ତିତଲି ପରିଚାଳନାରେ ମହାବିଭ୍ରାଟ ହୋଇଛି: ଧର୍ମେନ୍ଦ୍ର

ହକିରେ ମାତି ଜନତାଙ୍କ ଦୁଃଖକୁ ଭୁଲିଯାଇଛନ୍ତି ସରକାର, ମୁଖ୍ୟମନ୍ତ୍ରୀଙ୍କ ‘ଜିରୋ କାଜୁଆଲିଟି’ ନାରା ପ୍ରଚାରରେ ସୀମିତ, ବିଜେପିର ତିନିଟି ଟିମ୍ ପ୍ରଭାବିତ ଅଞ୍ଚଳରେ ସ୍ଥିତି ପରଖିଲେ

ଭୁବନେଶ୍ବର : ତିତଲି ଓ ପରବର୍ତ୍ତୀ ବର୍ଷା, ବନ୍ୟା ପରିଚାଳନାରେ ମହାବିଭ୍ରାଟ ହୋଇଛି ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ, ଅଧିକାରୀ ସମସ୍ତେ ବେପରୁଆ ଓ ଅପରିଣାମଦର୍ଶୀ କାର୍ଯ୍ୟ କରିଛନ୍ତି। ହକିରେ ମାତି ଜନତାଙ୍କ ଦୁଃଖକୁ ସରକାର ଭୁଲି ଯାଇଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ‌ସୋସିଆଲ୍ ମିଡିଆରେ ଆରୋପ ଲଗାଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି, ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ୍‌ରେ ବାତ୍ୟା ଓ ବର୍ଷାରୁ ରକ୍ଷା ପାଇବା ପାଇଁ ପାହାଡ଼ ଗୁମ୍ଫାରେ ଆଶ୍ରୟ ନେଇଥିବା ଲୋକଙ୍କ ମଧ୍ୟରୁ ୧୩ ଜଣ ମୃତ୍ୟୁ ମୁଖ‌େର ପଡ଼ିବା ଓ ଅନେକ ନିଖୋଜ ହେବା ଗଣମାଧ୍ୟମ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡ଼ୁଛି। ରାଜ୍ୟର ଆହୁରି ଅନେକ ସ୍ଥାନରେ ବହୁ ଲୋକ ମୃତାହତ ହେବାର ଖବର ଅଛି। ମାତ୍ର ରାଜ୍ୟର ବରିଷ୍ଠ ଅଫିସର୍ ଓ ମନ୍ତ୍ରୀମାନଙ୍କ ବୟାନ କଟା ଘା’ରେ ଚୂନ ଦେବା ପରିସ୍ଥିତି ସୃଷ୍ଟି କରୁଛି। ମନ୍ତ୍ରିମଣ୍ଡଳର ଜଣେ ବରିଷ୍ଠ ସଦସ୍ୟ କହିଛନ୍ତି ଯେ ଆମେରିକାର ବାତ୍ୟାରେ ୧୭୦ ଲୋକଙ୍କର ମୃତ୍ୟୁ ହେଲା ଓ ତିତଲି ତା’ ତୁଳନାରେ କମ୍ କ୍ଷତି କରିଛି। ମନ୍ତ୍ରୀଙ୍କଏପରି ମନ୍ତବ୍ୟ ଓଡ଼ିଆ ଲୋକଙ୍କ ଅନ୍ତରକୁ ବାଧୁଛି। ପୁଣି ଆଉ ଜଣେ ବରିଷ୍ଠ ଅଫିସର୍ କହିଛନ୍ତି ଯେ ପାହାଡ଼ ଧସି ମୃତ୍ୟୁବରଣ କରିଥିବା ଲୋକ ବାତ୍ୟାରେ ମରି ନାହାନ୍ତି ଓ ଜିରୋ କାଜୁଆଲିଟି ଲକ୍ଷ୍ୟ ପୂରଣ ହୋଇଛି। ଅଫିସର୍‌ଙ୍କ ଏପରି ସମ୍ବେଦନହୀନ ବୟାନ ଓଡ଼ିଆ ଲୋକଙ୍କୁ ଅପମାନିତ କରୁଛି। ମୁଖ୍ୟମନ୍ତ୍ରୀ ଗଣମୃତ୍ୟୁକୁ ସ୍ବୀକାର କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇ ତାଙ୍କ ଦାୟିତ୍ବ ଶେଷ କରିଦେଇଛନ୍ତି। ବାସ୍ତବରେ ସେମାନେ ପ୍ରାକୃତିିକ ଦୁର୍ବିପାକରେ ମୃତ୍ୟୁବରଣ କରି ନାହାନ୍ତି, ବରଂ ନବୀନ ସରକାରଙ୍କ ସମ୍ବେଦନହୀନ ବିପର୍ଯ୍ୟୟ ପରିଚାଳନା ଯୋଗୁ ଗଣହତ୍ୟାର ଶିକାର ହୋଇଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ସିଧାସଳଖ ଆରୋପ ଲଗାଇଛନ୍ତି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ପାଣିପାଗ ବିଭାଗ ଯଥେଷ୍ଟ ପୂର୍ବରୁ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଥିଲା। ଏହା ସ‌େତ୍ତ୍ବ ପ୍ରସ୍ତୁତି ଓ ପରିଚାଳନାର ବିଫଳତା ପ୍ରଭାବିତ ଅଞ୍ଚଳର ଲୋକମାନେ ‌ମର୍ମେ ମର୍ମେ ଅନୁଭବ କରୁଛନ୍ତି। ଲୋକଙ୍କ ଦୁର୍ଦ୍ଦଶା ସମୟରେ ଏହି ବିଫଳତାକୁ ବିନମ୍ରତାର ସହ ସ୍ବୀକାର କରିବା ପାଇଁ ସରକାର ଓ ପ୍ରଶାସନର କୁଣ୍ଠା ବିଜେଡି ସରକାରଙ୍କ ଅହଙ୍କାରକୁ ସ୍ପଷ୍ଟ କରୁଛି। ଓଡ଼ିଆ ଲୋକଙ୍କ ଆତ୍ମାର କଥା ବୁଝୁ ନ ଥିବା ଗୋଟିଏ ଗୋଷ୍ଠୀ କ’ଣ ଓଡ଼ିଆମାନଙ୍କ ଦୁର୍ଦ୍ଦଶା ସମୟରେ ଏତେ ମାତ୍ରାରେ ମୁଖ୍ୟମନ୍ତ୍ରୀଙ୍କୁ ସ‌େମ୍ବଦନହୀନ କରିଦେଇଛନ୍ତି ? ‘ଜି‌େରା କାଜୁଆଲିଟି’ ନାରା ଦେଇ ମୁଖ୍ୟମନ୍ତ୍ରୀ ନିଜକୁ ପ୍ରଚାର ଭିତରେ ସୀମିତ ରଖିଲେ। ଏପରିକି ଲୋକଙ୍କ ଦୁର୍ଦ୍ଦଶା ସମୟରେ ହକି ବ୍ରାଣ୍ଡିଂ କରିବା ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ଫଟୋ ସୁଟ୍ କଲେ। ନିଜର ଆତ୍ମପ୍ରଚାର ପାଇଁ କୌନ ବନେଗା କରୋଡ୍‌ପତି ସୋ’ରେ ଉତ୍ସବ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ବିବେକ ବାଧା ଦେଲାନି। ବାତ୍ୟା ଓ ବର୍ଷାରୁ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବା ପାଇଁ ଆବଶ୍ୟକ ଦୃଢ଼ ପ୍ରସ୍ତୁତି ବଦଳରେ ମୁଖ୍ୟମନ୍ତ୍ରୀ କେବଳ ସାଙ୍କେତିକ ଭାବେ ନିଜ ଗୁରୁ ଦାୟିତ୍ବ ଶେଷ କରି ଆତ୍ମପ୍ରଚାରରେ ବ୍ୟସ୍ତ ରହିଲେ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ଅପର ପକ୍ଷରେ ବିଜେପିର ତିନିଟି ପ୍ରତିନିଧି ଦଳ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ପରଖିବା ପରେ ଆଜି ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ଦଳ ପକ୍ଷରୁ କୁହାଯାଇଛି, ‘ଜିରୋ କାଜୁଆଲିଟି’ କହି ରାଜ୍ୟ ସରକାର୍କ ବାସ୍ତବ ସ୍ଥିତିକୁ ଅସ୍ବୀକାର କରି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି। ବହୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ଗତକାଲି ସୁଦ୍ଧା ରିଲିଫ୍ ସାମଗ୍ରୀ, ପିଇବା ପାଣି, ଔଷଧ ପହଞ୍ଚି ପାରି ନାହିଁ। ଯେଉଁଠି ପାହାଡ଼ ଧସି ଲୋକ ମୃତ୍ୟୁବରଣ କରିଛନ୍ତି, ସେଠାରେ ବାତ୍ୟା ଓ ବନ୍ୟା ସମ୍ପର୍କରେ ସରକାରୀ ସ୍ତରରେ କୌଣସି ସୂଚନା ଦିଆଯାଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କେନ୍ଦ୍ରରୁ ଆସିଥିବା ୧୩ଟି ଏନ୍‌ଡିଆର୍‌ଏଫ୍ ଟିମ୍‌କୁ ରାଜ୍ୟ ସରକାର ଠିକ୍ ଭାବେ ବିନିଯୋଗ କରିପାରୁ ନାହାନ୍ତି। ଜଳସେଚନ ବିଭାଗର ନିମ୍ନମାନର କାମ ଯୋଗୁ ଏପରି କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଯେଉଁମାନଙ୍କ ତ୍ରୁଟି ଯୋଗୁ ଏପରି ଅଘଟଣ ଘଟିଲା, ସେମାନଙ୍କ ଉପରେ ରାଜ୍ୟ ସରକାର ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେବା ସହ କ୍ଷୟକ୍ଷତିର ଆକଳନ ଠିକ୍ ଭାବେ କରି କ୍ଷତିପୂରଣ ଦେବାକୁ ଦଳ ଦାବି କରିଛି।

ସମ୍ବନ୍ଧିତ ଖବର