ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ

ଭୁବନେଶ୍ବର : ରାଜ୍ୟରେ ଅପାରଗ ଓ ଦୁର୍ନୀତିଗ୍ରସ୍ତ ସରକାର ପାଇଁ ଓଡ଼ିଶାର ବିକାଶ ହୋଇପାରୁନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିବା ପରେ ଏହାକୁ ନେଇ ଉଭୟ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ବିଜେଡି ସାଂସଦ ସସ୍ମିତ ପାତ୍ର ଏହାର ଜବାବ ରଖିଥିବା ବେଳେ ବିଜେପି ମଧ୍ୟ ପାଲଟା ଉତ୍ତର ରଖିଛି।

ସାଂସଦ ଶ୍ରୀ ପାତ୍ର କହିଛନ୍ତି ଯେ ରାଜ୍ୟ ସରକାର ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ ତାଙ୍କୁ ଗିରଫ କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ। ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଶୂନ୍ୟ ସହନଶୀଳ ନୀତିକୁ ପ୍ରଶଂସା କରିବା ପରିବର୍ତେ ଦୁର୍ନୀତି ବିରୋଧରେ ନିଆଯାଉଥିବା ପଦକ୍ଷେପ ଉପରେ ରାଜନୀତି କରିବା ତାଙ୍କ ଅଭ୍ୟାସରେ ପରିଣତ ହୋଇଯାଇଛି। ତାଳଚେରସ୍ଥିତ ଏମ୍‌ସିଏଲ୍‌ରେ ଘଟୁଥିବା ବେଆଇନ କାର୍ଯ୍ୟକୁ ଦେଖିଲେ ଭଲ ହେବ ବୋଲି ଶ୍ରୀ ପାତ୍ର କହିଛନ୍ତି।

kalinga Tv

ଅପରପକ୍ଷରେ ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଛାଇ ଦେଖି ବିଜେଡି ଭୟ କରୁଥିବା ଭଳି ମନେ ହେଉଛି। ଦୁର୍ନୀତି କଥା କହିଲେ ବିଜେଡି କାହିଁକି ଚିହିଁକି ଉଠୁଛି। ବିଜେଡି କେଉଁ ଭଳି ଭାବେ ଦୁର୍ନୀତିରେ ଲିପ୍ତ ରହିଛି, ତାହା ରାଜ୍ୟବାସୀ ଜାଣିଛନ୍ତି। ବିଜେଡି ମୁଖପାତ୍ର କେନ୍ଦ୍ରମନ୍ତ୍ରୀଙ୍କୁ କିଛି କହିବା ପୂର୍ବରୁ ନିଜର ମାଲିକ ଦେଖାଉଥିବା ଲୋକକୁ ପ୍ରଶ୍ନ କରନ୍ତୁ। ନିମ୍ନ ଶ୍ରେଣୀର କର୍ମଚାରୀଙ୍କୁ ଧରିବା ବାହାନାରେ ବଡ଼ ଲୋକଙ୍କୁ ଖସାଇବା ପାଇଁ ବାଟ ତିଆରି କରାଯାଉଛି। ଆଜି ଯେଉଁଠି ବିଶୃଙ୍ଖଳା ତିଆରି ହେଉଛି, ସେହି ଜାଗାରେ ବିଜେଡିର ଭୂମିକା ରହୁଛି। ବରଗଡ଼ର ବିପିସିଏଲ ପ୍ଲାଣ୍ଟ କିଛି ଦିନ ପୂର୍ବରୁ ବନ୍ଦ ଥିଲା। ସେହି ପ୍ଲାଣ୍ଟକୁ ବନ୍ଦ କରିବା ପଛରେ କାହାର ଭୂମିକା ଥିଲା ? ବିଜେଡିର ଲୋକମାନେ ରାଷ୍ଟ୍ରୀୟ ଉଦ୍ୟୋଗ କାମରେ ବାଧା ସୃଷ୍ଟି କରିବା ଖବର ମିଛ କି ? ବିଜେଡି ମୁଖପାତ୍ର ବାହାସ୍ଫୋଟ ନ ମାରି ଓଡ଼ିଆ ଲୋକଙ୍କ ହିତ ପାଇଁ କାମ କରନ୍ତୁ।

ସମ୍ବନ୍ଧିତ ଖବର