ସୁନ୍ଦରଗଡ଼: ଯାହା ଆଶଙ୍କା କରାଯାଉଥିଲା ତାହା ସତ ହୋଇଛି। ବିଜେଡି ଗୋଷ୍ଠୀ କନ୍ଦଳର ଫାଇଦା ନେଇଛି ବିଜେପି। ଜିଲ୍ଲା ପରିଷଦରେ ଏକପାଖିଆ ବିଜୟ ସତ୍ତ୍ବେ ସୁନ୍ଦରଗଡ଼ ପୌରାଧ୍ୟକ୍ଷ ଆସନକୁ ଅଟକାଇ ପାରିନି ବିଜେଡି। ସୁନ୍ଦରଗଡ଼ ପୌରାଧ୍ୟକ୍ଷ ଆସନରେ ବିଜେପିର ତନୟା ମିଶ୍ର ବାଜି ମାରିଛନ୍ତି। ଅବଶ୍ୟ ପୌର ପରିଷଦର ୧୯ଟି ୱାର୍ଡରୁ ୧୧ଟି ଆସନରେ ବିଜେଡି କାଉନସିଲର ବିଜୟ ହାସଲ କରିଥିବା ବେଳେ ପୌର ଉପାଧ୍ୟକ୍ଷ ପଦବି ଦଳ ଖାତାକୁ ଯିବା ନିଶ୍ଚିତ ହୋଇଯାଇଛି।
ବିଜେପିର ତନୟାଆ ୭୮୧୨ ଖଣ୍ଡ ଭୋଟ ପାଇ ବିଜେଡିର ରଞ୍ଜନା ପଣ୍ଡାଙ୍କ ଠାରୁ ୧୨୩୫ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ରଞ୍ଜନା ୬୫୭୭ ଖଣ୍ଡ ଭୋଟ୍ ପାଇଥିବା ବେଳେ ୬୫୪୨ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଛନ୍ତି ବିଜେପି ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ ନିନିମା ପଟେଲ । ତେବେ ଜିଲ୍ଲା ପରିଷଦରେ ଶୋଚନୀୟ ପରାଜୟ ମଧ୍ୟରେ ଏହି ପୌର ବିଜୟ ବିଜେପି ଓ ବିଧାୟିକା କୁସୁମ ଟେଟେଙ୍କ ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି। ପୌରାଧ୍ୟକ୍ଷା ଆସନରେ ପ୍ରତିଦ୍ବନ୍ଦ୍ବିତା କରିଥିବା ଅନ୍ୟ ପ୍ରାର୍ଥୀଙ୍କ ମଧ୍ୟରେ କଂଗ୍ରେସର ସସ୍ମିତା ଯୋଶୀ ୮୫୮, ସ୍ବାଧୀନ ପ୍ରାର୍ଥୀ ପଦ୍ମା ଦେବୀ ୩୧୦ ଭୋଟ୍ ପାଇଥିବା ବେଳେ ନୋଟା୍ରେ ୧୮୩ ଭୋଟ୍ ପଡ଼ିଛି।
ତେବେ ଆରମ୍ଭରୁ ସୁନ୍ଦରଗଡ଼ ବିଜେଡିର ଗୋଷ୍ଠୀ କନ୍ଦଳ ଚର୍ଚ୍ଚାରେ ଥିଲା। ବିଧାନସଭା ନିର୍ବାଚନ ଠାରୁ ଆରମ୍ଭ ହୋଇଥିବା ଗୋଡ଼ ଟଣାଟଣି ଜିଲ୍ଲା ପରିଷଦ ଓ ଶେଷକୁ ପୌର ନିର୍ବାଚନରେ ମଧ୍ୟ ପରିଲକ୍ଷିତ ହୋଇଥିଲା। ୨୦୧୯ ବିଧାନସଭା ନିର୍ବାଚନରେ ଯୋଗେଶଙ୍କୁ ହରାଇବାକୁ ଜଣେ ପ୍ରଭାବଶାଳୀ ବିଜେଡି ନେତାଙ୍କ ଇଙ୍ଗିତରେ ଦଳର ଏକ ଗୋଷ୍ଠୀ ପୂରା ଜୋର୍ ଲଗାଇ ସଫଳ ହୋଇଥିଲେ। ଜିଲ୍ଲା ପରିଷଦ ନିର୍ବାଚନରେ ମଧ୍ୟ ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରର