ଗ୍ୟାସ୍‌ ବନାମ ପାଣି ରାଜନୀତି

ଭୁବନେଶ୍ୱର : ଭୁବନେଶ୍ୱର ଓ କଟକରେ ଆଜି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଗୋଟିଏ କେନ୍ଦ୍ର ସରକାରଙ୍କ ତତ୍ତ୍ୱାବଧାନରେ ଓ ଅନ୍ୟଟି ରାଜ୍ୟ ସରକାରଙ୍କ ପକ୍ଷରୁ। ବର୍ତ୍ତମାନ ରାଜ୍ୟର ଆବଶ୍ୟକତା ଦୃଷ୍ଟିରୁ ଉଭୟ ପ୍ରକଳ୍ପ ବହୁ ପ୍ରତୀକ୍ଷିତ। ପ୍ରକଳ୍ପରେ ସାଧାରଣ ଜନତା କେତେ ଲାଭବାନ ହେବେ, ତାହାର ଆକଳନ ଆରମ୍ଭ ହୋଇନି। କିନ୍ତୁ ବିଜେଡି-ବିଜେପି ବାକ୍‌ ଯୁଦ୍ଧ ସୀମା ଲଂଘିଛି। ଶ୍ରେୟ ନେବାକୁ ବୟାନବାଜି ଆରମ୍ଭ ହୋଇଯାଇଛି।

ଭୁବନେଶ୍ୱରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଇପ୍‌ ଯୋଗେ ଗ୍ୟାସ୍‌ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। କଟକରେ ମୁଖ୍ୟମନ୍ତ୍ରୀ ସବୁ ସହରାଞ୍ଚଳ ପାଇଁ ପାଇପ୍‌ ଯୋଗେ ପିଇବା ପାଣି ପ୍ରକଳ୍ପ ଆରମ୍ଭ କରିଥିଲେ। ତେବେ ପାଇପ ଯୋଗେ ଗ୍ୟାସ୍‌ ଯୋଗାଣ ପ୍ରକଳ୍ପରୁ ଆରମ୍ଭ ହୋଇଛି ଆଜିର କଳି।

ଏହି ପ୍ରକଳ୍ପର ଉଦ୍‌ଘାଟନ ଉତ୍ସବକୁ ବିଜେଡି ମନ୍ତ୍ରୀ, ସାଂସଦ ଓ ବିଧାୟକ ବର୍ଜନ କରିଥିଲେ। ବିଜ୍ଞାପନ ଓ ନିମନ୍ତ୍ରଣ ପତ୍ରରେ ସେମାନଙ୍କ ନାମ ଥିଲେ ବି ଉତ୍ସବକୁ ଯାଇ ନ ଥିଲେ। ଯେଉଁ ସମୟରେ ସେଠାରେ ଉତ୍ସବ ଚାଲୁଥିଲା, ସେହି ସମୟରେ ବିଜେଡି ନେତାମାନେ ସଚିବାଳୟରେ ଗଣମାଧ୍ୟମକୁ ବିବୃତି ଦେଇ ତାହାର ସମାଲୋଚନା କରୁଥିଲେ।

ଉତ୍ସବରେ ନିଜେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ବିଜେଡିକୁ ଆହୁରି ତତାଇ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଓ ଶାସକ ଦଳକୁ ମିଛୁଆ-ରାଧୁଆ ବୋଲି ଆକ୍ଷେପ କରିଥିଲେ। ସାରା ସହରରେ ପ୍ରକଳ୍ପ ବିଳମ୍ବ ହେବା ନେଇ ରାଜ୍ୟ ସରକାରଙ୍କୁ ସିଧାସଳଖ ଦାୟୀ କରିଥିଲେ ମନ୍ତ୍ରୀ। ତାଙ୍କର ଏପରି କଠୋର ମନ୍ତବ୍ୟକୁ ହଜମ କରିପାରି ନ ଥିଲା ବିଜେଡି। ପୁଣି ଗ୍ୟାସ୍‌ ପ୍ରକଳ୍ପ ପରି ଏକ ବହୁ ପ୍ରତୀକ୍ଷିତ ପ୍ରକଳ୍ପର ସମସ୍ତ ଶ୍ରେୟ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନିକଟକୁ ଯାଉଥିବା ନେଇ ତାହାକୁ ସହଜରେ ଗ୍ରହଣ କରିପାରି ନ ଥିଲେ ବିଜେଡି ନେତାମାନେ।

