ଅତାବିରାରେ ପ୍ରାର୍ଥୀପତ୍ର ଯାଂଚ ସମୟରେ ବିଜେପି-ବିଜେଡ଼ି ମୁହାଁମୁହିଁ, ଥାନାରେ ଦୁଇ ମାମଲା

ଅତାବିରା : ଶନିବାର ପଂଚାୟତ ନିର୍ବାଚନ ପାଇଁ ଅଭିଯୋଗ ଶୁଣାଣି, ପ୍ରାର୍ଥୀପତ୍ର ପ୍ରକ୍ରିୟ‌ା ଚାଲିଥିଲା। ପଂଚାୟତ ସମିତି କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଯାଂଚ ସମୟରେ ଉଭୟ ବିଜେପି ଓ ବିଜେଡି ମୁହାମୁହିଁ ହୋଇଥିବା ବେଳେ ଦୁଇ ଦଳ ପକ୍ଷରୁ ଥାନାରେ ଦୁଇଟି ଭିନ୍ନ ଭିନ୍ନ ମାମଲା ରୁଜୁ ହୋଇଛି।

ଜ‌ାଂଗେଡ଼ ପଂଚାୟତର ସରପଂଚ ଓ ସମିତି ସଭ୍ୟ ପଦ ପାଇଁ ଅର୍ଜୁନ ବିଭାର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଅନ୍ୟ ପ୍ରାର୍ଥୀମାନେ ଅଭିଯୋଗ ଆଣିଥିଲେ ଯେ ଅର୍ଜୁନଙ୍କ ଜାଂଗେଡ଼ ଓ ସିଲେଟ ପଂଚାୟତରେ ଭୋଟର୍‌ ତାଲିକାରେ ନାମ ରହିଛି। ଏଣୁ ଅର୍ଜୁନଙ୍କ ପ୍ରାର୍ଥୀପତ୍ର ବାତିଲ କରିବାକୁ ଦାବି ହୋଇଥିଲା। ଅନ୍ୟ ଏକ ଅଭିଯୋଗ ଆସିଥିଲା ସିଲେଟ ପଂଚାୟତରୁ। ସମିତି ସଭ୍ୟ ଏସ୍‌ଟି ମହିଳା ପାଇଁ ସଂରକ୍ଷିତ ହୋଇଥିବା ବେଳେ ଗୀତା ମିର୍ଦ୍ଧା ନାମକ ଅଣ ଏସ୍‌ଟି ବର୍ଗର ପ୍ରାର୍ଥୀନୀ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତାଙ୍କର ପ୍ରାର୍ଥୀ ପତ୍ର ବାତିଲ କରିବା ପାଇଁ ଅନ୍ୟ ପ୍ରାର୍ଥୀନୀମାନେ ଦାବି କରିଥିଲେ। ଏମାନଙ୍କ ଅଭିଯୋଗକୁ ବିଡିଓ ଅଣଦେଖା କରୁଥିବା ଅଭିଯୋଗ ହୋଇଥିଲା। ପରେ ସାଂସଦଙ୍କ ଅତାବିରା ବ୍ଳକ ପ୍ରତିନିଧି ବିଜେପି ସୁନନ୍ଦା ମେହେର ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରି ପ୍ରାର୍ଥୀପତ୍ର ବାତିଲ କରିବାକୁ ଦାବି କରିଥିଲେ। ଏ ନେଇ ଉପଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ମଧ୍ୟ କରିଥିଲେ।

ଅପରାହ୍ଣ ପାଖାପାଖି ୪ଟା ସମୟରେ ପୁଣି ବିଜେପି କର୍ମୀ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ପୂର୍ବରୁ ସେଠାରେ ଉପସ୍ଥିତ ଥିବା ବିଜେଡି କର୍ମୀଙ୍କ ସହ ବିଜେପି କର୍ମୀଙ୍କ ପାଟିତୁଣ୍ଡ ହୋଇଥିଲା। ଉଭୟ ଦଳର ସମର୍ଥକଙ୍କ ମଧ୍ୟରେ ତୁତୁ ମେମେ ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଂଚି ସ୍ଥିତି ନିୟନ୍ତ୍ରଣ କରିଥିଲା। ରାତିରେ ସୁନନ୍ଦା ମେହେର ଥାନାକୁ ଯାଇ ବିଜେଡିର ଟଙ୍କ ଦାଶ, ମନୋଜ ଷଡ଼ଙ୍ଗୀ, ଗଣେଶ ସାହୁଙ୍କ ବିରୋଧରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବା ଧମକ ଦେଇଥିବା ଲିଖିତ ଅଭିଯୋଗ କରିଥିଲେ। ଅପରପକ୍ଷେ ବିଜେଡିର ଟଙ୍କ ଦାଶ ପାଲଟା ଅଭିଯୋଗ ଆଣି ସୁନନ୍ଦା ମେହେର ତାଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିବା ଲିଖିତ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର