ନିର୍ବାଚନୀ ହିଂସାକୁ ନେଇ ପରସ୍ପର ବିରୋଧରେ ଅଭିଯୋଗ ଆଣିଲେ ବିଜେପି-ବିଜେଡି ଓ କଂଗ୍ରେସ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନବେଳେ ସାରା ରାଜ୍ୟରେ ଘଟିଥିବା ନିର୍ବାଚନୀ ହିଂସାକୁ ନେଇ ବିଜେପି , ବିଜେଡି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି | ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ ନିର୍ବାଚନ ସମୟରେ ହୋଇଥିବା ବ୍ୟାପକ ହିଂସାକାଣ୍ଡର ତଥ୍ୟ ପ୍ରମାଣ ନିର୍ବାଚନ କମିଶନଙ୍କୁ ଦିଆଯାଇଛି | କମିଶନ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କରିବା ପାଇଁ ନାଗରିକଙ୍କୁ ନିଶ୍ଚିତ କରିବା ଦରକାର | ହିଂସାକାଣ୍ଡକୁ କେମିତି ରୋକିବେ ସେ ନେଇ ନିର୍ବାଚନ କମିଶନ ପଦକ୍ଷେପ ନିଅନ୍ତୁ | ଆଇନ ଶୃଙ୍ଖଳା ରକ୍ଷା କରିବା ପୁଲିସ ପ୍ରଶାସନର ଦାୟିତ୍ୱ | ଯିଏ ବି ହିଂସାକାଣ୍ଡରେ ସମ୍ପୃକ୍ତ ତାଙ୍କୁ ଦଣ୍ଡ ମିଳୁ ବୋଲି ବିଜେପି ଦାବି କରିଛି | ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଛି | ଭୋଟ କେନ୍ଦ୍ରରେ ସରକାରୀ କଳକୁ ଅପବ୍ୟବହାର କରାଯାଇଛି | ପ୍ରିଜାଇଡ଼ିଂ ଅଫିସରମାନେ ଶାସକ ଦଳ କର୍ମୀ ଭଳି କାମ କରିଛନ୍ତି |

ଏହାକୁ ନେଇ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ ନିର୍ବାଚନ ହାରିବା ଭୟରେ ବିଜେପି ଏଭଳି ଅଭିଯୋଗ କରୁଛି | ବିଜେଡି ସବୁବେଳେ ଅହିଂସାକୁ ବିଶ୍ୱାସ କରେ | ନିର୍ବାଚନରେ ହିଂସାର ସ୍ଥାନ ନାହିଁ | ଓଡିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ହିଂସାର ସ୍ଥାନ ନାହିଁ | ବିଜେପି ନେତା ଓ କର୍ମୀମାନେ ରକ୍ତମୁଖା ପାଲଟିଛନ୍ତି | ବିଜେଡି ବିରୋଧରେ ଅଭିଯୋଗ ଆଣିବା ବିଜେପିର ଅଭ୍ୟାସ, ତେଣୁ ତଥ୍ୟ ଓ ପ୍ରମାଣ ଥିଲେ କୋର୍ଟକୁ ଦିଅନ୍ତୁ ବୋଲି ସାଂସଦ ସସ୍ମିତ ପାତ୍ର କହିଛନ୍ତି | ସେହିପରି କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ ଏ ନିର୍ବାଚନ ଠିକରେ ଚାଲୁନି । ପ୍ରତି ଗାଁରେ ମିଟିଂ ଆଉ ଇଟିଂ ଚାଲିିଛି । ମଦ ବଣ୍ଟାହେଉଛି, ଟଙ୍କା ବଣ୍ଟାହେଉଛି । ଏ ନିର୍ବାଚନରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି ବୋଲି ସୁର କହିଛନ୍ତି |

ସମ୍ବନ୍ଧିତ ଖବର