ଭୁବନେଶ୍ବର: ଓଡ଼ିଶାରେ ବିଜେପି ଓ ବିଜେଡି ଏକ। ଗତ ୫ବର୍ଷ ହେବ ବିଜେଡି କେନ୍ଦ୍ରର ବିଜେପିକୁ ସବୁପ୍ରକାର ସମର୍ଥନ ଦେଇଆସିଛି। ଭିତିରି ବୁଝାମଣାରେ ଦୁଇ ଦଳ ଅଲଗା ଅଲଗା ହୋଇ ନିର୍ବାଚନ ଲଢ଼ୁଛନ୍ତି। ଲୋକଙ୍କ ଭିତରେ ଏବେ ଧାରଣା ହେଲାଣି ବିଜେଡିକୁ ଭୋଟ୍‌ ଦେଲେ ବିଜେପିକୁ ଯିବ ଓ ବିଜେପିକୁ ଦେଲେ ବିଜେଡିକୁ। ତେଣୁ ଓଡ଼ିଶାରେ ବିରୋଧୀ ଦଳ ହେଉଛି କଂଗ୍ରେସ। ଚଳିତ ନିର୍ବାଚନରେ କଂଗ୍ରେସ ଦଳ ଓଡ଼ିଶାରେ ଚମକାଇଲା ଭଳି ପ୍ରଦର୍ଶନ କରିବ ବୋଲି କହିଛନ୍ତି ଏଆଇସିସି ସାଧାରଣ ସଂପାଦକ ସଚିନ ପାଇଲଟ।

Advertisment

ଶ୍ରୀ ପାଇଲଟ ଆଜି ବାଲେଶ୍ବର ଜିଲ୍ଲାରେ ନିର୍ବାଚନ ପ୍ରଚାର କରିଥିଲେ। ପରେ ସଂଧ୍ୟାରେ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାଇଲଟ କହିଥିଲେ, ଚଳିତ ନିର୍ବାଚନ ହେଉଛି ପରିବର୍ତ୍ତନ ନିର୍ବାଚନ। ଓଡ଼ିଶାରେ ତ୍ରିକୋଣୀୟ ନୁହେଁ ବରଂ ବିଜେପି-ବିଜେଡି ସହ କଂଗ୍ରେସର ଲଢ଼େଇ ହେଉଛି। କଂଗ୍ରେସର ନିର୍ବାଚନୀ ଇସ୍ତାହାର ପ୍ରତି ଲୋକମାନଙ୍କୁ ଆକର୍ଷଣ ବଢ଼ୁଛି। କଂଗ୍ରେସର ଇସ୍ତାହାରରେ ବିକାଶ ଓ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ବ ଦିଆଯାଇଛି। କେନ୍ଦ୍ରରେ ସରକାରକୁ ଆସିବା ପୂର୍ବରୁ ବିଜେପି ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲା ତାହାକୁ ୧୦ବର୍ଷରେ ପାଳନ କରିବାରେ ବିଫଳ ହୋଇଛି। ବରଂ ନେହରୁ, ଇନ୍ଦିରା ଓ ରାଜୀବ ଗାନ୍ଧୀଙ୍କ ବିଷୟରେ କହି ଲୋକଙ୍କୁ ଭ୍ରମିତ କରିବାକୁ ବିଜେପି ଅପଚେଷ୍ଟା ଚଳାଇଛି। ଦେଶରେ ଥିବା ସାମ୍ବିଧାନିକ ସଂସ୍ଥାମାନଙ୍କୁ ଦୁର୍ବଳ କରିବା ଲାଗି ଉଦ୍ୟମ ଚାଲିଛି। କଂଗ୍ରେସ ଦଳର ଆକାଉଣ୍ଟକୁ ସିଜ୍ କରିଦେବା ସହିତ ବିରୋଧୀ ଦଳର ୨ ମୁଖ୍ୟମନ୍ତ୍ରୀଙ୍କୁ ଜେଲ୍‌ରେ ଭର୍ତ୍ତି କରାଯାଇଛି।

