ଭୁବନେଶ୍ବର: ଆମେ ଖୁବ୍ କମ୍ ଦରମା ପାଉଛୁ। ଏତିକି ଟଙ୍କାରେ ଚଳିବା ବହୁତ କଷ୍ଟ ହେଲାଣି। ସାମାଜିକ କାର୍ଯ୍ୟକ୍ରମକୁ ଗଲା ବେଳେ ପଇସା ଅଣ୍ଟୁନି। ତୁରନ୍ତ ସରକାର ଦରମା ବଢ଼ାନ୍ତୁ। ସମାଲୋଚନାକୁ ଡରିଲେ ହେବନି। ଦରଦାମ ଯାହା ହେଲାଣି ଦରମା ନ ବଢ଼ାଇଲେ ଘରୁ ବାହାରିବା କଷ୍ଟ ହୋଇପଡ଼ିବ। ଆଜି ବିଧାନସଭାରେ ବିଧାୟକମାନେ ଏମିତି ଉଦ୍‌ବେଗ ପ୍ରକାଶ କରିଥିଲେ। ଶାସକ ଓ ବିରୋଧୀଙ୍କ ସ୍ବର ସମାନ ଥିଲା। କେବଳ ନିଜ ପାଇଁ ନୁହେଁ, ପୂର୍ବତନ ବିଧାୟକଙ୍କ ପେନ୍‌ସନ ରାଶି ବଢ଼ାଇବା ପାଇଁ ସେମାନେ ଯୁକ୍ତି ଉପସ୍ଥାପନ କରିଥିଲେ। ସମସ୍ତେ ଟେବୁଲ୍‌ ବାଡ଼େଇ ତାହାକୁ ସମର୍ଥନ କରିଥିଲେ।

Advertisment

ଆଜି ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରଥମେ ଏହି ପ୍ରସଙ୍ଗ ଉଠାଇ କହିଥିଲେ, ପୂର୍ବତନ ବିଧାୟକମାନେ ଆଜି ଆସି ପେନ୍‌ସନ ବଢ଼ାଇବା କଥା କହୁଥିଲେ। ଅଧିକାଂଶ ପୂର୍ବତନ ବିଧାୟକ ବହୁତ ଦୁଃଖରେ ଅଛି। ଔଷଧ କିଣିବାକୁ ବି ସେମାନଙ୍କ ପାଖରେ ପଇସା ନାହିଁ। ଗତ ବିଧାନସଭା ଅଧିବେଶନରେ ଭାସ୍କର ମଢ଼େଇଙ୍କ ଅଧ୍ୟକ୍ଷତାରେ ଦରମା ଓ ପେନ୍‌ସନ ବୃଦ୍ଧି ସଂକ୍ରାନ୍ତରେ ଏକ କମିଟି ଗଠନ ହୋଇଥିଲା। ଏହି କମିଟି ବି ତା’ର ସୁପାରିସ୍ ଦେଇସାରିଛି। ୨୦୧୭ରେ ଶେଷ ଥର ପାଇଁ ଦରମା ଓ ପେନ୍‌ସନ ବଢ଼ାଯାଇଥିଲା। ତେଣୁ ବର୍ତ୍ତମାନର ବଜାର ଦରକୁ ଲକ୍ଷ୍ୟ ରଖି ତୁରନ୍ତ ଦରମା ଓ ପେନ୍‌ସନ ବୃଦ୍ଧି କରାଯାଉ। ପ୍ରତାପ କେଶରୀ ଦେବ କହିଥିଲେ, ପୂର୍ବତନ ବିଧାୟକମାନେ ମାତ୍ର ୩୦ ହଜାର ଟଙ୍କା ପେନ୍‌ସନ ପାଉଛନ୍ତି। ଏତିକି ଟଙ୍କାରେ ସେମାନେ କେମିତି ଚଳିବେ? ଏବେ ବିଧାୟକମାନେ ଦରମା, ଭତ୍ତା ସବୁ ମିଶାଇ ୯୮ ହଜାର ଟଙ୍କା ପାଉଛନ୍ତି। ଅନ୍ୟ ରାଜ୍ୟ ସହ ତୁଳନାରେ ଏହା ବହୁତ କମ୍। ପୂର୍ବ ସରକାର ଦରମା ଓ ପେନ୍‌ସନ ବଢ଼ାଇବାକୁ ନିଷ୍ପତ୍ତି ନେଇସାରିଥିଲେ।

ନିର୍ବାଚନ ପରେ ଲାଗୁ ହେବାର ଥିଲା। ଏବେ ସାଂସଦମାନଙ୍କ ଦରମା ମଧ୍ୟ ବୃଦ୍ଧି ପାଇସାରିଛି। ତେଣୁ ଏ ଦିଗରେ ସମାଲୋଚନାକୁ ଭୟ ନକରି ନିଷ୍ପତ୍ତି ନିଆଯାଉ। 
ଶାସକ ଦଳ ସଭ୍ୟ ପୂର୍ଣ୍ଣଚନ୍ଦ୍ର ସେଠୀ କହିଥିଲେ, ବିଧାୟକଙ୍କ ଦରମାକୁ ତୁଳନା କଲେ ଆମ ରାଜ୍ୟ ୨୭ ନମ୍ବରରେ ରହିବ। ପୂର୍ବତନ ବିଧାୟକମାନଙ୍କ ଦୁଃଖ ନଦେଖିଲେ ବିଶ୍ବାସ କରିହେବନି। ବିଧାୟକମାନେ ପାହ୍ୟାରେ ମୁଖ୍ୟ ଶାସନ ସଚିବଙ୍କ ଠାରୁ ଅଧିକ। କିନ୍ତୁ ସମ୍ବଳ ନାହିଁ। ପଦ୍ମଲୋଚନ  ପଣ୍ଡା ଯୁକ୍ତି ବାଢ଼ିଥିଲେ, ହାଇସ୍କୁଲ୍‌ ପିଅନ ପାଇବେ ୫୫ ହଜାର। ପ୍ରାଥମିକ ସ୍କୁଲ୍‌ ଶିକ୍ଷକ ପାଇବେ ୭୫ ହଜାର। କଲେଜ ଅଧ୍ୟାପକ ପାଇବେ ଦେଢ଼ ଲକ୍ଷରୁ ଦୁଇ ଲକ୍ଷ। କିନ୍ତୁ ଆମ ଦରମା ତାହା ଠାରୁ କମ୍ ରହିବ। ଭାସ୍କର ମଢ଼େଇ କହିଥିଲେ, ପୂର୍ବତନ ବିଧାୟକ ବହୁତ ଅସୁବିଧାରେ ଅଛନ୍ତି। ବିଧାୟକମାନେ ବି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଲା ବେଳେ ବହୁତ ଖର୍ଚ୍ଚାନ୍ତ ହେଉଛନ୍ତି। ତେଣୁ ପରିସ୍ଥିତିର ଗୁରୁତ୍ବ ବୁଝି କମିଟିର ସୁପାରିସ୍ ଲାଗୁ କରାଯାଉ।