ମାହାଙ୍ଗା ଡବଲ୍‌ ମର୍ଡର ଘଟଣା : ସରକାରଙ୍କ ବିରୋଧରେ ଗର୍ଜିଲା ବିଜେପି

ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ବିଷୋଦ୍‌ଗାର
ପିସିସି ସଭାପତି ବି ଅସନ୍ତୋଷ ଝାଡ଼ିଲେ
ଦୋଷୀ ଦଣ୍ଡ ପାଇବା ଉଚିତ: ମନ୍ତ୍ରୀ ପ୍ରତାପ

ଭୁବନେଶ୍ବର : ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ବୀଭତ୍ସ ହତ୍ୟା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଆଜି ବିଜେପି ସାମ୍ବାଦିକ ସମ୍ମିଳନୀ କରି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦ୍‌ଗାର କରିଛି। କଂଗ୍ରେସ ବି ଘଟଣାକୁ ନିନ୍ଦା କରିଥିବା ବେଳେ ଖୋଦ୍ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସାମ୍ନାକୁ ଆସି ଅଭିଯୁକ୍ତ ଗିରଫ ଦିଗରେ ସେ ପଦକ୍ଷେପ ନେବେ ବୋଲି କହିଛନ୍ତି।

ଆଜି ବିଜେପି ସାମ୍ବାଦିକ ସମ୍ମିଳନୀ କରି କହିଛି ଯେ ପଶ୍ଚିମବଙ୍ଗ ପରି ଓଡିଶାରେ ରାଜନୈତିକ ହିଂସା ଦେଖାଦେଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ସ୍ୱର ଉତ୍ତୋଳନ କଲେ ଯେପରି ବିଜେପି ନେତାଙ୍କୁ ହତ୍ୟା କରାଯାଉଛି ଠିକ୍ ସେହିପରି ରାଜ୍ୟରେ ବିଜେଡିର ଦୁର୍ନୀତି ଭଷ୍ଟ୍ରାଚାର ବିରୁଦ୍ଧରେ ମୁହଁ ଖୋଲିଲେ ଶାସକ ଦଳ ନେତାଙ୍କ ନିର୍ଦ୍ଦେଶରେ ବିରୋଧୀଙ୍କୁ ହତ୍ୟା କରାଯାଉଛି। ଶାସକ ବିଜେଡି ଏବେ ରକ୍ତମୁଖା ସାଜିଛି। ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର କହିଛନ୍ତି, ଶନିବାର ରାତିରେ କୁଳମଣି ବରାଳଙ୍କୁ ରାଜନୈତିକ ଶତ୍ରୁତା ରଖି ହତ୍ୟା କରିବା ଏହାର ଜ୍ୱଳନ୍ତ ଉଦାହରଣ। ଏଭଳି ହତ୍ୟାକାଣ୍ଡ ପଛରେ ଶାସକ ଦଳ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ରହିଛି। ଏଭଳି ଅମାନୁଷିକ ହତ୍ୟାକାଣ୍ଡକୁ ବିଜେପି ଘୋର ନିନ୍ଦା କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି। ସେ କହିଥିଲେ, ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନୃତଙ୍ଗ ପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ସାମ୍ନାକୁ ଆସିଥିଲା। ଏହା ବିରୋଧରେ ବିଜେପି ନେତା କୁଳମଣି ବରାଳ ସ୍ୱର ଉଠାଇଥିଲେ। ଗରିବ ଲୋକଙ୍କ ପାଇଁ ମୋଦୀ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲାଗୁ କରିଥିବା ବେଳେ ରାଜ୍ୟରେ ବିଜେଡି ସରକାର ଦଳୀୟ ଆଧାରରେ ଧନୀକ ଶ୍ରେଣୀର ବିଜେଡି ନେତାଙ୍କ ଭିତରେ ଏହି ଘରକୁ ବଣ୍ଟନ କରିଥିଲେ। ଏହାକୁ ବିରୋଧ କରି ବିଜେପି ନେତା କୁଳମଣି ବରାଳ ସାମ୍ବାଦିକ ସମ୍ମିଳନୀ କରିଥିଲେ ଏବଂ ଏହା ପରେ ପିଡିଡିଆରଡିଏ ଅଯୋଗ୍ୟ ହିତାଧିକାରୀଙ୍କ ପାଖକୁ ନୋଟିସ ପଠାଇଥିଲେ। ଏଥିରେ ଉତ୍ତକ୍ଷିପ୍ତ ହୋଇ ଶାସକ ଦଳର କର୍ମୀମାନେ ତାଙ୍କୁ ହତ୍ୟା କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

୨୦୧୮ରେ ମାହାଙ୍ଗାର ବିଜେପି ନେତା ବିକାଶ ଜେନାଙ୍କୁ ହତ୍ୟା କରିଥିବା ଦୃବୁର୍ତଙ୍କୁ ଏପର୍ଯ୍ୟନ୍ତ ପୁଲିସ ଗିରଫ ନ କରିବା ପ୍ରସଙ୍ଗ ଉଠାଇ ବିଜେପି ସରକାରଙ୍କୁ ଘେରିଛି। ଶ୍ରୀ ମହାପାତ୍ର କହିଥିଲେ, ଏଥିରୁ ସ୍ପଷ୍ଟ ହୋଇଛି ଯେ, ଶାସକ ଦଳ ନିର୍ଦ୍ଦେଶରେ ବିଜେପି ନେତାଙ୍କୁ ହତ୍ୟା କରାଯାଉଛି ଏବଂ ପରେ ଶାସକ ଦଳ ହତ୍ୟାକାରୀମାନଙ୍କୁ ସୁରକ୍ଷା ଦେଉଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଧନୀକ ଶ୍ରେଣୀର ବିଜେଡି ନେତା ଯେଉଁମାନେ ବେଆଇନ ଭାବେ ପକ୍କା ଘର ହାତେଇଛନ୍ତି ସେମାନଙ୍କର ତାଲିକା ବିଜେପି କର୍ମୀମାନେ ରାଜ୍ୟର ସମସ୍ତ ଗାଁରେ ମାରିବେ। ଘର ପାଇନଥିବା ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବା ପର୍ଯ୍ୟନ୍ତ ବିଜେପି ଲଢେଇ କରିବ। ବିଜେଡି ଗୁଣ୍ଡାମାନେ ଯେପରି ବିଜେପି ନେତାଙ୍କୁ ହତ୍ୟା କରି ଭୟ ସୃଷ୍ଟି କରିବାକୁ ଅପଚେଷ୍ଟା କରୁଛନ୍ତି ସେଥିରେ ବିଜେପି ବିଚଳିତ ନହୋଇ ଆଗାମୀ ଦିନରେ ଗରିବ ଲୋକଙ୍କୁ ପକ୍କା ଘର ଦେବା ପାଇଁ ସଂଘର୍ଷ ଜାରି ରଖିବୁ ବୋଲି ଶ୍ରୀ ମହାପାତ୍ର କହିଥିଲେ।

ସେହିଭଳି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଏହି କୁଳମଣିଙ୍କ ହତ୍ୟା ଘଟଣାକୁ ତୀବ୍ର ନିନ୍ଦା କରିଥିଲେ। ଶ୍ରୀ ପଟ୍ଟନାୟକ ଏହି ହତ୍ୟାକାଣ୍ଡକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ସେ କହିଲେ, କୁଳମଣି ପୂର୍ବରୁ କଂଗ୍ରେସରେ ଥିଲେ ଓ କିଛି ବର୍ଷ ତଳେ ବିଜେପିରେ ଯୋଗ ଦେଇଥିଲେ। ତାଙ୍କୁ ଯେଭଳି ହତ୍ୟା କରାଗଲା ତାହାକୁ ନିନ୍ଦା କରିବା ଲାଗି ଭାଷା ନାହିଁ। ରାଜ୍ୟରେ ନାରୀ ନିର୍ଯାତନା ଏବଂ ରାଜନୈତିକ ହତ୍ୟାକାଣ୍ଡ ବଢ଼ିଚାଲିଛି। ସରକାର ଏହାକୁ କଠୋରତା ସହିତ ଗ୍ରହଣ କରନ୍ତୁ। ଏହା କେବଳ ଯେ ବିରୋଧୀଙ୍କ ସହିତ ଘଟିବ ତା ନୁହେଁ, ବିଜେଡି ନେତା ବି ଏଭଳି ପରିସ୍ଥିତି ସାମ୍ନା କରିପାରନ୍ତି। ଏଣୁ ରାଜନୈତିକ ହତ୍ୟାକୁ କେହି ବି ଉତ୍ସାହିତ କରିବା ଉଚିତ୍ ନୁହେଁ। ଦୁର୍ବଳମନା ଲୋକ ଯେଉଁମାନେ ଏଭଳି କରିଛନ୍ତି, ସେମାନଙ୍କର ରାଜନୀତି କରିବାର ଅଧିକାର ନାହିଁ। ଏହାର ଜବାବ ଲୋକେ ଦେବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଅନ୍ୟପକ୍ଷରେ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ, କୁଳମଣି ବରାଳଙ୍କୁ ଯେଭଳି ହତ୍ୟା କରାଗଲା ତାକୁ ସେ ନିନ୍ଦା କରୁଛନ୍ତି। ଏ ଘଟଣାରେ ସେ ବ୍ୟକ୍ତିଗତ ଭାବେ ଦୁଃଖିତ ଓ ମର୍ମାହତ। ରାଜନୀତିରେ ହିଂସାକୁ ପ୍ରଶୟ ଦିଆଯିବା ଆଦୌ ଉଚିତ୍ ନୁହେଁ। ଏହି ଘଟଣାରେ ଯିଏ ଦୋଷୀ ତା ବିରୋଧରେ କିଭଳି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ, ସେ ନେଇ ସେ ବ୍ୟକ୍ତିଗତ ଭାବେ ଦୃଷ୍ଟି ଦେବେ।

ସମ୍ବନ୍ଧିତ ଖବର