ବିଧାନସଭା ବନ୍ଦ ନେଇ ବିଜେପି-ବିଜେଡି ମୁହାଁମୁହିଁ

ଭୁବନେଶ୍ବର : ଫ୍ଲେକ୍ସି ବଣ୍ଡ୍‌ ୪୭ କୋଟି ମିଶାଇ ମହାପ୍ରଭୁ ଜଗନ୍ନାଥଙ୍କ ୫୯୨ କୋଟି ଟଙ୍କାକୁ ବୁଡ଼ାଇ ଦେବାକୁ ବିଜୁ ଜନତା ଦଳ ଚକ୍ରାନ୍ତ କରିଛି। ଏ ନେଇ ବିଧାନସଭାରେ ସରକାର ଜବାବ ଦେଇ ନ ପାରିବାରୁ ଗୃହକୁ ବନ୍ଦ କରିଦେଇଛନ୍ତି। ବିରୋଧୀ ସରକାରଙ୍କୁ ୟେସ୍‌ ବ୍ୟାଙ୍କ କେଳେଙ୍କାରୀ ବିଷୟରେ ଯେପରି ଭାବେ ଘେରିଲେ ସରକାର ଅଣନିଃଶ୍ବାସୀ ହୋଇପଡ଼ିଲେ। ସରକାରଙ୍କ ମୁହଁ କଳା ପଡ଼ିଯାଇଛି। ଆଜି ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ସରକାରଙ୍କ ବିରୋଧରେ ଏପରି ଗର୍ଜିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। କରୋନା ପାଇଁ କେଉଁଠି ବି ବିଧାନସଭାକୁ ଅଧାରୁ ବନ୍ଦ କରିବା ଖବର ନାହିଁ ବୋଲି ବିଜେପି ଅଭିଯୋଗ କରିଛି। ବିଜେପିକୁ କଡ଼ା ଜବାବ ଦେଇ ବିଜେଡି କହିଛି, ୟେସ୍‌ ବ୍ୟାଙ୍କରେ ଜମା ଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିର ଅର୍ଥ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି। ଏ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। କରୋନାକୁ କେନ୍ଦ୍ର ସରକାର ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି। ବିରୋଧୀ ଦଳ ନେତାଙ୍କ ସହିତ ବିଜେପି ଓ ଅନ୍ୟ ସମସ୍ତ ରାଜନୈତିକ ଦଳକୁ ବିଶ୍ବାସକୁ ନେବା ପରେ ବିଧାନସଭାକୁ ମୁଲତବୀ ରଖାଯାଇଛି। ବିଜେପି ସଦସ୍ୟମାନେ ଏ ନେଇ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ବିଜେଡି ସାଧାରଣ ସମ୍ପାଦକ (ରାଜ୍ୟ ମୁଖ୍ୟାଳୟ) ସଂଜୟ ଦାସବର୍ମା କହିଛନ୍ତି।