ଏହା ପରେ ଅପରାହ୍ନରେ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଗଲା। ମୁଖପାତ୍ର ତଥା ସାଂସଦ ପ୍ରତାପ ଦେବଙ୍କ ସମେତ ଭୁବନେଶ୍ୱରର ତିନି ବିଧାୟକ ଅଶୋକ ପଣ୍ଡା, ବିଜୟ ମହାନ୍ତି ଓ ପ୍ରିୟଦର୍ଶୀ ମିଶ୍ରଙ୍କୁ ସେଠାରେ ବସାଗଲା। ପାଇପ୍‌ ଯୋଗେ ଗ୍ୟାସ୍‌ ଯୋଗାଣ ପ୍ରକଳ୍ପର ଏବେକାର ନୁହେଁ, ବହୁ ଆଗରୁ ଏ ନେଇ ଯୋଜନା କରାଯାଇଥିଲା ବୋଲି କୁହାଯାଇଥିଲା। ପ୍ରମାଣ ସ୍ୱରୂପ ରାଜ୍ୟ-କେନ୍ଦ୍ର ମଧ୍ୟରେ ଚିଠି ଦିଆନିଆ ଏବଂ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠିର ନକଲ ପ୍ରଦର୍ଶନ କରାଯାଇଥିଲା। ଶ୍ରୀ ଦେବ କହିଥିଲେ, ୨୦୦୯ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀ ପାଇପ୍‌ ଯୋଗେ ଗ୍ୟାସ୍‌ ଯୋଗାଣ ପାଇଁ ଚିଠି ଲେଖିଥିଲେ। ଏହା ପରେ ଗେଲ୍‌ର ଅଧିକାରୀ, ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ଇଡ୍‌କଲ୍‌ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ନିଷ୍ପତ୍ତି ହୋଇଥିଲା ଯେ ରାଜ୍ୟ ସରକାର ଧାମରାରେ ଗ୍ୟାସ୍‌ ଟର୍ମିନାଲ ପାଇଁ ଜାଗା ଦେବେ ଓ ଟର୍ମିନାଲ ସ୍ଥାପନ ପରେ କଟକ-ଭୁବନେଶ୍ୱରକୁ ସୁବିଧାରେ ପାଇପ୍‌ ଯୋଗେ ଗ୍ୟାସ୍‌ ଯୋଗାଣ ହୋଇପାରିବ। କିନ୍ତୁ ୨୦୧୨ ଡିସେମ୍ବରରେ ହୋଇଥିବା ଏହି ନିଷ୍ପତ୍ତିକୁ କେନ୍ଦ୍ର ସରକାର ଆଉ ଆଗକୁ ନେଇ ନ ଥିଲେ। ପରେ ୨୦୧୬ ଅକ୍ଟୋବରରେ ଏହି ପ୍ରକଳ୍ପ ମଞ୍ଜୁରି ପାଇଥିଲା। ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ବିଭାଗର ରିପୋର୍ଟ ଅନୁସାରେ ଏହି ପ୍ରକଳ୍ପ ୨୦୨୦ରେ ସରିବ। ତେଣୁ ଖୁବ୍‌ଶୀଘ୍ର କଟକ-ଭୁବନେଶ୍ୱରକୁ ପାଇପ୍‌ ଯୋଗେ ଗ୍ୟାସ୍‌ ଯୋଗାଇବା କଥା କହି କେନ୍ଦ୍ର ମନ୍ତ୍ରୀ ବାହାସ୍ଫୋଟ ମାରୁଛନ୍ତି।

ବିଜେଡି ନେତାମାନେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍‌ କରି କହିଥିଲେ, ଗଣମାଧ୍ୟମରେ ସେ ଖାଲି ଭାଷଣ ଦେଉଛନ୍ତି। କ୍ରମାଗତ ଭାବେ ସେ ମିଛ ବୟାନବାଜି କରୁଛନ୍ତି। ତରବରିଆ ଭାବେ ଏକ କଲୋନିରୁ କାର୍ଯ୍ୟକ୍ରମ ଆରମ୍ଭ କରି ବାହାବା ନେବାକୁ ଚେଷ୍ଟା କରୁଛନ୍ତି। ଏହା କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। କିଏ ରାଧୁଆ ଓ କିଏ ମିଛୁଆ, ତାହା ଲୋକଙ୍କ ସାମ୍ନାରେ ସ୍ପଷ୍ଟ ହେଉଛି।

