ରାଜ୍ୟରେ ସଙ୍ଗରୋଧ କେନ୍ଦ୍ରର ପରିଚାଳନାକୁ ନେଇ ବିଜେପି-ବିଜେଡି ବାକ୍ ଯୁଦ୍ଧ

ଭୁବନେଶ୍ବର : ରାଜ୍ୟରେ ସଙ୍ଗରୋଧ କେନ୍ଦ୍ରର ପରିଚାଳନାକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ର ଠିକ୍ ଭାବେ ପରିଚାଳନା ହେଉ ନାହିଁ ବୋଲି ବିଜେପି ଅଭିଯୋଗ କରିଥିଲା ବେଳେ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ସବୁ ହେଉଛି ବୋଲି ବିଜେଡି ଜବାବ ଦେଇଛି।

ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ କହିଛନ୍ତି ଯେ ସଙ୍ଗରୋଧ କେନ୍ଦ୍ରରେ ରହିବା, ଖାଇବା ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଅର୍ଥକୁ ନେଇ ଦୁର୍ନୀତି କଲେ ତାହାର ବିରୋଧ କରାଯିବ। ସବୁ ପଞ୍ଚାୟତରେ ଅନିୟମିତତା ଧରିବାକୁ ଆର୍‌ଟିଆଇ ପ୍ରମୁଖଙ୍କୁ ନିଯୁକ୍ତି କରାଯିବ। ସଙ୍ଗରୋଧ କେନ୍ଦ୍ରଗୁଡ଼ିକ ସୁସ୍ଥ ବାତାବରଣରେ ଚାଲୁ ନାହିଁ। ସେଠାରେ ପ୍ରବାସୀଙ୍କ ସ୍ବାବ୍ ପରୀକ୍ଷା କରା ନ ଯାଇ ଛାଡ଼ି ଦିଆଯାଉଛି। ଫଳରେ ଗାଁରେ ସଂକ୍ରମଣ ବ୍ୟାପିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି। ସରକାର ଯଦି ସଙ୍ଗରୋଧ କେନ୍ଦ୍ର ଠିକ୍ ଭାବେ ପରିଚାଳନା ନ କରନ୍ତି, ତା’ ହେଲେ ବିଜେପି ବିରୋଧ କରିବ ବୋଲି ସେ ଚେତାବନୀ ଦେଇଛନ୍ତି।

ଜବାବରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ କୋଭିଡ୍‌ ମାର୍ଗଦର୍ଶିକା ଅନୁଯାୟୀ ଲକ୍ଷଣ ପରିଲକ୍ଷିତ ହେଉଥିବା ବ୍ୟକ୍ତିମାନଙ୍କର ରାଜ୍ୟରେ କୋଭିଡ୍‌-୧୯ ପରୀକ୍ଷା କରାଯାଉଛି। ଏ କ୍ଷେତ୍ରରେ ଅପେକ୍ଷାକୃତ ଭାବେ ଅଧିକରୁ ଅଧିକ ପରୀକ୍ଷା ହେଉଛି। ତେଣୁ ପ୍ରଥମେ କେନ୍ଦ୍ର ସରକାରଙ୍କ କୋ‌ଭିଡ୍‌ ମାର୍ଗଦର୍ଶିକାକୁ ଅନୁଧ୍ୟାନ କରି ବିଜେପି ନେତା ବକ୍ତବ୍ୟ ଦେଲେ ଭଲ ହେବ। ଯେଉଁ ବ୍ୟକ୍ତିମାନେ ସଙ୍ଗରୋଧ କେନ୍ଦ୍ରରେ ସଫଳତାର ସହ ସେମାନଙ୍କ ପାଇଁ ଧାର୍ଯ୍ୟ ସମୟ ‌େଶଷ କରି ଫେରୁଛନ୍ତି, ସେମାନଙ୍କୁ ରାଜ୍ୟ ସରକାର ୨୦୦୦ ଟଙ୍କା କରି ଯୋଗାଇ ଦେଇଛନ୍ତି। ଏପରି ସ୍ଥିତିରେ ଆମେ ସମସ୍ତେ ମିଳିମିଶି କରୋନା ବିରୋଧରେ ଲଢ଼େଇ କରିବା ଆବଶ୍ୟକ।

ସମ୍ବନ୍ଧିତ ଖବର