ବିରୋଧୀ ଦଳ ନେତା ଶ୍ରୀ ନାଏକ ଅଭିଯୋଗ କରି କହିଥିଲେ, ୨୦୨୦ ମାର୍ଚ୍ଚ ୧୯ ତାରିଖରେ ୟେସ୍‌ ବ୍ୟାଙ୍କରୁ ଉଠାଇ ଆଣିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ। ଯଦି ସରକାର ଏହି ତାରିଖରେ ଟଙ୍କା ଫେରାଇ ଆଣିପାରିବେ ନାହିଁ ତା ହେଲେ ବିଧାନସଭାରେ ହରଡ଼ ଘଣାରେ ପଡ଼ିଥାନ୍ତେ। ତେଣୁ ତା ପୂର୍ବରୁ ବାହାନାବାଜି କରି ବିଧାନସଭାକୁ ବନ୍ଦ କରିଦେଲେ। ମହାପ୍ରଭୁଙ୍କ ଟଙ୍କାକୁ ଲୁଟ୍‌ କରିବାରେ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଚୁପ୍‌ ବସିବ ନାହିଁ ବୋଲି ଶ୍ରୀ ନାଏକ ଚେତାବନୀ ଦେଇଛନ୍ତି।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଥିଲେ, ରାଜ୍ୟରେ ଏବେସୁଦ୍ଧା ଜଣେ ହେଲେ ବି କରୋନା ଭୂତାଣୁରେ ଆକ୍ରାନ୍ତ ହୋଇନାହାନ୍ତି। ଯେତେଗୁଡ଼ିଏ ପରୀକ୍ଷା ହୋଇଛି ସବୁ ନେଗେଟିଭ୍‌ ବାହାରିଛି। କିନ୍ତୁ ବିଧାନସଭାକୁ କରୋନା ପାଇଁ ବାତିଲ ମୁଲତବୀ କରିବା ନେଇ ଶାସକ ଦଳର ପ୍ରସ୍ତାବ ଉପରେ ବାଚସ୍ପତିଙ୍କ ମୋହର ସରକାରଙ୍କ ଦେବାଳିଆ ମାନସିକତା ଓ ପଳାୟନପନ୍ଥୀ ମନୋଭାବକୁ ପ୍ରମାଣିତ କରୁଛି। ବିଧାନସଭା ସହିତ କରୋନା ଭୂତାଣୁର ସମ୍ପର୍କ କଣ ତାହା ବୁଝାପଡ଼ୁନି। କେବଳ ମହାପ୍ରଭୁଙ୍କ ଅର୍ଥକୁ ହରିଲୁଟ୍‌ ଏବେ ଧରାପଡ଼ିଯିବା ପରେ ସେଥିରୁ ବର୍ତ୍ତିବା ପାଇଁ ଏହା ଏକ ନାଟକ ବୋଲି ଶ୍ରୀ ମାଝୀ ଅଭିଯୋଗ କରିଥିଲେ। ବର୍ତ୍ତମାନ ଦେଶର ସଂସଦରେ ବଜେଟ୍‌ ଅଧିବେଶନ ସୁରୁଖୁରୁରେ ଚାଲିଛି। ସେହିପରି ଦିଲ୍ଲୀ, ତେଲେଙ୍ଗାନା, ଆସାମ, ରାଜସ୍ଥାନ, ପଞ୍ଜାବ, କର୍ଣ୍ଣାଟକ, ବିହାର ଆଦି ରାଜ୍ୟରେ ବିଧାନସଭା ଅଧିବେଶନ ବି ଚାଲିଛି। କେଉଁଠି ବି କରୋନା ପାଇଁ ବିଧାନସଭାକୁ ଅଧାରୁ ବନ୍ଦ କରିଦିଆଯିବାର ଖବର ନାହିଁ। ବଜେଟ୍‌ ଅଧିବେଶନ ଆହୁରି ୨୦ ଦିନ ବାକି ଅଛି। ଅନେକ ବିଭାଗର ଖର୍ଚ୍ଚଦାବି ଉପରେ ବି ଆଲୋଚନା ହୋଇଥାନ୍ତା। କରୋନା ଆଳରେ ଏବେ ବିନା ଆଲୋଚନା ବ୍ୟୟ ବରାଦକୁ ପାସ୍‌ କରାଇବେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏକ ଅସୁସ୍ଥ ପରମ୍ପରା ସୃଷ୍ଟି କରିବାକୁ ଯାଉଛନ୍ତି। ତେଣୁ ବାଚସ୍ପତି ତାଙ୍କ ନିଷ୍ପତ୍ତି ବଦଳାଇ ପୁଣି ଥରେ ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ଗୃହ ଚଳାନ୍ତୁ ବୋଲି ସେ ଦାବି କରିଛନ୍ତି।

ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଅଭିଯୋଗ କରି କହିଥଲେ, ଓଡ଼ିଶା ସରକାରଙ୍କ ସବୁ ବିଭାଗର ଟଙ୍କା ଘରୋଇ ବ୍ୟାଙ୍କରେ ଜମା ରଖାଯାଇଛି। କେଉଁ ବିଭାଗର କେତେ ଟଙ୍କା ଅଛି ଏକ ଶ୍ବେତ ପତ୍ର ମାଧ୍ୟମରେ ଅର୍ଥମନ୍ତ୍ରୀ ପ୍ରକାଶ କରନ୍ତୁ। ଓଏମ୍‌ସିର ୬୫୦ କୋଟି, ଇଡକୋର ୨୦୦୦ କୋଟି ଟଙ୍କା ବିଭିନ୍ନ ଘରୋଇ ବ୍ୟାଙ୍କରେ ରାଜ୍ୟ ସରକାର ରଖିଛନ୍ତି। ପୂର୍ବରୁ ବ୍ରହ୍ମ ବିଭ୍ରାଟ, ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାର କାହା ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ ବୋଲି ଉପନେତା ଶ୍ରୀ ସେଠୀ ପ୍ରଶ୍ନ କରିଛନ୍ତି।

ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଦଳର ରାଜ୍ୟ ସାଧାରଣ ସମ୍ପାଦକ (ରାଜ୍ୟ ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା କହିଥିଲେ, ୟେସ୍‌ ବ୍ୟାଙ୍କ ପ୍ରସଙ୍ଗରେ ବିଧାନସଭାରେ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇସାରିଛି। କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କୁ ଦାବି ପତ୍ର ପ୍ରଦାନ କରିବା ଲାଗି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ୧୨ ଜଣ ସଦସ୍ୟଙ୍କୁ ନେଇ ଗୃହ କମିଟି ଗଠନ ହୋଇଛି। ଅନ୍ୟପଟେ କରୋନାକୁ ଆଳ କରି ସରକାର ବିଧାନସଭା ମୁଲତବୀ କରିବା ନେଇ ଯେପରି ଅଭିଯୋଗ ଉଠୁଛି ତାହା ସମ୍ପୂର୍ଣ୍ଣ ଅମୂଳକ। କରୋନା ଏକ ଅନ୍ତର୍ଜାତୀୟ ବିପର୍ଯ୍ୟୟ ଭାବେ ସାମନାକୁ ଆସିଛି। ଓଡ଼ିଶା ସମେତ ଅଧିକାଂଶ ରାଜ୍ୟ ଏହାକୁ ବିପର୍ଯ୍ୟୟ ଭାବେ ଘୋଷଣା କରିସାରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ କରୋନା ମୁକାବିଲା ପାଇଁ ୨୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଭଳି ବିପର୍ଯ୍ୟୟ ମୁକାବିଲା ପାଇଁ ଅର୍ଥର ସମସ୍ୟା ରହିବ ନାହିଁ। ରାଜ୍ୟ ବିଜେପି ଓଡ଼ିଶା ସରକାରଙ୍କୁ ସମାଲୋଚନା କରିବା ପୂର୍ବରୁ ଦେଶର ଅନ୍ୟ ବିଜେପି ଶାସିତ ରାଜ୍ୟ ଯଥା ହରିୟାନା, ଉତ୍ତରପ୍ରଦେଶ ଭଳି ରାଜ୍ୟ କିଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ଅନୁଧ୍ୟାନ କରିବା ଆବଶ୍ୟକ। ଏସବୁକୁ ଦୃଷ୍ଟିରେ ରଖି ଗୃହକୁ ମାର୍ଚ୍ଚ ୩୦ ତାରିଖ ପୂର୍ବାହ୍ନ ୧୦ଟା ୩୦ ପର୍ଯ୍ୟନ୍ତ ମୁଲତବି ରଖାଯାଇଛି। ଯଦି ବିରୋଧୀ ଦଳ ନେତା ଗୃହ ବନ୍ଦ ଓ ସ୍ଥଗିତ ଭିତରେ ଥିବା ତାରତମ୍ୟକୁ ବୁଝାପାରୁନାହାନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ ବୋଲି ଶ୍ରୀ ଦାସ ବର୍ମା କହିଥିଲେ।

ବିଜେପିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ପ୍ରକାଶ ସୋରେନ୍‌, ନବ ଚରଣ ମାଝୀ ଓ ମୁଖପାତ୍ର ଗୋଲକ ମହାପାତ୍ର ଉପସ୍ଥିତ ଥିବାବେଳେ ବିଜେଡି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ସସ୍ମିତ୍‌ ପାତ୍ର ଓ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଲୋପାମୁଦ୍ରା ବକ୍ସି ପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର