ନାଗା ସାଧୁଙ୍କୁ ନେଇ ବିଜେପି-ବିଜେଡି ମୁହାଁମୁହିଁ

ତୁମ୍ବନାଥଙ୍କୁ ଖଲାସ କରାଯାଉ: ବିଜେପି
ଅପରାଧୀଙ୍କୁ ବିଜେପିର ସମର୍ଥନ ନିନ୍ଦନୀୟ: ବିଜେଡି

ଭୁବନେଶ୍ବର : ଶ୍ରୀମନ୍ଦିରରେ ଗିରଫ ହୋଇଥିବା ନାଗା ସାଧୁ ବୈଷ୍ଣବ ପୁରୀଙ୍କୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ଏହି ଗିରଫଦାରୀକୁ ବିଜେପିର ବରିଷ୍ଠ ବିଧାୟକ ବିଷ୍ଣୁ ସେଠୀ ନିନ୍ଦା କରିବା ସହ ତୁରନ୍ତ ଖଲାସ ପାଇଁ ଦାବି କରିଛନ୍ତି। ଜବାବରେ ବିଜେଡି କହିଛି ଯେ ଜଣେ ଅପରାଧୀଙ୍କୁ ବିଜେପି ସମର୍ଥନ କରିବା ଅତ୍ୟନ୍ତ ଦୁଃଖଦାୟକ ଓ ନିନ୍ଦନୀୟ।

ଗଣମାଧ୍ୟମକୁ ଶ୍ରୀ ସେଠୀ କହିଛନ୍ତି ଯେ ନାଗାସାଧୁ ବୈଷ୍ଣବ ପୁରୀଙ୍କୁ ଶ୍ରୀମନ୍ଦିରର ନିୟମ ଭଙ୍ଗ ଅଭିଯୋଗରେ ଚୌଦ୍ବାର ଜେଲ୍‌ରେ ରଖାଯାଇଥିଲା। ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିଲା। ବିଭିନ୍ନ ଆଡ଼ୁ ପ୍ରତିବାଦର ସ୍ବର ଉଠିଲା ପରେ ତାଙ୍କୁ କଟକର ମାନସିକ ରୋଗ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବ୍ରହ୍ମପୁରର ତୁମ୍ବନାଥ ସୁବୁଦ୍ଧି ୭/୮ ବର୍ଷ ହେଲା ପୁରୀ ଲଙ୍ଗୁଳି ମଠର ଜଣେ ସନ୍ନ୍ୟାସୀ ଭାବେ ଦୀକ୍ଷିତ ଥିଲେ। ଶଙ୍କଚାରାର୍ଯ୍ୟ ହିନ୍ଦୁ ଧର୍ମର ସୁରକ୍ଷା ପାଇଁ ୪ଟି ଶାଖା ସୃଷ୍ଟି କରିଥିଲେ। ହିନ୍ଦୁ ଧର୍ମ ଉପରେ ଆକ୍ରମଣ ହେଲେ ତାହାର ପ୍ରତିହତ ପାଇଁ ନାଗା ସାଧୁଙ୍କ ସୃଷ୍ଟି। ରୋହିଣୀ କୁଣ୍ଡର ପଟା ଖୋଲିବା ଭୁଲ କି ଠିକ୍ କହିବିନି। କିନ୍ତୁ ସାମାନ୍ୟ ଦୋଷ ପାଇଁ ତାଙ୍କୁ ଗିରଫ କରାଯାଇ ତାଙ୍କ ଉପରେ ଅତ୍ୟାଚାରକୁ ଆମେ ବିରୋଧ କରୁଛୁ। ହିନ୍ଦୁ ଧର୍ମ ଉପରେ ଆକ୍ରମଣ ବେଳେ କିଛି ପଦକ୍ଷେପ ଦିଆଯାଉ ନାହିଁ କି କେହି ପାଟି ଫିଟାଉ ନାହାନ୍ତି। କିନ୍ତୁ ଯେତେବେଳେ ଅନ୍ୟ ଧର୍ମ ଉପରେ କିଛି ଛୋଟ ଛୋଟ ଘଟଣା ଘଟୁଛି, ସେତେବେଳେ କଠୋର ପଦକ୍ଷେପ ନିଅାଯାଉଛି। ତୁରନ୍ତ ନାଗା ସାଧୁଙ୍କର ଉପଯୁୂକ୍ତ ଚିକିତ୍ସା କରାଯିବା ସହିତ ହିନ୍ଦୁ ସନ୍ଥଙ୍କ ଉପରେ ଏପରି ପଦକ୍ଷେପ ଆଗକୁ ନ ନେବା ପାଇଁ ସେ ଦାବି କରିଛନ୍ତି। ସେ ପାଗଳ କି ନୁହେଁ, ଏକ ଡାକ୍ତରୀ ଦଳ ତାହା ସ୍ପଷ୍ଟ କରିବାକୁ ଶ୍ରୀ ସେଠୀ କହିଛନ୍ତି।