ଓଡ଼ିଶା ନିର୍ବାଚନରେ ଚମକାଇଲା ଭଳି ପ୍ରଦର୍ଶନ କରିବ କଂଗ୍ରେସ
ଇଣ୍ଡି ମେଣ୍ଟକୁ ମିଳିବ ସ୍ପଷ୍ଟ ବହୁମତ

ସେ ଆହୁରି ମଧ୍ୟ କହିଥିଲେ ଯେ ରାଜୀବ ଗାନ୍ଧୀଙ୍କ ସମୟରେ କଂଗ୍ରେସ ପାଖରେ ୪ଶହରୁ ଅଧିକ ଆସନ ଥିଲା। ମାତ୍ର କେତେବେଳେ ସମ୍ବିଧାନ ବଦଳାଇବା କଥା ଉଠିନାହିଁ। ହେଲେ ଏବେ ଏ କଥା କାହିଁକି ଉଠୁଛି? ସଂରକ୍ଷଣ ଛଡ଼ାଇନେବା ଓ ସମ୍ବିଧାନ ନ ବଦଳାଇବା ଭଳି ବୟାନ ବୁମେରାଂ ହେବା ପରେ ବିଜେପି ନେତାମାନେ ଏବେ ସଫେଇ ଦେଉଛନ୍ତି। ଏଫ୍‌ଡିଆଇ, ଡିବିଟି, ଜିଏସ୍‌ଟି, ଭାରତ-ଆମେରିକା ପରମାଣୁ ଚୁକ୍ତି, ଆଧାର କାର୍ଡ, ଗାଁକୁ ବ୍ରଡ୍‌ବ୍ୟାଣ୍ଡ ହେଉଛି କଂଗ୍ରେସର ପରିକଳ୍ପନା। ହେଲେ ସେତେବେ‌ଳର ବିଜେପି ଏହାକୁ ବିରୋଧ କରୁଥିଲା। ମାତ୍ର ଏବେ ବାହାବା ନେବାରେ ଲାଗିଛନ୍ତି। କଂଗ୍ରେସ ଦଳ ଉପରେ ଚାରୁଆଡ଼ୁ ବ୍ୟାପକ ଚାପ ସତ୍ତ୍ବେ ଚଳିତ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ। ଇଣ୍ଟିଆ-ମେଣ୍ଟକୁ ସ୍ପଷ୍ଟ ବହୁମତ ମିଳିବ। ବିଭିନ୍ନ ରାଜ୍ୟକୁ ନିର୍ବାଚନ ପ୍ରଚାରରେ ଯିବା ସମୟରେ ଏଭଳି ସଙ୍କେତ ମିଳୁଛି। ଧର୍ମ ଆଧାରରେ ସଂରକ୍ଷଣ ଦେବା କଥା କଂଗ୍ରେସ କହିନାହିଁ। ବିରୋଧୀ ଦଳ ଲୋକଙ୍କ ଭିତରେ ଭ୍ରମ ସୃଷ୍ଟି କରୁଛନ୍ତି ବୋଲି ଶ୍ରୀ ପାଇଲଟ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପିସିସି ଗଣମାଧ୍ୟମ ସେଲ୍‌ ଅଧ୍ୟକ୍ଷ ବିଶ୍ବରଞ୍ଜନ ମହାନ୍ତି, ବରିଷ୍ଠ ନେତା ରାମଚନ୍ଦ୍ର ଖୁଣ୍ଟିଆ, ଶିବାନନ୍ଦ ରାୟ, ଏଆଇସିସି ମିଡିଆ ସଂଯୋଜକ ପ୍ରଭାତ କୁମାର, ରିତୁ ଚୌଧୁରୀ, ୟାସିର ନୱାଜ, ପ୍ରକାଶ ଜେନା, ଅଶୋକ ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ।