ଫସଲ ବୀମାକୁ ନେଇ ବିଜେପି-ବିଜେଡି ପୁଣି ମୁହାଁମୁହିଁ

ଭୁବନେଶ୍ବର : ଫସଲ ବୀମା ଯୋଜନା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭାବରେ ନାମିତ ହୋଇଛି। ତେଣୁ ଫସଲ ବୀମା ଅର୍ଥ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବାକୁ ପଡିବ ବୋଲି କହିଛନ୍ତି ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ। ପଶ୍ଚିମ ଓଡିଶାର ଲକ୍ଷ ଲକ୍ଷ ଚାଷୀଙ୍କୁ ସେମାନଙ୍କର ଫସଲ ବୀମା ଅର୍ଥ ସୁନିଶ୍ଚିତ କରିବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଓ ସମବାୟ ମନ୍ତ୍ରୀ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ ନିୟମିତ ସମନ୍ବୟ ରକ୍ଷା କରିଆସୁଛନ୍ତି।  ମୁଖ୍ୟମନ୍ତ୍ରୀ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଚିଠି ଲେଖି ଓଡିଶାର ଚାଷୀଙ୍କୁ ଫସଲ ବୀମା ଦେୟ ପ୍ରଦାନ ଲାଗି କହିଛନ୍ତି। ଓଡ଼ିଶାର ସମବାୟ ମନ୍ତ୍ରୀ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଭେଟି ଫସଲ ବୀମା ଅର୍ଥ ମଞ୍ଜୁର କରିବାକୁ ଅନୁରୋଧ କରିଛନ୍ତି। ଏଣୁ କୃଷକମାନଙ୍କୁ ମିଥ୍ୟା ବିବୃତ୍ତି ଦେବା ପରିବର୍ତ୍ତେ, ଫସଲ ବୀମା ଦେବାର ବିଫଳତାକୁ ବିଜେପି ଗ୍ରହଣ କରୁ। ଏଥିରେ ବିଫଳ ହେଲେ ଲକ୍ଷ ଲକ୍ଷ କୃଷକ ବିଜେପିକୁ କ୍ଷମା କରିବେ ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି।

ଏହାର ପାଲଟା ଜବାବ ଦେଇଛି ବିଜେପି। ବିଧାୟକ ତଥା ବିଜେପି ରାଜ୍ୟ ଉପସଭାପତି ନାଉରି ନାୟକ କହିଛନ୍ତି, ବିଜେଡି ନେତୃତ୍ବାଧୀନ ରାଜ୍ୟ ସରକାରର ବିଫଳତା ଓ ବୀମା କମ୍ପାନି ପ୍ରୀତି ଯୋଗୁଁ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହେଉଛି। କ୍ଷତିଗ୍ରସ୍ତ ଚାଷୀଙ୍କ ରୋଷରୁ ମୁକ୍ତି ପାଇବା ପାଇଁ ବିଜେଡି ନେତାମାନେ ଭୁଲ ତଥ୍ୟ ଦେଇ ଅକାରଣରେ କେନ୍ଦ୍ର ସରକାରଙ୍କ ଉପରେ ଦୋଷାରୋପ କରୁଛନ୍ତି ବୋଲି ସେ କହିଛନ୍ତି। ରାଜ୍ୟ ସରକାର ଯୋଗ୍ୟ ଚାଷୀଙ୍କ ତାଲିକା କ୍ଷତି ବାବଦରେ ପ୍ରାପ୍ୟ ପରିମାଣ ସାର୍ବଜନୀନ କରୁନାହାନ୍ତି କାହିଁକି? କେନ୍ଦ୍ର ସରକାରଙ୍କ ବିଧି ବ୍ୟବସ୍ଥା ଅନୁଯାୟୀ କ୍ଷୟକ୍ଷତିଜନିତ ପ୍ରାପ୍ୟ ଆକଳନ କରିବା ସହ ସମାଧାନ ପାଇଁ ରାଜ୍ୟସ୍ତରୀୟ କମିଟି କାହିଁକି ଗଠନ କରୁନାହାନ୍ତି ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର