‘ରାଜ୍ୟର ଆର୍ଥିକ ଅନିୟମିତତା ସାରା ଦେଶରେ ବିରଳ’

କାମ୍ପା ପାଣ୍ଠିରୁ ୨୨୫ କୋଟି ଅନ୍ୟତ୍ର ଖର୍ଚ୍ଚ ହୋଇଛି, ସିଏଜି ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବି‌ଜେପି

ଭୁବନେଶ୍ବର : ନିକଟରେ ପ୍ରକାଶ ପାଇଥିବା ସିଏଜି ରିପୋର୍ଟରୁ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଏବଂ ଅପରାଧିକ ଆର୍ଥିକ ଅନିୟମିତତା ପଦାରେ ପଡ଼ିଛି । ଦୀର୍ଘ ୨୨ ବର୍ଷ ଧରି ଶାସନ କ୍ଷମତାରେ ରହି ରାଜ୍ୟ ସରକାର ଯେଉଁ ଭଳି ଭାବେ ଆର୍ଥିକ ଅନିୟମିତତା କରିଛନ୍ତି, ତାହା କେବଳ ଓଡ଼ିଶାରେ ନୁହେଁ ବରଂ ସମଗ୍ର ଭାରତବର୍ଷରେ ବିରଳ ବୋଲି ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି।

ଗୁରୁବାର ଦିନ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ ରାଜ୍ୟ ସରକାରଙ୍କ ସମୁଦାୟ ୩୯ଟି ବିଭାଗ ମଧ୍ୟରୁ ରାଜ୍ୟର ଅର୍ଥନୀତିକୁ ନିୟନ୍ତ୍ରଣ କରୁଥିବା ମୁଖ୍ୟ ୧୨ଟି ବିଭାଗରୁ ଜଙ୍ଗଲ, ପୂର୍ତ ଏବଂ ଜଳସେଚନ ଭଳି ୩ଟି ବିଭାଗକୁ ନେଇ ସିଏଜି ତାଙ୍କ ରିପୋର୍ଟରେ ବିସ୍ତୃତ ଉଲ୍ଲେଖ କରିଛନ୍ତି। ଅତୀତରେ ସିଏଜିଙ୍କ ବାରମ୍ବାର ବାରଣ ସତ୍ୱେ ରାଜ୍ୟ ସରକାର ଭୁଲକୁ ଦୋହରାଇବା, ଆଇନକାନୁନ ଓ ନିୟମ ଉଲ୍ଲଂଘନ, ଧାର୍ଯ୍ୟ ବଜେଟରୁ ଅଧିକ ଖର୍ଚ୍ଚ କରିବା, ଶାସନ ବ୍ୟବସ୍ଥା ଓ ପ୍ଲାନିଂର ଘୋର ଅଭାବ କାରଣରୁ ବ୍ୟାପକ ମାତ୍ରାରେ ରାଜସ୍ୱ କ୍ଷତି ହୋଇଛି ବୋଲି ସିଏଜି ରିପୋର୍ଟରେ ସିଧାସଳଖ ଉଲ୍ଲେଖ କରିଛନ୍ତି। କିନ୍ତୁ ମନ୍ଦ ଉଦ୍ଦେଶ୍ୟ ରଖିଥିବା ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ ନକରିବା କାରଣରୁ ୧୬୧୦ କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି। ସିଏଜି ଭଳି ଏକ ସାମ୍ବିଧାନିକ ଅନୁଷ୍ଠାନ ପ୍ରତି ରାଜ୍ୟ ସରକାରଙ୍କ ସାମାନ୍ୟତମ ସମ୍ମାନ ନାହିଁ ବୋଲି ଏଥିରୁ ସ୍ପଷ୍ଟ ହୋଇଛି।

ସେହିପରି ୧୯୮୪ ମସିହାରୁ ଜୁନ ୨୦୨୦ ମସିହା ସୁଦ୍ଧା ସିଏଜିଙ୍କ ଦ୍ୱାରା ଉଠିଥିବା ୩୪୭୩ଟି ଅଭିଯୋଗ ସମାଧାନ ହୋଇନାହିଁ । ଏଥି ମଧ୍ୟରୁ କେବଳ ଗତ ୨୨ ବର୍ଷରେ ୩୨୩୨ଟି ଅଭିଯୋଗର ସମାଧାନ ହୋଇନି। ୧୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ପଡ଼ି ରହିଥିବା ୧୩୨୮ଟି ଅଭିଯୋଗର ବିଚାର ହୋଇନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟ ସରକାର କାମ୍ପା ପାଣ୍ଠିରୁ ଅର୍ଥ ଅନ୍ୟତ୍ର ଖର୍ଚ୍ଚ କରିପାରିବେନି ବୋଲି ନିୟମ ଅଛି, କିନ୍ତୁ ସବୁ ନିୟମକୁ ଜଳାଞ୍ଜଳି ଦେଇ ୨୨୫.୮୪କୋଟି ଅନ୍ୟତ୍ର ଖର୍ଚ୍ଚ କରିଛନ୍ତି। ରାଜ୍ୟ ସରକାର ୩୬୧୯୪ କୋଟି ଟଙ୍କାର ୟୁସି ଦାଖଲ କରିନପାରିଥିବାରୁ ବିଭିନ୍ନ ଯୋଜନା ବାବଦକୁ ବକେୟା ଅର୍ଥ ମିଳୁନି। ହେଲେ ଯୋଜନାରେ ବିଳମ୍ବ ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅଯଥା ଦୋଷ ଦେଉଛନ୍ତି। ଯାହାକୁ ସିଏଜି ଧରିଛନ୍ତି।

ରାଜ୍ୟ ସରକାର ବକ୍ସାଇଟ ଦର ଧାର୍ଯ୍ୟ କରିନପାରିବାରୁ କେବଳ ରାୟଗଡା ଜିଲ୍ଲାରେ ୬୨ କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି ବୋଲି ସିଏଜି ରିପୋର୍ଟରେ ଉଲ୍ଲେଖ ଅଛି। ଓଡ଼ିଶାକୁ ଲୁଟିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ବେଆଇନ ଓ ଅନୈତିକ କାର୍ଯ୍ୟ କରୁଛନ୍ତି। ଯେଉଁ ପ୍ରଶାସନିକ ଅଧିକାରୀମାନେ ଏଭଳି ଷଡଯନ୍ତ୍ର ରଚିବା ସହିତ ଆର୍ଥିକ ଚଞ୍ଚକତା ଓ ଦୁର୍ନୀତିରେ ସଂପୃକ୍ତ ଅଛନ୍ତି, ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କ୍ଷତି ହୋଇଥିବା ଅର୍ଥକୁ ତାଙ୍କ ଠାରୁ ଆଦାୟ କରିବା ପାଇଁ ଶ୍ରୀ ବକ୍ସିପାତ୍ର ଦାବି କରିଛନ୍ତି ।

ସିଏଜି ରିପୋର୍ଟରେ ପ୍ରକାଶ ପାଇଥିବା ଏହି ଆର୍ଥିକ ଅନିୟମିତତା, ବିଶୃଙ୍ଖଳା ପ୍ରସଙ୍ଗରେ ସଂସଦରେ ମଧ୍ୟ ଆଲୋଚନା କରାଯିବା ସହିତ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ବିସ୍ତୃତ ଅବଗତ କରାଯିବ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଏବଂ ସହମୁଖ୍ୟ ସୁଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର