ସଂରକ୍ଷଣକୁ ନେଇ ବିଜେପି-ବିଜେଡି କଳି

ଓବିସି ଓ ପଛୁଆବର୍ଗ ସଂରକ୍ଷଣ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଲା ବିଜେପି
ଯୁବ ଓ ଛାତ୍ର ବିଜେଡିର ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ, ଦଳ କହିଲା ବିଜେପି ସହିପାରୁନି

ଭୁବନେଶ୍ବର : ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଓ ଇଞ୍ଜନିୟରିଂ ଶିକ୍ଷାରେ ସଂରକ୍ଷଣ ଦେବା ପ୍ରସଙ୍ଗକୁ ନେଇ ଆଜି ରାଜନୀତି ତେଜିଛି। ଗୋଟିଏ ପଟେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଇଥିବା ବେଳେ ଅନ୍ୟପଟରେ ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଛି। କେବଳ ସେତିକି ନୁହେଁ, ଆଉ ପାଦେ ଆଗକୁ ଯାଇ ବିଜେପି ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ଲୋକଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସମ୍ବିଧାନ ଅନୁମୋଦିତ ସ୍ଥାନ ସଂରକ୍ଷଣ ଦେବା ପ୍ରସଙ୍ଗ ଉଠାଇଛନ୍ତି। ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ ଓବିସି ଓ ପଛୁଆବର୍ଗଙ୍କୁ କେବେ ସଂରକ୍ଷଣ ଦିଆଯିବ ସେ କଥା ଆଗ କୁହ। ଏପଟେ ବିଜୁ ଯୁବ ଜନତା ଦଳ ମହାସଚିବ ଏଲିନା ଦାଶ କହିଛନ୍ତି, ବିଜେପି ସହିପାରୁନି।

ଆଜି ବିଜେପି ସାମ୍ବାଦିକ ସମ୍ମିଳନୀ କରି କହିଛି ଯେ ରାଜ୍ୟ ସରକାର ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ଭଳି ଉଚ୍ଚଶିକ୍ଷାରେ ସ୍ଥାନ ସଂରକ୍ଷଣ କରିବାକୁ କ୍ୟାବିନେଟରେ ସଂକଳ୍ପ ପାରିତ କରିଛନ୍ତି। ମାତ୍ର ସାମ୍ବିଧାନିକ ବ୍ୟବସ୍ଥା ସତ୍ତ୍ବେ ରାଜ୍ୟ ସରକାର ଓବିସି ବର୍ଗ ତଥା ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ଲୋକଙ୍କୁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ସମ୍ବିଧାନ ଅନୁମୋଦିତ ପଦକ୍ଷେପ କାହିଁକି ନେଉନାହାନ୍ତି? ମୋଦୀ ସରକାର ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦% ସଂରକ୍ଷଣର ବ୍ୟବସ୍ଥା କରିବା ପାଇଁ ଆଇନ ପ୍ରଣୟନ କରିଥିଲେ ମଧ୍ୟ ରାଜ୍ୟସରକାର ଏ ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରିନାହାନ୍ତି।

ଲେଖାଶ୍ରୀ କହିଛନ୍ତି, ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ଅଧିକାଂଶ ଓବିସି ତଥା ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ପରିବାରର ପିଲାମାନେ ହିଁ ପାଠ ପଢୁଛନ୍ତି। ଏ ସଂପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୨୦ ମସିହା ଜାନୁଆରି ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ରାଜ୍ୟରେ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଅନୁରୋଧ କରିଥିଲେ। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ବିଧାନସଭାରେ ବିଶେଷ ଅଧିବେଶନ ଡାକି ବିଲ୍ ପାସ୍‌ କରିବା ଦରକାର।

ବିଜେପି ଆହୁରି କହିଛି, ସମ୍ବିଧାନର ଧାରା ୧୫(୪) ଓ ୧୬(୪) ବଳରେ କେନ୍ଦ୍ର ସରକାର ଓବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ଦେଇଛନ୍ତି। ଏହାକୁ ଉଚ୍ଚତମ ନ୍ୟାୟାଳୟ ମଧ୍ୟ ବୈଧ ଘୋଷଣା କରିଛନ୍ତି। ମାତ୍ର ଦେଶରେ ଦୀର୍ଘ ୩୦ ବର୍ଷ ଧରି ଏହା ଲାଗୁ ହେଲା ପରେ ମଧ୍ୟ ଓଡ଼ିଶା ସରକାର ଓବିସିଙ୍କୁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଓ ଏସଇବିସିଙ୍କୁ ଶିକ୍ଷା କ୍ଷେତ୍ରରେ କ’ଣ ପାଇଁ ସଂରକ୍ଷଣ ଦେଉନାହାନ୍ତି ତାହା ବୁଝାପଡୁନାହିଁ। ଦେଶର ସବୁ ରାଜ୍ୟ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅନ୍ୟୁନ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ କରିଥିବା ବେଳେ କର୍ଣ୍ଣାଟକ, ତାମିଲନାଡୁ, କେରଳ ଓ ବିହାର ଆଦି ରାଜ୍ୟ ସେସବୁ ରାଜ୍ୟ ଗୁଡିକରେ ଏହି ଜାତିଗୁଡିକର ଜନସଂଖ୍ୟାରେ ଅଧିକ ଭାଗ କାରଣରୁ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି। ତାମିଲନାଡୁ ଭଳି ରାଜ୍ୟରେ ୫୯ ପ୍ରତିଶତ ସ୍ଥାନ ସଂରକ୍ଷିତ ଥିବା ବେଳେ ଏଥିରୁ ୫୦ ପ୍ରତିଶତ ପଛୁଆ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ମାତ୍ର ଓଡ଼ିଶା ଜନସଂଖ୍ୟାରେ ଓବିସି ଓ ଏସ୍‌ଇବିସି ସଂଖ୍ୟା ଯଥେଷ୍ଟ ଅଧିକ ଥିବାବେଳେ ଜନସଂଖ୍ୟା ଅନୁସାରେ ସେମାନେ ସଂରକ୍ଷଣ ସୁବିଧାରୁ କାହିଁକି ବଂଚିତ ରହିଛନ୍ତି ବିଜେପି ଆପତ୍ତି ଉଠାଇଛି।

ବିଜେପି ଏହି ଅବସରରେ କିଛି ଉଦାହରଣ ବି ଦେଇଛି। ଦଳ କହିଛି, ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଅଧିକ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ପ୍ରତିବନ୍ଧକ ନାହିଁ। ଇନ୍ଦ୍ରା ସ୍ୱହନୀ ଓ ଭାରତ ସରକାରଙ୍କ ମାମଲାରେ ସୁପ୍ରିମକୋର୍ଟ ବିଶେଷ ପରିସ୍ଥିତିରେ ସ୍ଥାନ ସଂରକ୍ଷଣ ନିଦ୍ଦିଷ୍ଟ ସୀମାଠାରୁ ଅଧିକ ହୋଇପାରିବ ବୋଲି ରାୟ ପ୍ରକାଶ କରିଥିଲେ। ମହାରାଷ୍ଟ୍ରରେ ବିଜେପି ସରକାର ଥିବା ବେଳେ, ମରଠା କମ୍ୟୁନିଟି ପାଇଁ ୧୬ ପ୍ରତିଶତ ନିଯୁକ୍ତି ଓ ଶିକ୍ଷାରେ ବ୍ୟବସ୍ଥା କରିବା ପରେ ମହାରାଷ୍ଟ୍ରର ସ୍ଥାନ ସଂରକ୍ଷଣ ୬୩ ପ୍ରତିଶତକୁ ବୃଦ୍ଧି ପାଇଥିଲା ଓ ଏହା ମାନ୍ୟବର ବମ୍ବେ ହାଇକୋର୍ଟ ରାଜ୍ୟ ସରକାରଙ୍କର ସୀମା ଉପରେ ବିଶେଷ କାରଣ ଯୋଗୁଁ ସଂରକ୍ଷଣ ବଢ଼ାଇବାର ଅଧିକାରକୁ ସମ୍ମତି ପ୍ରଦାନ କରିଥିଲେ। ରାଜ୍ୟରେ ୧୯୯୩ ମସିହାଠାରୁ ଓଡିଶା ପଛୁଆ ବର୍ଗ ଆୟୋଗ ଆଇନ ପାସ୍ ହୋଇଥିବା ପରେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇନାହିଁ। ତୁରନ୍ତ ଏହି କମିସନ ଗଠନ କରାଯାଉ ଏବଂ ଜନସଂଖ୍ୟା ଭାଗ ଅନୁସାରେ ଅଧିକ ପ୍ରତିଶତ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ଦଳ ସରକାରଙ୍କ ପାଖରେ ଦାବି ରଖିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଓ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ବିଜେଡି ବି ଏ ପ୍ରସଙ୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଗଣମାଧ୍ୟମକୁ ଏଲିନା କହିଛନ୍ତି, ଆମେ ଆଶ୍ଚର୍ଯ୍ୟ ହେଉଛୁ ଯେ ମୁଖ୍ୟମନ୍ତ୍ରୀଙ୍କ ଏପରି ଐତିହାସିକ ତଥା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ନିଷ୍ପତ୍ତିକୁ ବିଜେପି ବିରୋଧ କରୁଛି। ସରକାରୀ ବିଦ୍ୟାଳୟରେ ପଢୁଥିବା ଛାତ୍ରମାନଙ୍କ ପାଇଁ ନବୀନ ପଟ୍ଟନାୟକ ସଂରକ୍ଷଣ ପ୍ରଦାନ କରୁଛନ୍ତି। ଆମେ ଆଶା କରୁଛୁ ଯେ ବିଜେପି ଯାହା ଆଜି କହିଛି, ତାହା ଲେଖାଶ୍ରୀଙ୍କ ବ୍ୟକ୍ତିଗତ ମତ। ଏହା ବିଜେପି ପରି ଏକ ଜାତୀୟ ଦଳର ମତ ନ ହେଉ।

ଏଲିନା ଆହୁରି କହିଛନ୍ତି ଯେ କିଛି ସମୟ ପରେ ରାଷ୍ଟ୍ର ଦେଖିବ ଯେ ବିଜେପି ଶାସିତ ରାଜ୍ୟ ସମେତ ସମଗ୍ର ଦେଶ ନବୀନ ପଟ୍ଟନାୟକର ଏହି ନିଷ୍ପତ୍ତି ଅନୁସରଣ କରିବେ। ଯେହେତୁ ମୁଖ୍ୟମନ୍ତ୍ରୀ ଏଭଳି ଏକ ଲୋକପ୍ରିୟ ନିଷ୍ପତ୍ତି ନେଇଛନ୍ତି, ସେଥିରେ ବିଜେପି ଅସୁଖୀ ହୋଇପଡ଼ିଛି। ସେମାନେ ଲୋକମାନଙ୍କ ଦ୍ବାରା ଗ୍ରହଣୀୟ ହୋଇଥିବା ଏହି ନିଷ୍ପତ୍ତିକୁ ହଜମ କରିବା ସ୍ଥିତିରେ ନାହାନ୍ତି।

ସମ୍ବନ୍ଧିତ ଖବର