ଅଭିଯୋଗର ଜବାବ ଦେଇ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯେ ବିଜେପି ଯେଉଁ ତୁମ୍ବନାଥ ସୁବୁଦ୍ଧିଙ୍କ ରକ୍ଷା ପାଇଁ ଆଗକୁ ଆସିଛି ସେହି ତୁମ୍ବନାଥ ନାଁରେ ଆହୁରି ଅନେକ ଅପରାଧିକ ମାମଲା ରହିଛି। ୨୦୧୦ ମସିହା ଜୁଲାଇ ୨୨ ତାରିଖରେ ଧୀର ସାମଲ ହତ୍ୟା ମାମଲାରେ ତୁମ୍ବନାଥକୁ ଗିରଫ କରାଯାଇଥିଲା। ଏ‌ହି ମାମଲାରେ ସେ ଜେଲ୍‌ରେ ଥିବା ବେଳେ ଚିକିତ୍ସା ପାଇଁ ଏମ୍‌କେସିଜିରେ ଭର୍ତ୍ତି ହୋଇଥିଲା। ୨୦୧୦ ନଭେମ୍ବର ୩ ତାରିଖରେ ସେ ହସ୍ପିଟାଲ୍‌ରୁ ଫେରାର ହୋଇଯାଇଥିଲା। ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଅମାନୁଷିକ ଆକ୍ରମଣ ଓ ଅନ୍ୟାନ୍ୟ ମାମଲାରେ ସେ ଜଡ଼ିତ। ଗତ ମାସ ୧୪ ତାରିଖରେ ସେ ପୁରୀ ଶ୍ରୀମନ୍ଦିର ଭିତରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା ଓ ପବିତ୍ର ରୋହିଣୀ କୁଣ୍ଡର କାଠ ଘୋଡ଼ଣିକୁ ଜବରଦସ୍ତ କାଢ଼ି ଦେଇଥିଲା। ଯେଉଁମାନେ ତାକୁ ବୁଝାଇବାକୁ ଚେଷ୍ଟା କରିଥିଲେ ସେ ସେମାନଙ୍କୁ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା। ସେଥି ପାଇଁ ତା’କୁ ଗିରଫ କରାଯାଇଥିଲା। ଓଡ଼ିଶାରେ ବିଜେପି ଲଗାତର ଭାବେ ଏପରି ଅପରାଧୀଙ୍କୁ ସହାୟତା କରିଆସୁଛି। ଲୋକଙ୍କ ଧାର୍ମିକ ଭାବନାକୁ ପ୍ରଜ୍ଜ୍ବଳିତ ନ କରିବା ସହ ଶାନ୍ତିପୂର୍ଣ୍ଣ ଓଡ଼ିଶାକୁ ଉତ୍ତରପ୍ରଦେଶ କିମ୍ବା ବିହାରରେ ପରିଣତ କରିବାକୁ ଚେଷ୍ଟା ନ କରିବା ପାଇଁ ବିଜେପିକୁ ବିଜେଡି ପରାମର୍ଶ ଦେଇଛି।

ସମ୍ବନ୍ଧିତ ଖବର