ ସ୍ତାନାନ୍ତରିତ କରାଯାଇ ୩୦୦ ବୋଲି ଉଲ୍ଲେଖ କରାଯାଇଛି। ବାତ୍ୟା ଆଶ୍ରୟସ୍ଥଳୀରେ କୌଣସି ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇ ନ ଥିଲା। ୧/୨ ପ୍ୟାକେଟ ବିସ୍କୁଟ, ୫୦ ଗ୍ରାମ ଚୂଡ଼ା ଦେଇ ରିଲିଫ କାର୍ଯ୍ୟର କେବଳ ଔପଚାରିକତା ପୂରଣ କରାଯାଇଥିଲା।
ବାତ୍ୟା ପରବର୍ତୀ ମୁକାବିଲା କ୍ଷେତ୍ରରେ ଉପୁଡ଼ି ପଡ଼ିଥିବା ଗଛ, ହୋର୍ଡିଂ ଇତ୍ୟାଦି ସଫା କରାଯାଇ ଗମନାଗମନ ବ୍ୟବସ୍ଥାକୁ ପୁନଃକ୍ଷମ କରାଗଲା ବୋଲି ଘୋଷଣା କଲେ। ବାତ୍ୟା ଯିବାର ଆଜିକୁ ୯ ଦିନ ବିତି ଯାଇଥିଲେ ସୁଦ୍ଧା ବହୁ ଘରେ ଓ ରାସ୍ତାରେ ଗଛ ପଡ଼ି ରହିଛି। ଛପର ହରାଇଥିବା ଅସହାୟଙ୍କୁ ସାମାନ୍ୟ ପଲିଥିନ ଦିଆଯାଇ ନାହିଁ । ଅଧିକାରୀମାନେ ବର୍ତମାନ ସୁଦ୍ଧା ସମସ୍ତ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚି ନାହାନ୍ତି। ବାତ୍ୟା ଓ ବନ୍ୟା ପ୍ରଭାବିତଙ୍କୁ କେବଳ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି । ତାହା ପୁଣି ସମୁଦ୍ରକୁ ଶଙ୍ଖେ ସଦୃଶ। ରିଲିଫ ସାମଗ୍ରୀ ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଛି । ଆଜି ମଧ୍ୟ ବହୁ ଅଞ୍ଚଳ ଅନ୍ଧକାର ଭିତରେ ରହିଛି।
ଶ୍ରୀ ସାମଲ ଦାବି କରିଥିଲେ ଯେ ବାତ୍ୟାଞ୍ଚଳରେ ଥିବା ସମସ୍ତ କଚ୍ଚା ଘରକୁ ପକ୍କା ଘରରେ ପରିଣତ କରାଯାଉ। ନଷ୍ଟ ହୋଇଯାଇଥିବା ଫସଲ ପାଇଁ ଚାଷୀ ଏବଂ ଚିଙ୍ଗୁଡ଼ି ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦିଆଯାଉ। ଘରଭଙ୍ଗା କ୍ଷତିପୂରଣ ରାଶି ୧୪ ଦିନ ଭିତରେ ପ୍ରଦାନ କରାଯାଉ। ବାତ୍ୟା ୟାସ୍ ପାଇଁ କେନ୍ଦ୍ର ସରକାର ପ୍ରଦାନ କରିଥିବା ଅର୍ଥ କେବେ ସୁଦ୍ଧା ପ୍ରଭାବିତ ଲୋକମାନେ ପାଇବେ, ତାହା ରାଜ୍ୟ ସରକାର ସ୍ପଷ୍ଟୀକରଣ ଦିଅନ୍ତୁ। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ ଓ ମୁଖପାତ୍ର ଠାକୁର ରଣଜିତ ଦାସ ଉପସ୍ଥିତ ଥିଲେ ।
ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ସମାଲୋଚନା କରୁଛି : ବିଜେଡି
ଭୁବନେଶ୍ବର : ବାତ୍ୟା ପରିଚାଳନା ନେଇ ବିଜେପିର ଅଭିଯୋଗର ଜବାବ ରଖିଛି ବିଜେଡି। ଦଳ ପକ୍ଷରୁ କୁହାଯାଇଛି ଯେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ରାଜ୍ୟ ସରକାର ଅତ୍ୟନ୍ତ ପ୍ରଭାବଶାଳୀ ଢଙ୍ଗରେ ରିଲିଫ୍ ଓ ଥଇଥାନ କାର୍ଯ୍ୟ ଚଳାଇଛନ୍ତି। ସରକାରଙ୍କ ଏପରି କାର୍ଯ୍ୟକୁ ସବୁଆଡ଼ୁ ପ୍ରଶଂସା କରାଯାଉଥିଲା ବେଳେ ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ନେତା ମନମୋହନ ସାମଲ ବାତ୍ୟା ପରବର୍ତ୍ତୀ କାର୍ଯ୍ୟକୁ ନେଇ ପ୍ରଶ୍ନ କରୁଛନ୍ତି। ବିଜେଡି ମୁଖପାତ୍ର ଲେନିନ ମହହିଛନ୍ତି, ବାତ୍ୟା ଯିବା ପରେ ରାଜ୍ୟ ସରକାର ତୁରନ୍ତ ରିଲିଫ ଓ ଥଇଥାନ କାର୍ଯ୍ୟ ହାତକୁ ନେଇଛନ୍ତି। ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସାତ ଦିନ ପାଇଁ ମାଗଣା ଖାଦ୍ୟ ଯୋଗାଣ ସହିତ ତୁରନ୍ତ କ୍ଷୟକ୍ଷତି ଆକଳନ କରାଯାଇଛି। ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କୁ ସମସ୍ତ ପ୍ରକାର ସୁବିଧା ସରକାର ଯୋଗାଇ ଦେଇଛନ୍ତି। ରାଜ୍ୟ ସରକାର ଚଳାଇଥିବା ରିଲିଫ ଓ ଥଇଥାନ କାର୍ଯ୍ୟ ବାବଦରେ ବୋଧ ହୁଏ ଶ୍ରୀ ସାମଲ ଅବଗତ ନାହାନ୍ତି। ଏଭଳି ସମୟରେ ସରକାରଙ୍କ ସଫଳ କାର୍ଯ୍ୟକୁ ସମାଲୋଚନା କରିବା ବଦଳରେ ପ୍ରଶଂସା କରିବା ଆବଶ୍ୟକ ବୋଲି ଶ୍ରୀ ମହାନ୍ତି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/manmohan-samal.jpg)