ବିଜେଡିକୁ ପାଲଟା ଆକ୍ରମଣ କରିବା ପାଇଁ ବିଜେପି ବି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲା। ଦଳର ଉପସଭାପତି ସମୀର ମହାନ୍ତି କହିଥିଲେ, ୨୦୦୯ ଓ ୨୦୧୨ରେ କଟକ-ଭୁବନେଶ୍ୱରରେ ପାଇପ୍‌ ଯୋଗେ ଗ୍ୟାସ୍‌ ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିଲା ବେଳେ ୨୦୧୬ରେ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ କମିଟି ଅନ୍‌ ଇକୋନୋମିକ୍‌ ଆଫେୟାର୍ସ ଏହି ପ୍ରକଳ୍ପକୁ ମଞ୍ଜୁରି ଦେଇଥିଲା। ତେଣୁ ପ୍ରକଳ୍ପର ଶ୍ରେୟ ମୋଦିଙ୍କର ନା ଆଉ କାହାର? ଗ୍ୟାସ୍‌ ପ୍ରକଳ୍ପ ପାଇଁ ସରକାର ଜମି ଦେଲେ ୨୦୧୯ ପୂର୍ବରୁ ଦୁଇ ସହରରେ ପ୍ରକଳ୍ପ ଶେଷ ହେବ ଓ ଦୁଇ ମାସ ଭିତରେ ନବୀନ ନିବାସକୁ ପାଇପ୍‌ ଯୋଗେ ପ୍ରାକୃତିକ ଗ୍ୟାସ୍‌ ଯୋଗାଇ ଦିଆଯିବ। ସାଢ଼େ ତିନି ବର୍ଷରେ ଓଡ଼ିଶାରେ ୧୭ ଲକ୍ଷ ମହିଳାଙ୍କୁ ଉଜ୍ଜ୍ୱଳା ଯୋଜନାରେ ଏଲ୍‌ପିଜି ଯୋଗାଇ ଦିଆଯିବା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୋଦି ସରକାରଙ୍କର ଓଡ଼ିଶା ପ୍ରତି ପ୍ରତିବଦ୍ଧତା ନୁହେଁ କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

ସେହିପରି କଟକରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିବା ସହରାଞ୍ଚଳ ପିଇବା ପାଣି ପ୍ରକଳ୍ପକୁ ମଧ୍ୟ ବିଜେପି ସମାଲୋଚନା କରିଛି। ଗ୍ୟାସ୍‌ ପ୍ରକଳ୍ପ ଉଦ୍‌ଘାଟନ ଉତ୍ସବରେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ କେନ୍ଦ୍ର ମନ୍ତ୍ରୀ ପ୍ରଧାନ। ତାଙ୍କ ଜନ୍ମମାଟି କଟକରେ ସହରାଞ୍ଚଳ ପାଇଁ ଜଳଯୋଗାଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନା କରିବା ପାଇଁ ଶାସନର ୧୭ ବର୍ଷ ପରେ ମନେ ପଡ଼ିଲା ବୋଲି କଟାକ୍ଷ କରିଥିଲେ ସେ। ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗରେ କୁହାଯାଇଥିଲା, କଟକ ସହରର ୫୦୦ କିମି ପୁରୁଣା ପାଇପ୍‌ ୨୦୧୭ ମାର୍ଚ୍ଚ ସୁଦ୍ଧା ବଦଳାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଥିଲା। କିନ୍ତୁ ତାହା ହେଲା ନାହିଁ। ଏହା ହିଁ ମୁଖ୍ୟମନ୍ତ୍ରୀ ମିଛୁଆ-ରାଧୁଆ ବୋଲି ପ୍ରମାଣିତ କରୁଛି। ୨୦୧୬ରେ ରାଜ୍ୟ ସରକାର ୫୦ଟି ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ କରିଥିଲା ବେଳେ ସେଗୁଡ଼ିକର ଲୋକାର୍ପଣ ହୋଇ ନାହିଁ। ଏବେ ପୁଣି ଶିଳାନ୍ୟାସ ନାଁରେ ଲୋକଙ୍କୁ ଭୂଆଁ ବୁଲାଯାଉଛି। ଗ୍ରାମାଞ୍ଚଳରେ ମାତ୍ର ୨.୫ ପ୍ରତିଶତ ଘରେ ପାଇପ ଯୋଗେ ପାନୀୟ ଜଳ ପହଞ୍ଚିଛି।

ସମ୍ବନ୍ଧିତ ଖବର