ଆସନଗୁଡ଼ିକରେ ଦଳୀୟ ପ୍ରାର୍ଥୀଙ୍କୁ ହରାଇବାକୁ ଭିତିରିଆ ଯୋଜନା ହୋଇଥିଲା। କିନ୍ତୁ ଦଳର ରାଜ୍ୟ ସଂଗଠନ ଜିଲ୍ଲା କମିଟିର କର୍ମକର୍ତ୍ତାଙ୍କୁ ଭିନ୍ନ ଭିନ୍ନ ବିଧାନସଭା କ୍ଷେତ୍ରର ଗୁରୁ ଦାୟିତ୍ବ ଦେଇ, ପ୍ରକାରାନ୍ତରେ ଅନ୍ୟ କ୍ଷେତ୍ରରେ ସେମାନଙ୍କ ଅନୁପ୍ରବେଶକୁ ରୋକି ଦେଇଥିଲେ।
ପୌର ନିର୍ବାଚନ ଆରମ୍ଭ ହେଉଣୁ ସୁନ୍ଦରଗଡ଼ ପୌର ଅଧ୍ୟକ୍ଷ ଓ କିଛି କାଉନସିଲର ଆସନ ପାଇଁ ଟିକଟ ବଣ୍ଟନକୁ ନେଇ ଦଳରେ ବିବାଦ ଦେଖା ଦେଇଥିଲା। ଯୋଗେଶଙ୍କ ସମ୍ମତିକ୍ରମେ ଦଳୀୟ ପର୍ଯ୍ୟବେକ୍ଷକ ଓ ଚୟନ କମିଟି ଚୂଡ଼ାନ୍ତ କରିଥିବା ପ୍ରାର୍ଥୀମାନଙ୍କ ନାମକୁ ପରବର୍ତ୍ତୀ ସମୟରେ ବଦଳାଇ ଦିଆଯାଇଥିଲା। ରାଜନୀତିରେ ଜଣେ ନୂଆ ଯୁବ ଚେହେରାଙ୍କୁ ଅଧ୍ୟକ୍ଷା ଆସନ ପାଇଁ ବଛା ଯାଇଥିବା ଜଣାପଡ଼ିବା ପରେ ସ୍ଥାନୀୟ ବିଜେଡିରେ ଅସନ୍ତୋଷ ପ୍ରକାଶ ପାଇଥିଲା।
ଏପରିକି ଯୋଗେଶ ମଧ୍ୟ ଦଳକୁ ନିଜ ଅସନ୍ତୋଷ ଜଣାଇ ଦେଇଥିଲେ। ଯୋଗେଶ ସମର୍ଥକଙ୍କ ରୋଷ ଦଳର ସାଧାରଣସମ୍ପାଦକଙ୍କ ପାଖରେ ପହଞ୍ଚିଥିଲା। ଏହା ପରେ ପୂର୍ବରୁ ଚୂଡ଼ାନ୍ତ ହୋଇଥିବା ତାଲିକା ଉପରେ ମୋହର ପକାଇଥିଲା ଦଳ। ଅଧ୍ୟକ୍ଷା ଆସନ ପାଇଁ ପୂର୍ବତନ ପୌର ଉପାଧ୍ୟକ୍ଷା ତଥା ଜିଲ୍ଲା ମହିଳା ସଭାନେତ୍ରୀ ରଞ୍ଜନା ପଣ୍ଡାଙ୍କ ନାମ ଘୋଷଣା କରାଗଲା। ତେବେ ଦଳରେ ନୂଆ ଯୁବ ଚେହେରାକୁ ସମର୍ଥନ କରିଥିବା ଏକ ଗୋଷ୍ଠୀ ଏଥିରେ ଅସନ୍ତୁଷ୍ଟ ହୋଇ ପଡ଼ିଥିଲେ। ଶେଷ ଯାଏ ସେମାନଙ୍କ ଅସନ୍ତୋଷ ବଳବତ୍ତର ରହିଥିଲା।
ଏହାର ଫଳ ସ୍ବରୂପ ବିଜେଡିର ଅନେକ କାଉନସିଲର ପ୍ରାର୍ଥୀ ନିଜ ନିଜ ୱାର୍ଡରେ ପୌରାଧ୍ୟକ୍ଷା ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗି ନଥିଲେ। ଏପରିକି କିଛି ପ୍ରାର୍ଥୀ ଗୋପନରେ ବିଜେପି ପ୍ରାର୍ଥିନୀ ତନୟାଙ୍କ ସ୍ବାମୀ ବଟକିଶୋରଙ୍କ ସମ୍ପର୍କରେ ଥିବା ଚର୍ଚ୍ଚା ହୋଇଥିଲା। ସେହି କାରଣରୁ ଅନେକ ୱାର୍ଡରେ ବିଜେଡି କାଉନସିଲର ବିଜୟୀ ହୋଇଥିଲେ ମଧ୍ୟ ସେଠାରେ ଦଳର ପୌରାଧ୍ୟକ୍ଷା ପ୍ରାର୍ଥିନୀ ଅନ୍ୟ ପ୍ରତିଦ୍ବନ୍ଦ୍ବୀଙ୍କ ଠାରୁ କମ୍ ଭୋଟ୍ ପାଇଥିବା କୁହାଯାଉଛି। ଅନ୍ୟପଟେ, ବିଜୟୀ ତନୟାଙ୍କ ସ୍ବାମୀ ବଟକିଶୋର ମିଶ୍ର ରାଜନୀତିର ଜଣେ ଦକ୍ଷ ଖେଳାଳି। ପୂର୍ବରୁ କାଉନସିଲର ଥିବା ଶ୍ରୀ ମିଶ୍ର ସାଂସଦ ଜୁଏଲ ଓରାମଙ୍କ ଖାସ ଅନୁଗତ। ବିଜେଡିକୁ ପରାଜୟର ଦ୍ବାର ଦେଖାଇବାରେ ତାଙ୍କ ଗୋପନ ଗୋଟିଚାଳନା ବେଶ ସହାୟକ ହୋଇଥିବା ଚର୍ଚ୍ଚା ହେଉଛି।
ସ୍ବାଧୀନ ପ୍ରାର୍ଥୀଙ୍କ ଚମତ୍କାର ଟକ୍କର
ନିର୍ବାଚନ ପ୍ରଚାର ସମୟରେ ସହରବାସୀଙ୍କ ମନ ଜିଣି ବିଜେଡି ଓ ବିଜେପି ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଥିବା ବିଜେପି ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ ନିନିମା ପଟେଲ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଭୋଟ୍ ଗଣତି ଆରମ୍ଭରୁ ବିଜେପିକୁ କଡ଼ା ଟକ୍କର ଦେଇ ଚାଲିଥିବା ନିନିମା ଶେଷ ପର୍ଯ୍ୟାୟରେ ୬୫୪୨ ଭୋଟ୍ ପାଇ ତୃତୀୟ ସ୍ଥାନକୁ ଖସିଥିଲେ। ବିଜେଡିର ରଞ୍ଜନା ପଣ୍ଡା ମାତ୍ର ୩୪ ଖଣ୍ଡ ଭୋଟ୍ ପାଇ ଦ୍ବିତୀୟ ସ୍ଥାନକୁ ଉଠି ଯାଇଥିଲେ। ଶାସକ ବିଜେଡି ଓ ପ୍ରଭାବଶାଳୀ ବିଜେପିକୁ ସ୍ବାଧୀନ ପ୍ରାର୍ଥୀଙ୍କ କଡ଼ା ଟକ୍କର ସହରରେ ଚର୍ଚ୍ଚାର ବିଷୟ ହୋଇଛି।
ସୁନ୍ଦରଗଡ଼ ପୌରପାଳିକା ବିଜୟୀ କାଉନସିଲର
ୱାର୍ଡ ଦଳ ବିଜୟୀ ପ୍ରାର୍ଥୀଙ୍କ ନାମ
୧ ବିଜେଡି ହେମନ୍ତ ପାଢ଼ୀ
୨ ବିଜେଡି ଅନୀଲ ମହାପାତ୍ର
୩ ବିଜେଡି ମହମ୍ମଦ ଆଜାର ହୁସେନ
୪ ବିଜେଡି ଶ୍ୱେତା ଶେଫାଳି ମୁଣ୍ଡୁ
୫ ବିଜେଡି ଚିରସ୍ମିତା ଯୋଶୀ
୬ ବିଜେଡି ଲଲାଟେନ୍ଦୁ ପରିଡା
୭ ବିଜେଡି ବେଣୁଧର ତାଣ୍ଡିଆ
୮ ବିଜେପି ଭାରତୀ ପଟେଲ
୯ ବିଜେପି ଦୀପଞ୍ଜଳି ନନ୍ଦ
୧୦ ବିଜେପି ମିନତୀ ପୁରୋହିତ
୧୧ ବିଜେପି ବିଶାଳ କୁମୁରା
୧୨ ବିଜେଡି କୈଳାସ ତନ୍ତୀ
୧୩ ବିଜେପି ରମେଶ ସୋରଙ୍ଗ
୧୪ ବିଜେଡି ଦୁଶିଳା ଦଣ୍ଡସେନା
୧୫ ବିଜେଡି ସୁଶୀଳା ନାଗ
୧୬ ସ୍ୱାଧୀନ ସୁମନ୍ତ ସାହୁ
୧୭ ବିଜେଡି ରଜନୀ ରୋହିଦାଶ
୧୮ ବିଜେପି ପୌଷାଳୀ ବାରିକ
୧୯ ବିଜେପି ମମତା ଖାଲଖୋ