ଆଦିବାସୀଙ୍କୁ ନେଇ ମୁହାଁମୁହିଁ : ବିଜେପି ଉପରେ ବର୍ଷିଲା ବିଜେଡି

ଭୁବନେଶ୍ୱର : ଆଦିବାସୀଙ୍କୁ ନେଇ ରାଜ୍ୟ ବିଜେପିକୁ ବିଜେଡିର ଟାର୍ଗେଟ । ବିଜେପି ନେତାଙ୍କ ଉପରେ ବର୍ଷିଲେ ବିଜେଡି ନେତା । ଭାରତୀୟ ଜନତା ପାର୍ଟିର ନେତାମାନେ ବିଶେଷ କରି ପିତାମ୍ବର ଆଚାର୍ଯ୍ୟ ରାଜନୀତିରେ ପ୍ରବେଶ କରିବା ଦିନ ଠାରୁ ଆଇନ୍ ପାଠ ଭୁଲିଯାଇଥିବା ବିଜେଡି କହିଛି । ସେ ଅଭ୍ୟାସଗତ ଭାବେ ଅଶାଳୀନ ଓ ଅଶୋଭନୀୟ ବକ୍ତବ୍ୟ ଦେଉଛନ୍ତି ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଉନ୍ନୟନ ପରିଷଦ ବିଷୟରେ ଯେଉଁ ବକ୍ତବ୍ୟ ରଖାଯାଇଛି, ତାହା ସମ୍ପୂର୍ଣ୍ଣ ବିଭ୍ରାନ୍ତିକର, କପୋଳକଳ୍ପିତ ଓ ଅମୁଳକ । ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବାର ବିଜେପି ଦ୍ୱାରା ଇଏ ଆଉ ଏକ ଉଦ୍ୟମ । ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଏକ ସାମ୍ବାଧାନିକ ବିଧି ବ୍ୟବସ୍ଥା ନୁହେଁ ।

ତେବେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପିତାମ୍ବର ଆଚାର୍ଯ୍ୟ କହିଥିଲେ, ନବୀନ ସରକାର ହେଉଛି ଆଦିବାସୀ ବିରୋଧୀ ସରକାର । ଏ ସରକାର କେବଳ ଆଦିବାସୀମାନଙ୍କୁ ନିଜର ଭୋଟ ବ୍ୟାଙ୍କ ପାଇଁ ବ୍ୟବହାର କରିଆସିଛି । ଆଦିବାସୀମାନଙ୍କ ସମସ୍ୟାର ସମାଧାନ ଓ ସେମାନଙ୍କର ଆର୍ଥୀକ ବିକାଶ ପାଇଁ ଏ ସରକାର କିଛି କରିନାହାନ୍ତି ବଂର ଆଦିବାସୀମାନଙ୍କର ସମସ୍ୟାକୁ ଆହୁରି ବଢାଇଛନ୍ତି । ଓଡିଶାରେ ସାମ୍ବିଧାନିକ ବିଧି ବ୍ୟବସ୍ଥା ନାହିଁ । ସମ୍ବିଧାନ ୨୪୪ ଧାରା ଅନୁଯାୟୀ ତଫସିଲ ଭୃକ୍ତ ଜାତି ଜନଜାତି ବସବାସ କରୁଥିବା ଅଂଚଳରେ ସେମାନଙ୍କ ସମାଜିକ, ଅର୍ଥନୈତିକ ବିକାଶ ସହ କଣ କଣ ଯୋଜନା ଲାଗୁ କରାଯିବ ସେ କଥା ବୁଝିବା ରାଜ୍ୟପାଳଙ୍କ ଦାୟୀତ୍ୱ । ରାଜ୍ୟପାଳଙ୍କ ଏହି କ୍ଷମତାକୁ ମୁଖ୍ୟମନ୍ତ୍ରୀ ଅପବ୍ୟବହାର କରୁଛନ୍ତି ।

ସେପଟେ ପିତାମ୍ବରଙ୍କୁ ଟାର୍ଗେଟ କରି ବିଜେଡି କହିଛି, ଅନୁସୂଚିତ ଜନଜାତି ଭାଇ ଭଉଣୀ ମାନଙ୍କର କୃଷି, ସ୍ୱାସ୍ଥ୍ୟ, ପାନୀୟ ଜଳ ଏବଂ ପୂର୍ଣ୍ଣାଙ୍ଗ ବିକାଶ ପାଇଁ ରାଜ୍ୟ ସରକାର ଚେଷ୍ଟିତ ଥିବାବେଳେ କେନ୍ଦ୍ର ସରକାର କେବିକେ ଯୋଜନା, ବିଆରଜିଏଫ୍ ଯୋଜନା ଓ ଆଇଏପି ଯୋଜନାକୁ ବନ୍ଦ କରି ସେମାନଙ୍କ ପ୍ରତି କୁଠାରଘାତ କରିଛନ୍ତି । ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଏକ ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ଏହାକୁ ଗୌଣ ଓ ବିଭ୍ରାନ୍ତ କରିବାପାଇଁ ଯେଉଁ ଅପଚେଷ୍ଟା ବିଜେପି କରୁଛି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି ସେ କହିଛନ୍ତି ।

ଜଙ୍ଗଲ ଜମି ଅଧିକାର ଆଇନ୍ ବଳରେ ରାଜ୍ୟ ସରକାର ଲକ୍ଷ ଲକ୍ଷ ଅନୁସୂଚିତ ଜନଜାତିମାନଙ୍କୁ ଜଙ୍ଗଲ ଜମି ଅଧିକାର ପ୍ରଦାନ କରିଛନ୍ତି ଏବଂ ଭାରତବର୍ଷରେ ସୁନାମ ଅର୍ଜନ କରିଛନ୍ତି । ଦୁର୍ଭାଗ୍ୟର ବିଷୟ ହେଉଛି ଏହି ଅଧିକାର ଆଇନ୍ ଉପରେ ଯେତେବେଳେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟରେ ଜଙ୍ଗଲ ଜମି ଅଧିକାରଗୁଡ଼ିକୁ ନେଇ ତର୍ଜମା ଚାଲିଥିଲା ସେତେବେଳେ କେନ୍ଦ୍ର ସରକାର ନିଜର ପକ୍ଷ ରଖିବା ପାଇଁ କୌଣସି ଆଇନଜୀବୀଙ୍କୁ ନ୍ୟାୟାଳୟରେ ପକ୍ଷଭୁକ୍ତ ନ କରାଇବା କେନ୍ଦ୍ର ସରକାରଙ୍କ ଉଦାସୀନ ମନୋଭାବକୁ ସ୍ପଷ୍ଟ କରୁଛି ।

ସମ୍ବନ୍ଧିତ ଖବର