ବିଜେଡି-ବିଜେପି କର୍ମୀ ମୁହାଁମୁହିଁ, ବାଡ଼ି ଖେଳି ପାରିଲେନି କେନ୍ଦ୍ରମନ୍ତ୍ରୀ

ବାଲେଶ୍ବର : ଶାରଦୀୟ ଦୁର୍ଗା ପୂଜା ଅବସରରେ ବାଲେଶ୍ବର ସହରର ସିନେମା ଛକଠାରେ ଅନୁଷ୍ଠିତ ବାଡ଼ିଖେଳରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ବିରୋଧ କରାଯାଇଛି। ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଆଖଡ଼ାରେ ସାମିଲ ହେବାବେଳେ ଏପରି ପରିସ୍ଥିତିର ସେ ସମ୍ମୁଖୀନ ହୋଇଥିଲେ। ତେବେ ଘଟଣାକୁ ନେଇ ଉଭୟ ବିଜେଡି ଓ ବିଜେପି କର୍ମୀମାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥି‌ଲେ ବି ପରେ ତାହା ନିୟନ୍ତ୍ରଣ ହୋଇଥିବା ଦେଖାଯାଇଥିଲା।

ସୂଚନାଯୋଗ୍ୟ, ମଙ୍ଗଳବାର ସଂଧ୍ୟାରେ ମା’ଙ୍କ ଦଶମୀ ତିଥିରେ ସ୍ଥାନୀୟ ସିନେମା ଛକଠାରେ ମହାବୀର ଆଖଡ଼ା ସଂଘ ପକ୍ଷରୁ ଆଖଡ଼ା ପ୍ରଦର୍ଶନ ହୋଇଥିଲା। ଏଥିରେ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଅନ୍ୟତମ ଅତିଥି ଭାବେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ ଓ ସଦର ବିଧାୟକ ମଦନମୋହନ ଦତ୍ତ ଯୋଗ ଦେଇଥିଲେ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀଙ୍କୁ ବାଡ଼ି ଖେଳିବା ପାଇଁ ବିଜେପି କର୍ମୀମାନେ ଡାକିଥିଲେ। ଶ୍ରୀ ଷଡ଼ଙ୍ଗୀ ବାଡ଼ି ଖେଳିବା ପାଇଁ ଯାଇଥିଲେ ହେଁ ସେଠାରେ ଭିଡ଼ ଜମିଯିବାରୁ ‌ଖେଳିବା ସମ୍ଭବ ହୋଇପାରିନଥିଲା। ଏହାର କିଛି ସମୟ ପରେ ଅନ୍ୟ ଏକ ଆଖଡ଼ା ଦଳ ସେଠାରେ ପହଞ୍ଚି ସେମାନଙ୍କର ଖେଳ ପ୍ରଦର୍ଶନ କରିଥିଲେ। ଉକ୍ତ ଆଖଡ଼ାଦଳର ସର୍ଦ୍ଦାର ବାଡ଼ି ଖେଳିବା ପାଇଁ ପୂର୍ବତନ ସାଂସଦ ଶ୍ରୀ ଜେନାଙ୍କୁ ଆମନ୍ତ୍ରଣ କରିଥିଲେ। ଶ୍ରୀ ଜେନା ଉତ୍ସବ ସ୍ଥଳକୁ ଯାଇ ବାଡ଼ି ବୁଲାଇଥିଲେ। ଅନ୍ୟପକ୍ଷରେ ବିଜେପି କର୍ମୀ ଓ ସମର୍ଥକମାନେ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀଙ୍କୁ ପୁଣିଥରେ ସେଠାକୁ ଡାକିଥିଲେ। ମାତ୍ର ସମ୍ପୃକ୍ତ ଆଖଡ଼ାଦଳର ସର୍ଦ୍ଦାର ଓ କିଛି ସ୍ଥାନୀୟ ଯୁବକ ଏହାକୁ ବିରୋଧ କରିଥିଲେ। ଯାହାକୁ ନେଇ ସେଠାରେ କିଛିସମୟ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। କିଛି ସମୟ ଧରି ବିଜେଡି ଓ ବିଜେପିକର୍ମୀଙ୍କ ମଧ୍ୟରେ କଥା କଟାକଟି ଓ ମୁହାଁମୁହିଁ ପରିସ୍ଥିତି ଉପୁଜିଥିବା ଦେଖାଯାଇଥିଲା। ପରିସ୍ଥିତିକୁ ଦେଖି ମନ୍ତ୍ରୀ ବାଡ଼ି ନ ଖେଳି ନିଜ ଆସନକୁ ଫେରିଆସିଥିଲେ। ଏନେଇ ତାଙ୍କୁ ପଚାରିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଥିଲେ ଯେ, ଆଖଡ଼ା ଉତ୍ସବକୁ ସେ ଅତିଥି ହୋଇ ଆସିଥିଲେ। ବାଲେଶ୍ବର‌ରେ ଆୟୋଜିତ ଆଖଡ଼ା ଖେଳ ଯେତିକି ପ୍ରାଚୀନ ସେତିକି ଭାଇଚାରାର ନିଦର୍ଶନ ଦେଖାଇଥାଏ। ଏଥିରେ ସାମିଲ ହୋଇ ସେ ବହୁତ ଖୁସି ଥିବା ସହ କିଏ ଏଥିରେ ରାଜନୀତି ପୂରେଇଲା କେଉଁ ଉଦ୍ଦେଶ୍ୟ ରଖି ପୂରେଇଛି ତାହା ସେ ଜାଣିନଥିବା କହିଛନ୍ତି।

ସମ୍ବନ୍ଧିତ ଖବର