ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ି ଅଟକ; ବିରୋଧୀଙ୍କ ଅଣ୍ଡାମାଡ଼

ଭୁବନେଶ୍ୱର: ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଗାଡ଼ିକୁ ଭୁବନେଶ୍ୱରର ଆଚାର୍ଯ୍ୟବିହାର ଅଞ୍ଚଳରେ କିଛି ଲୋକ ଅଟକ ରଖିବାକୁ ନେଇ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାକୁ ନେଇ ଆଜି ସନ୍ଧ୍ୟାରେ ସାଂସଦଙ୍କ ସପକ୍ଷ ଓ ବିରୋଧୀ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଉଭୟ ପକ୍ଷରୁ ଅଣ୍ଡାମାଡ଼ ଓ ଠେଲାପେଲା ହୋଇଥିବା ଜଣାଯାଇଛି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାଶୁଝା କରିଛି।

ସୂଚନା ଅନୁସାରେ ସାଂଦଦ ଶ୍ରୀମତୀ ଷଡ଼ଙ୍ଗୀ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ। ଏହି ସମୟରେ ଘଟଣାସ୍ଥଳରେ କିଛି ଲୋକ ପହଞ୍ଚି ବିରୋଧ କରିଥିଲେ। ଅଢ଼େଇ ବର୍ଷ ପର୍ଯ୍ୟନ୍ତ ସାଂସଦ କୁଆଡ଼େ ଯାଇଥିଲେ ବୋଲି ପ୍ରଶ୍ନ କରିଥିଲେ। ଏତେ ଦିନର ବ୍ୟବଧାନ ପରେ ଆଗକୁ ନିର୍ବାଚନ ଥିବାରୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସୁଛନ୍ତି ବୋଲି ଅଭିଯୋଗ କରି ହୋହଲ୍ଲା କରିଥିଲେ। ଏହାକୁ ନେଇ ସାଂସଦଙ୍କ ସପକ୍ଷ ଗୋଷ୍ଠୀ ଓ ସେମାନଙ୍କ ମଧ୍ୟରେ କଥାକଟାକଟି ହୋଇଥିଲା। ଅଧିକ ଯୁକ୍ତିତର୍କ ହେବାରୁ ଉତ୍ତେଜନା ବଢ଼ିଥିଲା। ଏହାରି ଭିତରେ ଉଭୟ ପକ୍ଷ ପରସ୍ପର ଉପରେ ଅଣ୍ଡାମାଡ଼ କରିବା ସହ ଧସ୍ତାଧସ୍ତି ହୋଇଥିଲେ । ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ପୁଲିସ ପହଞ୍ଚିଛି।

ସମ୍ବନ୍ଧିତ ଖବର