ଭୁବନେଶ୍ବର: ଗୁରୁବାର ରାଜ୍ୟର ୬ଟି ବ୍ଲକରେ ଅନୁଷ୍ଠିତ ହେଉଛି ଉପନିର୍ବାଚନ। ବିଜେପି ସରକାର କ୍ଷମତାକୁ ଆସିବା ପରେ ପୁଣି ନିର୍ବାଚନ ମୈଦାନରେ ବିଜେପି-ବିଜେଡି ମୁହାଁମୁହିଁ ହେଉଛନ୍ତି । ଉପନିର୍ବାଚନ ହେବାକୁ ଥିବା ସମସ୍ତ ୬ ବ୍ଲକ୍ ବିଜେଡି ପାଖରେ ଥିଲା । କିନ୍ତୁ ଏବେ ସ୍ଥିତି ବଦଳିଛି। ତେଣୁ ଉଭୟ ବିଜେପି ଏବଂ ବିଜେଡି ପାଇଁ ଉପନିର୍ବାଚନ ସମ୍ମାନର ପ୍ରଶ୍ନ ପାଲଟିଛି। ସବୁଠି ଛକାପଞ୍ଝା ସ୍ଥିତି ଲାଗି ରହିଥିବା ବେଳେ ଏସବୁ ଆସନ ହାତେଇବାକୁ ଉଭୟ ପକ୍ଷ ରଣକୌଶଳ ଆରମ୍ଭ କରି ଦେଇଛନ୍ତି।
ଏହା ବିଜେଡି ପାଇଁ ଅଗ୍ନି ପରୀକ୍ଷା ହୋଇଥିବା ବେଳେ ଶାସକ ଦଳ ବିଜେପି ପାଇଁ ସମ୍ମାନର ପ୍ରଶ୍ନ। ୫ଟି ବ୍ଲକ ଅଧ୍ୟକ୍ଷ ଆଉ ଗୋଟିଏ ଉପାଧ୍ୟକ୍ଷ ପଦବୀ ପାଇଁ ଉପନିର୍ବାଚନ ହେବ । ଏହାବ୍ୟତୀତ କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ମଧ୍ୟ ଉପନିର୍ବାଚନ ହେବ ।
ଗଞ୍ଜାମ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର କୁକୁଡାଖଣ୍ଡି ବ୍ଲକ୍ ବିଜେଡି ପାଖରେ ଥିଲା। କିନ୍ତୁ ଅଧ୍ୟକ୍ଷଙ୍କ ମୃତ୍ୟୁ ପରେ ଏଠି ଉପନିର୍ବାଚନ ହେବାକୁ ଯାଉଛି। କୁହାଯାଉଛି ଏଠାକାର ୧୨ ସମିତି ସଭ୍ୟଙ୍କ ମଧ୍ୟରୁ ୭ ଜଣ ବିଜେପି ସମର୍ଥନରେ ରହିଛନ୍ତି। ତେଣୁ ଏଠାରେ ବିଜେପି ବାଜିମାତ୍ କରିପାରେ। କିନ୍ତୁ ଖଲ୍ଲିକୋଟ୍ ବ୍ଲକରେ ଛକାପଞ୍ଝା ସ୍ଥିତି ରହିଛି।
ଅନ୍ୟପଟେ କଳାହାଣ୍ଡିର ନର୍ଲା, ନବରଙ୍ଗପୁରର ରାଇଘର ଆଉ ନୟାଗଡ଼ର ଭାପୁର ବ୍ଲକରେ ମଧ୍ୟ ସ୍ଥିତି ସମାନ ଅଛି। ଉପନିର୍ବାଚନ ହେବାକୁ ଥିବା ଏହି ୩ ବ୍ଲକରେ କିଏ ବାଜି ମାରିବ କହିବା କଷ୍ଟକର। ନର୍ଲା ବ୍ଲକ୍ ବିଜେଡି ପାଖରେ ରହିଥିଲା କିନ୍ତୁ ଏବେ ସ୍ଥିତି ବଦଳିଛି। ସେହିପରି ରାଇଘରରେ ନବୀନା ନାୟକଙ୍କ ଇସ୍ତଫା ପରେ ୨୬ ସମିତି ସଭ୍ୟଙ୍କ ମଧ୍ୟରୁ ୧୮ଟି ବିଜେଡି ୬ ବିଜେପି ପାଖରେ ରହିଛି। କିନ୍ତୁ ଏଠାରେ ବିଜେଡିର ଗୋଷ୍ଠୀ କନ୍ଦଳର ଫାଇଦା ନେବାକୁ ବିଜେପି ଯୋଜନା କରିଛି। ଅନ୍ୟ ପଟେ ଭାପୁରରେ କିନ୍ତୁ ଶାସକ ବିଜେପି ପାଇଁ ଜଟିଳ ସ୍ଥିତି ରହିଛି। ସେଠାରେ ୨୦ ସମିତି ସଭ୍ୟଙ୍କ ମଧ୍ୟରୁ ୧୭ ଜଣ, ପୂର୍ବତନ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନଙ୍କ ସମର୍ଥନରେ ଥିବା ସେ ଦାବି କରିଛନ୍ତି।
ସେହିପରି ବିଜେଡିରୁ ଗୀତାଞ୍ଜଳି ସେଠୀଙ୍କ ଇସ୍ତଫା ପରେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବି ବି ଖାଲି ପଡିଛି। ସେଠି ଉପନିର୍ବାଚନ ହେବାକୁ ଥିବା ବେଳେ ୩୧ରୁ ମାତ୍ର ୨ ଜଣ ଶାସକ ବିଜେପି ପାଖରେ ରହିଛି । ଏସବୁ ଛକାପଞ୍ଝା ଭିତରେ ରାଜ୍ୟସ୍ତରର ନେତାଙ୍କୁ ତୃଣମୂଳକୁ ଓହ୍ଲାଇବାକୁ ଉଭୟ ଦଳ ଯୋଜନା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/BJP-BJD-Face-Off_By-Election-in-6-Block_Thumbnail.jpg)