ଭୁବନେଶ୍ବର: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଆଣି ଆଜି ପୁଣି ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ଯେଉଁମାନେ ପାରଦର୍ଶିତାର ଡିଣ୍ଡିମ ପିଟୁଛନ୍ତି, ସେମାନଙ୍କୁ ଏହାର ଉତ୍ତର ଦେବାକୁ ପଡ଼ିବ। ୨୦ ହଜାର ଚାକିରି ନିଯୁକ୍ତି ବେଳେ କାହିଁକି ଏ ଅବ୍ୟବସ୍ଥା ହେଲା? କିଛି ବନ୍ଧୁ ଭାରତ ସରକାରଙ୍କ ଏକ ପିଏସ୍‌ୟୁ ଏହି ପରୀକ୍ଷା କରିଛି ବୋଲି କହୁଛନ୍ତି। ମୁଁ ଏଠି ସ୍ପଷ୍ଟ କରୁଛି, ଭାରତ ସରକାରଙ୍କ ପରୀକ୍ଷା ଏଜେନ୍ସି ହେଲା ଏନ୍‌ଟିଏ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବଳରେ ଏନ୍‌ଟିଏ ସଂସ୍ଥା ତିଆରି କରାଯାଇଛି।କାହା ପାଖରେ କିଛି ଭୁଲ ଖବର ଥିବ, ମୁଁ କିଛି କହିବାକୁ ଚାହୁଁନି। ଇଡିସିଆଇଏଲ୍‌ର କାମ ନୁହେଁ ଇଣ୍ଟରଭ୍ୟୁ ଆଦି କାର୍ଯ୍ୟ କରିବା। ପୂର୍ବରୁ ଇଡିସିଆଇଏଲ୍‌କୁ ନେଇ ଅଭିଯୋଗ ଆସିଥିଲା, କାର୍ଯ୍ୟାନୁଷ୍ଠାନ ବି ନେଇଥିଲି। ଇଡିସିଆଇଏଲ୍‌ର ବାହାନା ନେଇ ଓଡ଼ିଆ ପିଲାଙ୍କ ନିଯୁକ୍ତିର ଅସ୍ପଷ୍ଟତା ନ ରହୁ। କେନ୍ଦ୍ର ମନ୍ତ୍ରୀ ଆହୁରି ପ୍ରଶ୍ନ କରିଛନ୍ତି, ଏଏସ୍‌ଓ ପରୀକ୍ଷାରେ କ’ଣ ହେଲା? ସେତେବେଳେ ତ ଇଡିସିଆଇଏଲ୍‌ ନ ଥିଲା? ଚାକିରି ପାଇଁ ପରୀକ୍ଷା କଲ। ପରୀକ୍ଷା ପରେ ସର୍ତ୍ତ ବଦଳାଇ ଦେଲ। ଓପିଏସ୍‌ସି ଅଧିକାରୀମାନଙ୍କ ଦୁର୍ନୀତି ଧରାପଡ଼ିଲା। ଦଣ୍ଡର ବାହାନା କଲ। ମୁଁ ଏବେ ଶୁଣୁଛି ପୁନଃ ନିଯୁକ୍ତି ପଦୋନ୍ନତି ଦିଆଯାଇଛି। ତେଣୁ ଓଡ଼ିଆ ପିଲାମାନଙ୍କ ସ୍ୱାର୍ଥ ସାଙ୍ଗରେ କେହି ନ ଖେଳିବା ଉଚିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Advertisment

ଇଡିସିଆଇଏଲ୍‍କୁ ନେଇ ଧର୍ମେନ୍ଦ୍ର ମିଛ କହୁଛନ୍ତି: ପ୍ରଣବ

ଭୁବନେଶ୍ୱର: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟର ଜବାବ ରଖିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ସାମାଜିକ ଗଣମାଧ୍ୟମ ଏକ୍ସରେ ସେ କହିଛନ୍ତି, ନିଜ ମନ୍ତ୍ରଣାଳୟ ଅଧୀନରେ ଥିବା ମିନି ରତ୍ନ ସଂସ୍ଥା ଇଡିସିଆଏଲ୍‍କୁ ନେଇ କେନ୍ଦ୍ରମନ୍ତ୍ରୀ ମିଛ କହୁଛନ୍ତି। ଏଭଳି ସଂସ୍ଥାକୁ କଳା ତାଲିକାଭୁକ୍ତ କରିବା ବଦଳରେ ତା’ପାଇଁ ଓକିଲାତି କରିବା ଦୁର୍ଭାଗ୍ୟଜନକ। ଶ୍ରୀ ଦାସ କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଯେ ଇଡିସିଆଇଏଲ୍‍ ସଂସ୍ଥା ଆପଣଙ୍କ ଅଧୀନରେ ଆସୁଛି ନା ନାହିଁ ? ଏହି କେନ୍ଦ୍ରୀୟ ସଂସ୍ଥା ଭୁବନେଶ୍ୱର ଏମ୍‌ସ୍‍, ଭାରତୀୟ ସେନା, କୋଲ୍‍ ଇଣ୍ଡିଆ, ଏୟାରପୋର୍ଟ ଅଥରିଟି, ଗୁଇନ୍ଦା ବ୍ୟୁରୋ, କେନ୍ଦ୍ରୀୟ ବିଦ୍ୟାଳୟ, ଜବାହାର ନବୋଦୟ ବିଦ୍ୟାଳୟ ଆଦି ସଂସ୍ଥା ପାଇଁ ପରୀକ୍ଷା କରିଛି କି ନାହିଁ ? ଯଦି ଇଡିସିଆଇଏଲ୍‍ ଭୁଲ୍‍ କରିଥିଲା, କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି?ଇଡିସିଆଇଏଲ୍‍ ଭାରତୀୟ ସେନା ଓ ଅଗ୍ନିବୀରଙ୍କ ପାଇଁ ନିଯୁକ୍ତି ପରୀକ୍ଷା କରିଛି। ହଜାର ହଜାର ସଂଖ୍ୟାରେ ଜବାନ ନିଯୁକ୍ତି ପାଇଛନ୍ତି ଓ ଦେଶର ସୁରକ୍ଷାରେ ନିୟୋଜିତ ହୋଇଛନ୍ତି। ନିଜ ରାଜନୈତିକ ସ୍ୱାର୍ଥ ପାଇଁ ଦେଶର ସୁରକ୍ଷାକୁ ମଧ୍ୟ କାଠଗଡ଼ାରେ ଛିଡା କରାଇ ଦେଇଛନ୍ତି। ଶ୍ରୀ ଦାସ ଆହୁରି କହିଛନ୍ତି, ଏନ୍‌ଟିଏ କେବଳ ନିଯୁକ୍ତି ପରୀକ୍ଷା କରେନାହିଁ, ଏଣ୍ଟ୍ରାନ୍ସ ପରିଚାଳନା କରିଥାଏ। ଶିକ୍ଷା ମନ୍ତ୍ରୀ ଥାଇ ମଧ୍ୟ ମନ୍ତ୍ରୀ ଏକଥା ଜାଣିନାହାନ୍ତି । ଏହା ଠାରୁ ବଳି ଦୁର୍ଭାଗ୍ୟଜନକ କଥା ଆଉ କ’ଣ ହୋଇପାରେ